ପୁରୀ,୨୯/୦୬/୨୦୨୫ (ଓଡ଼ିଶା ସମାଚାର)-ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ତୃତୀୟ ଦିନରେ ଏକ ବଡ଼ଧରଣର ଅଘଟଣ ଘଟିଛି। ଶରଧାବାଲି ରଥାରୂଢ ଦାରୁବ୍ରହ୍ମଙ୍କୁ ଦର୍ଶନ ବେଳେ ବଡ ଅଘଟଣ ସାମ୍ନାକୁ ଆସିଛି। ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଘଟଣା ହୋଇଛି। ମୃତକ ବୋଲଗଡ଼ର ୩୬ ବର୍ଷୀୟ ବାସନ୍ତୀ ସାହୁ, ୭୮ବର୍ଷୀୟ ପ୍ରେମକାନ୍ତି ମହାନ୍ତି ଓ ବାଲିପାଟଣାର ପ୍ରଭାତୀ ଦାସ ବୋଲି ସୂଚନା ମିଳୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଠେଲାପେଲାରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି।
ଏହି ଘଟଣାରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଏକ୍ସ’ରେ କହିଛନ୍ତି – ଶରଧାବାଲିରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜନିତ ଠେଲାପେଲା କାରଣରୁ ଘଟିଥିବା ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଏବଂ ମୋ ସରକାର ସମସ୍ତ ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ। ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଏହି ଅବହେଳା ଅକ୍ଷମଣୀୟ । ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ଏକ୍ସ’ରେ କହିଛନ୍ତି।

