କଳାହାଣ୍ଡି,୦୧/୦୬/୨୦୨୫ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼-ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଅଘଟଣ । ରାସ୍ତା ଉପରୁ ବାଇକ ସହ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି ।
ଖବର ଅନୁଯାୟୀ, ରବିବାର ସକାଳ ସମୟରେ ଜୁନାଗଡ଼ -ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଏକ ବାଇକ୍ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିଥିଲେ ସ୍ଥାନୀୟଲୋକେ। ଏହାଦେଖି ସ୍ଥାନୀୟଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ଉଦ୍ଧାର ହୋଇଥିବା ମୃତଦେହ କେଗାଁ ଥାନା ଏଏସଆଇ ପବିତ୍ର ଗୋଲାପିଙ୍କର ବୋଲି ଜଣାପଡିଛି। ସେ କିଛିଦିନ ହେବ ଭବାନୀପାଟଣା ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିଲେ। କେଗାଁ ଥାନାରେ କାର୍ଯ୍ୟରତ ଥିବାବେଳେ ଗତ ମାସ ଶେଷରେ ତାଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିଲା।
ଯାହାଫଳରେ ସେ ଭବାନୀପାଟଣାସ୍ଥିତ ପୋଲିସ ରିଜର୍ଭ ରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର କୋରାପୁଟ ଜିଲା ବୋରିଗୁମା ଥାନା ସାନଦୁବଲି ଗ୍ରାମରେ ବୋଲି ଜଣାପଡିଛି । ଗାଡ଼ିଟି ଷ୍ଟାଣ୍ଡ ଦ୍ଵାରା ଛିଡ଼ା ହୋଇଥିବା ଅବସ୍ଥାରେ ପୋଡ଼ିଥିବା ଏବଂ କିଛି ଦୂରରେ ପବିତ୍ରଙ୍କ ଦରପୋଡ଼ା ମୃତଦେହ ପଡ଼ିଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ପବିତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ପବିତ୍ରଙ୍କୁ ହତ୍ୟା ପରେ ପୋଡ଼ି ଦିଆଯାଇଥିବା କୁହାଯାଉଛି। ଜୁନାଗଡ଼ ପୁଲିସ ସମେତ ଅତିରିକ୍ତ ଏସପି ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ସାହା ତଦନ୍ତ ଚଳାଇଛନ୍ତି।
ତେବେ ଶନିବାର ବିଳମ୍ବିତ ରାତିରେ ଭବାନୀପାଟଣାରୁ କୋରାପୁଟକୁ ବାଇକରେ ଯାଉଥିବାବେଳେ ବାଟରେ ବନମାଲିପୁର ଛକ ନିକଟରେ ଏକ ଅଟକି ଥିବା ଟ୍ରକରେ ପିଟିହୋଇ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଠାରୁ ସୂଚନା ମିଳିଛି। ଦୁର୍ଘଟଣା ପରେ ବାଇକ ରେ ନିଆଁ ଲାଗିଯିବା ସହ ପବିତ୍ର ଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଜଳି ଯାଇ ପୋଡି ଯାଇଥିଲେ ବୋଲି କୁହାଯାଉଛି।ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ପରେ ହିଁ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।