ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ ସ୍ମୃତି ସଭା

“ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ ଚିରଦିନ ଅମର ରହିବେ”

 ଭୁବନ, ୦୫/୦୬/୨୦୨୫ (ଓଡ଼ିଶା ସମାଚାର)-  କାମାକ୍ଷାନଗର ର ପୂର୍ବତନ ବିଧାୟକ ତଥା ଓଡ଼ିଶାର ପ୍ରଥମ ବିଜେପି ବିଧାୟକ (୧୯୮୫) ଶ୍ରୀଯୁକ୍ତ ପ୍ରସନ୍ନ ପଟ୍ଟନାୟକ ଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ପ୍ରସନ୍ନ ବାବୁ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ ଓ ଧୂପ ଦୀପ ପ୍ରଜ୍ବଳନ କରାଯାଇ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ଗୋପବନ୍ଧୁ ସେବା ସଂଗଠନ ଆନୁକୁଲ୍ୟରେ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଦିଲ୍ଲୀପ କୁମାର ଦାସ ଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ନଗରପାଳ ଜଗନ୍ନାଥ ଗୁରୁ,କୋଦଣ୍ଡଧର ପାତ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ଜେନା,ପ୍ରକାଶ କୁଅଁର ,ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସମେତ ପଣ୍ଡିତ ପ୍ରମୋଦ କୁମାର ମିଶ୍ର,ରାମକୃଷ୍ଣ ପୋଥାଳ,ମାୟାଧର ବେହେରା,ସନାତନ ପାତ୍ର,ମାୟାଧର ନାୟକ,ଭାଗବତ ନାୟକ,କୋଦଣ୍ଡଧର ନାୟକ,ଶ୍ରୀଧର ବେହେରା, ଅମ୍ବୁଜ ସାହୁ, ପୁରସ୍ତମ ବେହେରା,ପ୍ରେମାନନ୍ଦ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ କହିଥିଲେ ଯେ ,ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ଶିକ୍ଷା ଓ ସ୍ଵାସ୍ଥ୍ୟ ପାଇଁ ଚିର ଦିନ ପାଇଁ ଅମର ରହିବେ ।

 ସ୍ବର୍ଗତ ପ୍ରସନ୍ନ ପଟ୍ଟନାୟକ ଛାତ୍ର ନେତା ରୁ ରାଜନେତା ହୋଇପାରିଥିଲେ । ୧୯୭୭,୧୯୮୫ ଓ ୧୯୯୦ ରେ କାମାକ୍ଷା ନଗର ରୁ ତିନିଥର ବିଧାୟକ ହୋଇଥିଲେ । ରାଜନୀତି ମାଧ୍ୟମରେ ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା ତାଙ୍କର ମୂଳଲକ୍ଷ୍ୟ ଥିଲା । ୧୯୯୦- ୧୯୯୫ ମଧ୍ୟରେ କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀରେ ଶିକ୍ଷା ଓ ସ୍ଵାସ୍ଥ୍ୟ ର ବୈପ୍ଲବିକ ପରିବର୍ତ୍ତନ କରିଥିଲେ । ନରିଶିକ୍ଷା ର ଉନ୍ନତି ପାଇଁ ଭୁବନ ମହିଳା ମହାବିଦ୍ୟାଳୟ,କାମାକ୍ଷା ନଗର ମହିଳା ମହାବିଦ୍ୟାଳୟ ସମେତ ବାଲୁଙ୍କେଶ୍ୱର ମହାବିଦ୍ୟାଳୟ,ବିରାଶାଳ ମହାବିଦ୍ୟାଳୟ, ପାରିମାଳ ମହାବିଦ୍ୟାଳୟ ସହିତ ୩୦ ରୁ ଉର୍ଦ୍ଧ୍ବ ଉଚ୍ଚ ବିଦ୍ୟାଳୟ ଓ ୨୦ ରୁ ଉର୍ଦ୍ଧ୍ବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ସେ ଜଣେ ଦୂରଦ୍ରଷ୍ଟା,ଲୋକପ୍ରିୟ ନେତା ଓ ଦୃଢ଼ ସଂଗଠକ ଥିଲେ ।

 ଦୀର୍ଘ ୩୦ ବର୍ଷ ହେଲା କ୍ଷମତାରୁ ବାହାରେ ଥିବା ପ୍ରସନ୍ନ ବାବୁ ଙ୍କ ଅନ୍ତିମ ଯାତ୍ରାରେ ତାଙ୍କ ଲୋକପ୍ରିୟତା ବାରିହୋଇ ପଡ଼ୁଥିଲା। ଜନନାୟକ ପ୍ରସନ୍ନ ବାବୁ ଙ୍କ ବିୟୋଗ ଅପୂରଣୀୟ କ୍ଷତି ଓ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ଅନେକ ଲୋକ କଲ୍ୟାଣ କାର୍ଯ୍ୟ କରିଯାଇଛନ୍ତି, ଯାହା ତାଙ୍କୁ ସବୁଦିନେ ମନେ ରଖିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଗୋପବନ୍ଧୁ ସେବା ସଂଗଠନ ର ବରିଷ୍ଠ ସଭ୍ୟ ଲକ୍ଷ୍ମଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *