ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମୀକ୍ଷା

ଧାର୍ଯ୍ୟ ସମୟ ଅନୁସାରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର,୩୦/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସ୍ଥିତି ସଂପର୍କରେ ଗତ ଗୁରୁବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଲୋକସେବା ଭବନରେ ସମୀକ୍ଷା କରିଛନ୍ତି। ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ୍. ଏନ୍ , ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତଥିଲେ। ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

          ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ପାନୀୟ ଜଳ ହେଉଛି ପ୍ରତ୍ୟେକ ଲୋକଙ୍କର ଆବଶ୍ୟକତା। ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ସବୁ ଗାଁକୁ ପିଇବା ପାଣି ସଂଯୋଗୀ କରଣ ପାଇଁ ଗୁରୁତ୍ୱ ଦେଇ ଆସୁଛନ୍ତି। ସମସ୍ତଙ୍କ ପାଇଁ ପିଇବା ପାଣି ସୁବିଧା କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ରହିଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ତଥା ଜିଲ୍ଲାପାଳ ମାନେ ପାନୀୟ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକୁ ନିଷ୍ଠାର ସହ ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି।

          ସବୁ ଗାଁ କୁ ଏବଂ ଘର ଘରକୁ କିପରି ପାନୀୟ ଜଳ ପହଞ୍ଚିବ, ସେଥିପାଇଁ ରାଜ୍ୟର କଣ କଣ ଯୋଜନା ରହିଛି ( ଷ୍ଟେଟ୍ ସାଚୁରେସନ ପ୍ଲାନ), ସେ ସଂପର୍କରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ବିଶଦ୍ ଭାବେ ଉପସ୍ଥାପନ କରାଯାଇଥିଲା।

          ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଭୂତଳ ଜଳ ଭିତ୍ତିକ ବୋର କୂପ, ଓଭର ହେଡ ଟାଙ୍କି, ଆବଣ୍ଟିତ ପାଇପ ଲାଇନ୍,କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗ ଜରିଆରେ ଏକକ ଗାଁ ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ (ସିଙ୍ଗଲ୍ ଭିଲେଜ୍ ପିଡବ୍ଲୁଏସ୍ ପ୍ରୋଜେକ୍ଟ) କାର୍ଯ୍ୟକାରୀ କରାଯାଉଛି।ଏଥିରେ ଅଦ୍ୟବଧି୧୮,୬୭୭ଟି ପ୍ରକଳ୍ପ ସଂସ୍ଥାପିତ ହୋଇଥିବା ବେଳେ୧୨୮୯ ନିର୍ମଣାଧିନ ରହିଛି।୧୬ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ଶେଷ ହୋଇଥିବା ବେଳେ୧୯୧ଟି ନିର୍ମାଣଧୀନ ରହିଛି। ସେହିପରି ୪୮୫୫ଟି ସୋଲାର ପ୍ରକଳ୍ପ ସରିଥିବା ବେଳେ ୩୬୫୨ଟି କାର୍ଯ୍ୟାନ୍ୱୟନ ସ୍ଥିତିରେ ରହିଛି।ଜୁନ୍ ୨୦୨୫ ସୁଦ୍ଧା୨୩୮ ଟି ଏବଂ ଅକ୍ଟୋବର ସୁଦ୍ଧା ୭୫୨ଟି ଏକକ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଆଗାମୀ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ଥିବା ସମସ୍ତ ୩୬୫୨ଗ୍ରାମକୁ ସୌର ଶକ୍ତି ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲକ୍ଷ୍ୟ ରଖାଯାଇଛି। ନିର୍ମାଣଧୀନ ଥିବା ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ପର୍ଯ୍ୟାୟ କ୍ରମେ ମାର୍ଚ୍ଚ୨୦୨୭ ସୁଦ୍ଧା ସରିବ ବୋଲି ବିଭାଗ ପକ୍ଷରୁ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ଜିଲ୍ଲାରେ ନର୍ମାଣଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ଓ ସଂପୂର୍ଣ୍ଣ ହେବାକୁ ଥିବା ଧାର୍ଯ୍ୟ ସମୟ ସଂପର୍କରେ ଆଲୋଚନା କରାଯାଇଥିଲ। ।

          ବିଭିନ୍ନ ନିର୍ମାଣ କାରୀ ସଂସ୍ଥାକୁ ପାନୀୟ ଜଳ ପ୍ରକଳ୍ପ ଶେଷ କରିବାକୁ କାର୍ଯ୍ୟାଦେଶ ଦିଆଯାଇଛି ଓ ସେମାନଙ୍କ ସହିତ ଚୁକ୍ତି କରାଯାଇଛି। ବିଭିନ୍ନ ପ୍ରମୁଖ ମେଗା ପାନୀୟଜଳ ପ୍ରକଳ୍ପରୁ କେଉଁ ବ୍ଲକର କେଉଁ ଗ୍ରାମ ସବୁ ଉପକୃତ ହେଉଛନ୍ତି, ସେ ସଂପର୍କରେ ଅନୁଧ୍ୟାନ କରାଯାଇଥିଲା।

          ବିଭିନ୍ନ ପାନୀୟ ଜଳ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବା ପାଇଁ ରହୁଥିବା ବିଦ୍ୟୁତ ଶକ୍ତି ସଂଯୋଗୀ କରଣ ସମସ୍ୟା, ପରିବେଶ ମଞ୍ଜୁରୀ ସଂପର୍କିତ କାର୍ଯ୍ୟ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ, ଜଳସଂପଦ ବିଭାଗ, ରାଜସ୍ୱ ବିଭାଗ, ରେଳ ବିଭାଗ, ଜାତୀୟ ରାଜପଥ ସଂପର୍କିତ ସମସ୍ୟା ର ସମାଧାନ ପାଇଁ ସହଯୋଗ ର ଆବଶ୍ୟକତା ସଂପର୍କରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅନ୍ୟ ପକ୍ଷରେ ପାନୀୟ ଜଳ ପ୍ରକଳ୍ପ  ଗୁଡ଼ିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସାରିବା ପାଇଁ ଯେଉଁ ଯେଉଁ ସମସ୍ୟା ରହୁଛି, ସେ ସଂପର୍କରେ ପ୍ରତିମାସରେ ଜିଲ୍ଲା ସ୍ତରରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ନିୟମିତ ସମୀକ୍ଷା କରାଯାଉଥିବା ଜିଲ୍ଲାପାଳ ମାନେ ପ୍ରକାଶ କରିଥିଲେ । ବିଭାଗ ତରଫରୁ ଏ ନେଇ ନିୟମିତ ଭାବରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯାଉଥିବା ବିଭାଗୀୟ ନିର୍ଦ୍ଦେଶକ ପ୍ରକାଶ କରିଥିଲେ ।

         ମୁଖ୍ୟ ଶାସନ ସଚିବ ବିଭିନ୍ନ ମେଗା ପାନୀୟ ଜଳ ପ୍ରକଳ୍ପ ଓ ଅନ୍ୟ ପାନୀୟ ଜଳ ପ୍ରକଳ୍ପ ର ସ୍ଥିତି ଓ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ ପାଇଁ କ୍ଷେତ୍ର ପରିଦର୍ଶନ ନିମନ୍ତେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହ ବିଡିଓ ମାନଙ୍କ ସଂପୃକ୍ତିକୁ ଗୁରୁତ୍ୱ ଦେଇଥିଲେ। ଆହୁରି ମଧ୍ୟ ବୈଠକରେ ଜିଲ୍ଲାରେ ଭାରତ ସରକାରଙ୍କ ‘ଜଳ ଜୀବନ ମିଶନ’ କାର୍ଯ୍ୟ କାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା।

          ବୈଠକ ପରେ ପରେ ବିଭାଗର କମିଶନର ତଥା  ଶାସନ ସଚିବ ଏବଂ ବିଭାଗୀୟ ନିର୍ଦ୍ଦେଶକ ଦ୍ୱୟ  ସମସ୍ତ ଜିଲ୍ଲାପାଳ ମାନଙ୍କ ସହିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ରହୁଥିବା ସମସ୍ୟା ଓ ସମାଧାନ ସଂପର୍କରେ ଜିଲ୍ଲା ଓ୍ୱାରୀ ଆଲୋଚନା କରିଥିଲେ ।

-0-

ପଠାଣିରାଉତ,ମୁଖ୍ୟଶାସନସଚିବଙ୍କ ଲୋକସଂପର୍କଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *