ଭୁବନେଶ୍ୱର,୨୭/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଦୁଗ୍ଧଚାଷୀମାନଙ୍କର ସମସ୍ୟା ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ତଥା ଲଘୁ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିଙ୍କ ବାସଭବନରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଏକ ୬ଜଣିଆ ପ୍ରତିନିଧି ଦଳ ଓ ଓମଫେଡ୍ କର୍ତୃପକ୍ଷଙ୍କ ସହିତ ରାଜ୍ୟରେ ଦୁଗ୍ଧଚାଷୀ ସମସ୍ୟା ନେଇ ବିଷଦ ଆଲୋଚନା ଅନୁଷ୍ଠିତ ହୋଇଯାଇଅଛି । ଆଲୋଚନା କାଳରେ ଦୁଗ୍ଧଚାଷୀ ମାନଙ୍କର ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି ଏବଂ ଖୁବ୍ ଶୀଘ୍ର ସରକାର ସମସ୍ୟା ସମାଧାନ ପାଇଁ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ମାନ୍ୟବର ମନ୍ତ୍ରୀ ମହାସଂଘର କର୍ମକର୍ତାଙ୍କୁ ଦୃଢ ପ୍ରତିଶ୍ରୁତି ଦେଇଥିଲେ । ମାନ୍ୟବର ମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଆସନ୍ତା ଜୁନ୍ ୧ “ବିଶ୍ୱ ଦୁଗ୍ଧ ଦିବସ”ରେ ଯେଉଁ କ୍ଷୀର ଢାଳି ପ୍ରତିବାଦ କରିବାର କାର୍ଯ୍ୟକ୍ରମ ରହିଥିଲା ତାହାକୁ ବର୍ତମାନ ପାଇଁ ସ୍ଥଗିତ ରଖାଗଲା ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘର ଅଧ୍ୟକ୍ଷ ରବି ବେହେରା ପ୍ରକାଶ କରିଛନ୍ତି ।
ଆଗାମୀ ଦିନରେ ଦୁଗ୍ଧଚାଷୀ ମାନଙ୍କର ସମସ୍ୟା ବିଶେଷତଃ (୧) ଦୁଗ୍ଧର ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି (୨) ଗୋଖାଦ୍ୟର ଦର ନିୟନ୍ତ୍ରଣ (୩) ପଶୁ ସମ୍ପଦ ପାଇଁ ସ୍ୱାସ୍ଥ୍ୟବୀମା (୪) ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ବ୍ୟାପକ ପ୍ରଚାର ଓ ପ୍ରସାରକୁ ନେଇ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଆଗାମୀ ଦିନରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବ ବୋଲି ଆଜି ମାନ୍ୟବର ମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଛି । ରାଜ୍ୟ ସରକାର ଯଦି ଦୁଗ୍ଧଚାଷୀ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନ ନ କରନ୍ତି ତାହେଲେ ଆଗାମୀ ଦିନରେ ଘରୋଇ ଦୁଗ୍ଧ କମ୍ପାନୀମାନଙ୍କର ଷଡ଼ଯନ୍ତ୍ର ଯୋଗୁଁ ଓମଫେଡ୍ ବୁଡ଼ିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ କୁହାଯାଇଛି । ମାନ୍ୟବର ମନ୍ତ୍ରୀ ଧୈର୍ଯ୍ୟର ସହିତ ଦୁଗ୍ଧଚାଷୀମାନଙ୍କର ସମସ୍ୟା ଶୁଣିବା ସଂଗେସଂଗେ ଓମଫେଡ୍ ର ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଉପରେ ସରକାର ଦୃଢ ପଦକ୍ଷେପ ନେବେ ବୋଲି ମହାସଂଘର ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା ସମୟରେ ମହାସଂଘ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ସମେତ ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ, କଟକ ଜିଲା ସଭାପତି ତାପସ ମହାନ୍ତି, ଜଗତ୍ସିଂହପୁର ଜିଲା ସଭାପତି ଗୌରାଙ୍ଗ ଚରଣ ରାଉତ ଓ ଖୋର୍ଦ୍ଧା ଜିଲାରୁ ଲକ୍ଷ୍ମଣ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏଠାରେ ଉଲ୍ଲେଖଥାଉକି, ଗତ ମାର୍ଚ୍ଚ ମାସ ଠାରୁ ପ୍ରଗତି ଡାଏରୀ, ମିଲ୍କମୁଁ ଓ ଅମୁଲ ପ୍ରଭୃତି ଡାଏରୀ କମ୍ପାନୀମାନେ ଚାଷୀଙ୍କ ପାଉଣା ଯଥାକ୍ରମେ ଟ.୩.୫୦ପଇସା ଓ ଟ.୩.୦୦ପଇସା ଲିଟର ପିଛା ବୃଦ୍ଧି କରିଥିଲା ବେଳେ ଓମଫେଡ୍ କର୍ତୃପକ୍ଷ ଚାଷୀଙ୍କ ପାଇଁ ଦୁଗ୍ଧ ମୂଲ୍ୟ ବୃଦ୍ଧି ଉପରେ କୌଣସି ପଦକ୍ଷେପ ନ ନେବା ଯୋଗଁୁଁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଥିଲା । ଯାହାଫଳରେ ଚାଷୀମାନେ ଜୁନ୍ ୧ତାରିଖ ବିଶ୍ୱ ଦୁଗ୍ଧ ଦିବସ ଦିନ କ୍ଷୀର ଢାଳି ପ୍ରତିବାଦ କରିବେ ବୋଲି ନିଷ୍ପତିି ଗ୍ରହଣ କରିଥିଲେ । କିନ୍ତୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁଯାୟୀ ଆଜିର ଆଲୋଚନା ପରେ ଏହି କାର୍ଯ୍ୟକ୍ରମକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଗଲା ବୋଲି ମହାସଂଘ ସୂତ୍ରରୁ ପ୍ରକାଶ ।