କପିଳେଶ୍ଵର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା

                                ଗହୀର ବିଲରେ ବିଳମ୍ବରେ ଟଣା ହେଲା ରଥ, ରାତି ୮.୪୫ ରେ ପଣା କିଆରୀ ରେ ଲାଗିଲା ରଥ

 ନିରାକାରପୁର ୧୬/୦୪/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଡିଆ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥ ଯାତ୍ରା ରେ ରଥ ଟଣା କାର୍ଯ୍ୟ ବିଳମ୍ବରେ ଅନୁଷ୍ଠିତ ହୋଇଛି । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଟାଣ ଖରା ଯୋଗୁଁ ସମସ୍ତ ରୀତିନୀତିରେ କିଛିଟା ପରିବର୍ତ୍ତନ ଘଟିଛି। ପୂର୍ବରୁ ରଥ କାର୍ଯ୍ୟ ଓ ପୂଜା ଶେଷ ହୋଇଥିଲେ ବି ବଡ ଭାଇ ଆରେଡି ଗ୍ରାମେଶ୍ୱର୍ ଦେବ ଓ ଭାଉଜ ବିଳମ୍ବରେ ଅପରାହ୍ନ ସାଢେ଼ ୫ ଟା ବେଳକୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଚାହାଣୀ ମଣ୍ଡପରେ ପ୍ରଭୁ କପିଳେଶ୍ଵର ଙ୍କ ନିକଟରେ ବିଜେ ହୋଇଥିଲେ। ପରେ ପୂଜାର୍ଚ୍ଚନା ଶେଷ ହେବା ପରେ ଚାହାଣୀ ମଣ୍ଡପରୁ ଉଭୟ ଭାଇ ପହଣ୍ଡିରେ ଆସି ସନ୍ଧ୍ୟା ସାଢେ଼ ୬ ଟାରେ ରଥାରୂଢ଼ ହୋଇଥିଲେ। ପ୍ରାୟେ ୭ଟା ବେଳକୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ହଜାର ହଜାର ଭକ୍ତ ଅନ୍ଧରେ ଗହୀର ବିଲରେ ରଥକୁ ଟାଣି ଟାଣି ନେଇ ରାତି ପ୍ରାୟ ୮.୪୫ ରେ ପଣା କିଆରୀ ନିକଟରେ ପହଞ୍ଚିଥିଲେ। ବାଲୁଗାଁ ଏସ ଡି ପି ଓ ଶୁଭ୍ରାଂଶୁ ଶେଖର ସାମନ୍ତରାୟଙ୍କ ନିର୍ଦ୍ଦେଶ ରେ ନିରାକାରପୁର ଆଇଆଇସି ବିଶ୍ୱଜିତ୍ ରାଉତରାୟ ଓ ଅନ୍ୟ ପୋଲିସ ଅଧିକାରୀ, ଏକ ପ୍ଲାଟୁନ ଫୋର୍ସ ଶାନ୍ତି ଶୃଙ୍ଖଳାରେ ରଥ ଟଣା କାର୍ଯ୍ୟ ରେ ନିୟୋଜିତ ଥିଲେ। ଯାତ୍ରା ପଡିଆରେ ବେଦୀ ମଣ୍ଡପରେ ରଥ ଯାତ୍ରା ସମ୍ପର୍କରେ ଡ ପୂର୍ଣ୍ଣ ଚନ୍ଦ୍ର ଦାଶ, ଡ ସଞ୍ଜୟ କୁମାର ମହାପାତ୍ର, ଶିକ୍ଷକ କମଳ ଲୋଚନ ପ୍ରଧାନ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ନୀଳାଦ୍ରି