ଜିଲାକୁ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ ନମିଳିବାରୁ କେନ୍ଦ୍ରାପଡାବାସୀ ନିରାଶ !

କେନ୍ଦ୍ରାପଡ଼ା, ୧୨/୬/୨୦୨୪ (ଓଡ଼ିଶା ସମାଚାର)- ଦିନ ଥିଲା କେନ୍ଦ୍ରାପଡାକୁ ମନ୍ତ୍ରୀପଡା ବୋଲି କୁହାଯାଉଥିଲା । ଜିଲାରେ ଏକାଥରକେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ୩/୪ଜଣ ମନ୍ତ୍ରୀ ଥିବା ବେଳେ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଏବଂ ଲୋକସଭା ବାଚଷ୍ପତି ମଧ୍ୟ ଥିଲେ । ଆଜି କିନ୍ତୁ ସମୟ ବଦଳି ଯାଇଛି । କେନ୍ଦ୍ରାପଡାର ସେ ହୃଦଗୈାରବକୁ ଆଜି ଆଉ ଗୁରୁତ୍ୱ ଦିଆଯାଉନି । କେନ୍ଦ୍ରାପଡା ଜିଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକମାତ୍ର ମହାକାଳପଡା ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତାପାର୍ଟି ପ୍ରଥମ ଥର ପାଇଁ ଖାତା ଖୋଲିଥିବା ବେଳେ ସର୍ବ ଭାରତୀୟ ସ୍ତରରେ ଗୁରୁତ୍ୱ ବହନ କରି ଆସିଥିବା କେନ୍ଦ୍ରାପଡା ଜିଲାକୁ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ ନମିଳିବା ଘଟଣା କେନ୍ଦ୍ରାପଡାବାସୀଙ୍କୁ ନିରାଶ ଓ ହତଚକିତ କରିଛି । ଜିଲା ତଥା ରାଜ୍ୟର ହେଭିୱେଟ୍ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କୁ ମହାକାଳପଡା ବିଧାନସଭା କ୍ଷେତ୍ରରେ ୩୫ହଜାର ଭୋଟ୍ ବ୍ୟବଧାନରେ ହରାଇ ବିଜେପିର ଟେକ ରଖିଥିବା ପ୍ରଫେସର ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ନମଳିବା ଘଟଣା କେନ୍ଦ୍ରାପଡାବାସୀଙ୍କୁ ମର୍ମାହତ କରିଛି । କେନ୍ଦ୍ରାପଡାକୁ ଗୁରୁତ୍ୱ ପ୍ରଦାନ କରି ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ନିର୍ବାଚନ ପ୍ରଚାର କରିବା ପରେ କେନ୍ଦ୍ରାପଡାରୁ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ବିଜୟୀ ହେବା ସହିତ ମହାକାଳପଡା ବିଧାନସଭା କ୍ଷେତ୍ରରୁ ବିଜେପିର ବିଧାୟକ ଭାବେ ପ୍ରଫେସର ଡ. ଦୁର୍ଗା ପ୍ରସନ୍ନ ନାୟକ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ପୂର୍ବରୁ କେନ୍ଦ୍ରାପଡାରୁ ଭାଗବତ ପ୍ରସାଦ ମହାନ୍ତି, ବେଦପ୍ରକାଶ ଅଗ୍ରୱାଲ, ନଳିନୀ ମହାନ୍ତି, ବିଜୟ ମହାପାତ୍ର, ଶ୍ରୀକାନ୍ତ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପକେଶରୀ ଦେବ, ଗଣେଶ୍ୱର ବେହେରାଙ୍କ ଭଳି ବହୁ ତୁଙ୍ଗ ନେତା ଓଡିଶା ତଥା କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇ କେନ୍ଦ୍ରାପଡାକୁ ଗୈାରବାନ୍ୱିତ କରିଥିବା ବେଳେ ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଢିଥିବା ବେଳେ ପ୍ରଥମରୁ କେନ୍ଦ୍ରାପଡାକୁ ଗୁରୁତ୍ୱ ଦିଆନଯିବା ଘଟଣା କେନ୍ଦ୍ରାପଡା ଜିଲାବାସୀଙ୍କୁ ମାନସିକ ଭାବେ ଆଘାତ ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ରାପଡାବାସୀ ବୈଜୟନ୍ତ ପଣ୍ଡାଙ୍କୁ ଲୋକସଭାକୁ ପଠାଇଥିବା ବେଳେ ମହାକାଳପଡା ବିଧାନସଭା କ୍ଷେତ୍ରରୁ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କୁ ରାଜ୍ୟ ବିଧାନସଭାକୁ ବିଜେପି ବିଧାୟକ ଭାବେ ପଠାଇଛନ୍ତି । ଏସବୁ ସତ୍ୱେ ରାଜ୍ୟ ମନ୍ତ୍ରୀମଣ୍ଡଳରେ କେନ୍ଦ୍ରାପଡାକୁ ପ୍ରତିନିଧିତ୍ୱ ନମିଳିବା କେନ୍ଦ୍ରାପଡାବାସୀଙ୍କୁ ନିରାଶ କରିଥିବା ଦେଖାଯାଇଛି । ସର୍ବ ଭାରତୀୟ ସ୍ତରରେ ଚହଳ ସୃଷ୍ଟି କରିଥିବା କେନ୍ଦ୍ରାପଡା ଜିଲାକୁ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ ପ୍ରଦାନ କରାଯିବାକୁ ଜିଲାବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *