ଗୋଟିଏ ଦିନରେ ଦୁଇ ଗୋଷ୍ଠୀଙ୍କ ପ୍ରସ୍ତୁତି ବୈଠକ – ବିବାଦ ଥମିବା ପରିବର୍ତ୍ତେ ନେଲା ଉଗ୍ରରୂପ
କଟକ,୧୦/୧୦/୨୦୨୫(ଓଡ଼ିଶା ସମାଚାର/ ଦେବାଶିଷ ରଥ)-ଦୀର୍ଘ ବର୍ଷ ଧରି ମାଳିକାରଚିତ ଶିଖରପୁରସ୍ଥିତ କାଳିଆବୁଦାଠାରେ ପୂଜା ପାଇଆସୁଥିବା ମା’ ଶ୍ୟାମାକାଳୀଙ୍କ ବାର୍ଷିକ ଉତ୍ସବ ଓ ଚତୁର୍ଦ୍ଦଶତମ ଅଖଣ୍ଡ ଭଜନ ସମାରୋହ କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ । ସାହିର କିଛି ବାସିନ୍ଦା ଓ ମନ୍ଦିର ପରିଚାଳନା କମିଟି ମଧ୍ୟରେ ଘଟିଥିବା ପୂର୍ବ ଶତୃତାକୁ ନେଇ ଦେଖାଦେଇଛି ବିବାଦ । ମା’ଙ୍କ ବାର୍ଷିକ ଉତ୍ସବକୁ ନେଇ ଉଭୟେ ଗୋଟିଏ ଦିନରେ ପୃଥକ ପୃଥକ ଭାବେ ସାମ୍ବାଦିକ ସମ୍ମିଳନୀ ଡକାଇ ଆୟୋଜନ କରିଛନ୍ତି ପ୍ରସ୍ତୁତି ବୈଠକ । ବିବାଦ ଥମିବା ପରିବର୍ତ୍ତେ ନେଇଛି ଉଗ୍ରରୂପ ।
ମା’ ଶ୍ୟାମାକାଳୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗରୁବାର ମଧ୍ୟାହ୍ନରେ ମନ୍ଦିର ପରିସରରେ ମନ୍ଦିରର ମୂଖ୍ୟପରିଚାଳକ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୦ ତାରିଖରେ ମା’ଶ୍ୟାମାକାଳୀଙ୍କ ବାର୍ଷିକ ଉତ୍ସବ-୨୦୨୫ ଓ ଚତୁର୍ଦ୍ଦଶତମ ଅଖଣ୍ଡ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତିନିଦିନ ବ୍ୟାପୀ ଏହି ଉତ୍ସବର ପ୍ରଥମ ଦିନ ସକାଳ ୮ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ଵାରା ଅଖଣ୍ଡ ଭଜନ ସମାରୋହ ସହ ୨୦ ହଜାରେରୁ ଉର୍ଦ୍ଧ୍ଵ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ, ଦ୍ୱିତୀୟ ଦିନ ଓଡିଶୀନୃତ୍ୟ ଓ ଭଜନ ପରିବେଷଣ, ତୃତୀୟ ତଥା ଉଦଯାପନୀ ଉତ୍ସବରେ ୨୨ ଦିଗଭାଗ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ସଂକୀର୍ତନ ପରିବେଷଣ, ଜନପ୍ରତିନିଧ୍ଵ, ପୂଜାକମିଟି, ସାହିମୂରବୀ, ସାମାଜିକ କର୍ମୀ, ସାମାଜିକ ସଂଗଠନ ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୂଖ୍ୟ ପରିଚାଳକ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
ଏହି ବୈଠକରେ ଚୌଦ୍ଵାର କଟକ ବିଧାୟକ ସୌଭିକ୍ ବିଶ୍ବାଳ, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ବରିଷ୍ଠ ଆଇନଜୀବୀ କୃତିବାସ କର, ଜୟନ୍ତ ପ୍ରଧାନ, ଲକ୍ଷ୍ମୀଧର ମହାନ୍ତି, କର୍ପୋରେଟର ସୁବ୍ରତ ଘଡେଇ, ସ୍ଵର୍ଣ୍ଣପ୍ରଭା ପଶାୟତ, ପୁର୍ବତନ କର୍ପୋରେଟର ଚିରଞ୍ଜୟ ସାହୁ, ରଶ୍ମି ମିଶ୍ର, ବିଭୂତି ଭୂଷଣ ପ୍ରଧାନ, ବିଭୂତି ଭୂଷଣ ପରିଡା, ସୌରଭ ପ୍ରଧାନ, ଗଣେଶ୍ଵର ରାଉତ, ଶିବପ୍ରସାଦ ଗୋଛି, ନିର୍ମଳ ମହାନ୍ତି, ଶରତ ଜେନା, ପ୍ରତାପ ପରିଡା, ଅଜୟ ଗୋଛୟତ, ଭାଗିରଥୀ ଦଳାଇ, ଦିଲ୍ଲୀପ ଦଳାଇ, ଦିଲ୍ଲୀପ ନାୟକ, ଶରତ ଜେନା, ବସନ୍ତ ସ୍ଵାଇଁ, ଜଗଦାନନ୍ଦ ତ୍ରିପାଠୀ, କାର୍ତିକ ମହାରଣା, ଜଗନ୍ନାଥ ସାହୁ, ବ୍ରଜକିଶୋର ବେହେରା, ଅଂଚଳର ମୂରବୀ ଓ ଗଣେଶ କ୍ଲବର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ଅପରପକ୍ଷେ ଶିଖରପୁରସ୍ଥିତ ନଦୀକୂଳ ସାହିର କିଛି ଯୁବକ ଏହାକୁ ବିରୋଧ କରି ସଂଧ୍ୟାରେ କାଳୀ ମନ୍ଦିର ପରିସରରେ ମା ଶ୍ୟାମାକାଳୀଙ୍କ ବାର୍ଷିକ ଉତ୍ସବକୁ ନେଇ ପ୍ରସ୍ତୁତି ବୈଠକ କରୁଥିବା ସମୟରେ ମନ୍ଦିରର ମୁଖ୍ୟ ପରିଚାଳକ ଅଶୋକ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚିବା ମାତ୍ରେ ତାଙ୍କ ସହିତ କିଛି ସାହି ଲୋକ ଯୁକ୍ତିତର୍କ କରିବା ସହ ଠେଲା ପେଲା କରିଥିଲେ । ଚାଉଳିଆଗଞ୍ଜ ପୋଲିସ ଘଟଣା ସ୍ଥଳରେ ପହିଂଚି ଥିଲେ ମଧ୍ୟ ପରିସ୍ଥିତି ଅଣାୟତ ହୋଇପଡ଼ିଥିଲା । ଏହି ଭିଡ଼ ମଧ୍ୟରେ ଜିତେନ୍ଦ୍ର ସାହୁ ନାମକ ବ୍ୟକ୍ତି ଙ୍କୁ କିଛି ଲୋକ ତାଟଣା ଓଟରା କରିବା ସହ ମାଡ଼ ମାରିଥିଲେ । ପୋଲିସ ଘଟଣା ସ୍ଥଳରୁ ଜିତେନ୍ଦ୍ରକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନେବା ସହ ଉଭୟ ପକ୍ଷଙ୍କୁ ଥାନାକୁ ଡ଼ାକି ଆଲୋଚନା ଚଳାଇଛନ୍ତି । ସୂଚନାଯୋଗ୍ୟ ଦଶହରାପାର୍ବଣ ସମୟରେ ହୋଇଥିବା ଗଣ୍ଡଗୋଳ ନ ଥମୁଣୁ କାଳୀପୂଜା ପୂର୍ବରୁ ଦେଖାଦେଲାଣି ଗଣ୍ଡଗୋଳ । ଏହାକୁ ଯଦି ପ୍ରଶାସନ ଦମନ ନ କଲେ ପୂଜା ବେଳକୁ ଏହି ଘଟଣା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ ବୋଲି ଜନସାଧାରଣ ଚର୍ଚ୍ଚା କରିବା ଆରମ୍ଭ କରିଦେଲେଣି ।
