ଅଧ୍ୟକ୍ଷା ରୋଜି ସେଠୀଙ୍କୁ ସାମୟିକ ଆଶ୍ୱସ୍ତି
କଟକ ସଦର,୧୩/୦୫/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା)- ଆଜି ମଙ୍ଗଳବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ହେବାକୁ ପୂର୍ଵରୁ ନିର୍ଧାରିତ ହୋଇଥିଲା । ହେଲେ ତାହା ଅନିର୍ଦ୍ଦିଷ୍ଟ ସମୟ ନିମନ୍ତେ ସ୍ଥଗିତ ରଖାଯାଇଥିବା କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ ଙ୍କ ବିଜ୍ଞପ୍ତି ରୁ ଜଣାପଡିଛି।
ପ୍ରକାଶ ଯେ ଗତ କିଛିଦିନ ହେଲା ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ କୁ ନେଇ ବିଜେଡ଼ି ବିଜେପି ମଧ୍ୟରେ ଛକାପଞ୍ଝା ରୋଚକ ମୋଡରେ ପହଞ୍ଚି ଥିଲା । ହେଲେ ଅନାସ୍ଥା ଭୋଟ ସ୍ଥଗିତ ହେବାକୁ ନେଇ ଏହା ରାଜନିତୀର ‘ଖେଳରେ ଖେଳ’ ବୋଲି ଚର୍ଚ୍ଚା ଜୋର ଧରିଛି। ୫ ଜଣ ସଭ୍ୟ/ସଭ୍ୟା ଅସୁସ୍ଥତା ଦର୍ଶାଇ ଆଜିର ଅନାସ୍ଥା ବୈଠକରେ ଯୋଗଦେଇ ପାରିବେ ନାହିଁ ବୋଲି ଆବେଦନ କରିଥିବା ଏଵଂ ଅନାସ୍ଥା ଭୋଟ ପରିଚାଳନା କରିବାକୁ ଥିବା ଅତିରିକ୍ତ ଜିଲ୍ଲାପାଳ ଦେବାଶିଷ ମହାପାତ୍ର ଅସୁସ୍ଥତା ଥିବା କାରଣରୁ ଏହା ସ୍ଥଗିତ ରହିଲା ବୋଲି ଜଣାପଡିଛି। ହେଲେ ଆଗାମୀ ଦିନରେ ଅଧ୍ୟକ୍ଷା ବିଜେପି ରେ ସାମିଲ ହୋଇ ଆସନ ବଜାୟ ରଖିବେ ବୋଲି ଚର୍ଚ୍ଚା ହେଉଛି।