ସିଂହ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ବହୁ ସଂଖ୍ୟାରେ ବିଭିନ୍ନ ଦୋକାନ ବଜାର ଓ ଷ୍ଟଲ ରେ ଲୋକ ମାନଙ୍କର ଗହଳି ଲାଗି ରହିଥିଲା। ପ୍ରକାଶ ଥାଉ କି ଅଶୋକାଷ୍ଟମୀ ରଥଯାତ୍ରା ଓଡ଼ିଶାର ଦୁଇଟି ସ୍ଥାନରେ ପାଳନ କରାଯାଏ।ଭୁବନେଶ୍ବର ରୁକ୍ମିଣୀ ରଥ , କପିଳେଶ୍ୱର ଦେବଙ୍କ ବିଜୟାରଥ ଟଣା ଯାଏ। କିମ୍ବଦନ୍ତୀ କହେ ଶଙ୍କର ଭଗବାନ ରାମ ବନବାସ ସମୟରେ ,ମର୍ଯ୍ୟାଦା ପୁରୁଷୋତ୍ତମ ଙ୍କ ସହିତ ପ୍ରତିଶୁତି ବଦ୍ଧ ହୋଇଥିଲେ ଯେ , ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀରେ ତିଥିରେ ରାମଙ୍କୁ ଦର୍ଶନ କରିବେ ।ଏହି ପରମ୍ପରା ଅନୁସାରେ ପ୍ରତିବର୍ଷ ଏହି ପବିତ୍ର ତିଥିରେ ରଥରୁଡ ହୋଇ ଶଙ୍କର ଭଗବାନ କୃଷ୍ଣଙ୍କୁ (ରାମ ଅବତାର) ଦର୍ଶନ ଦିଅନ୍ତି । ପରନ୍ତୁ ଡିଆଁ ଗ୍ରାମରେ ପାଳନ କରାଯାଇଥାବା ରଥଯାତ୍ରାର ଏକ ସ୍ବତନ୍ତ୍ରତା ପରିଲକ୍ଷିତ ହୋଇଥାଏ ।ଏଠାରେ ଶ୍ରୀ ଶ୍ରୀ କପିଳେଶ୍ୱର ଦେବ , ଜ୍ୟେଷ୍ଠ ଭ୍ରାତା ଶ୍ରୀ ଶ୍ରୀ ଗ୍ରାମେଶ୍ବର ଦେବ ଆଗମନ ପରେ ଉଭୟ ରଥାରୂଢ଼ ହୋଇଥାନ୍ତି। ଏହାପରେ ଶ୍ରଦ୍ଧାଳୁମାନେ ଗହିର ବିଲମାଳ ମଧ୍ୟରେ ଗୁଣ୍ଡିଚା ମନ୍ଦିର ସନିକଟ ଥିବା ପଣା କିଆରୀ ପର୍ଯ୍ୟନ୍ତ ଟାଣି ନିଅନ୍ତି। ପୁନଶ୍ଚ ଦ୍ବାଦଶ ତିଥିରେ ଶ୍ରୀ ଜିଉ ମାନେ ରଥାରୁଢ଼ ହୋଇ ନିଶାର୍ଦ୍ଧ ରେ ପ୍ରତ୍ୟାବର୍ତ୍ତନ କରନ୍ତି। ଡିଆଁ ବ୍ୟତୀତ ଅନ୍ୟ କୈାଣସି ଯାଗାରେ ନିଶାର୍ଦ୍ଧ ଟଣା ପରିଲକ୍ଷିତ ହୋଇ ନଥାଏ। ସଂସ୍କୃତି ବିଶେଷଜ୍ଞ ଡ ସଞ୍ଜୟ କୁମାର ମହାପାତ୍ର କୁହନ୍ତି,ବୋଧହୁଏ ନିଶାର୍ଦ୍ଧ ରେ ବୌଦ୍ଧଧର୍ମ ତଥା ସାକ୍ତ ତାନ୍ତ୍ରିକ ପରମ୍ପରା ଦ୍ଵାରା ଅନୁପ୍ରାଣିତ ହୋଇ ଏଠାରେ ନିଶାର୍ଦ୍ଧ ରେ ରଥଟଣା କାମ ସମ୍ପାଦିତ ହୋଇଥିଆଏ ।‌ଦଶମୀ ରେ ତିନି ଭଉଣୀ ମା ସାରସ୍ବତୀ ,ମା କାଳୀ ମହାଲକ୍ଷ୍ମୀ ,ନାରାୟଣୀ ଆଗମନ କରି ରୋଷ ପୂର୍ବକ ନିଶାର୍ଦ୍ଧ ରେ ରଥଙ୍କର କିଛି ଅଂଶ ଭାଙ୍ଗି ଥିବାର ପରମ୍ପରା ରହିଛି। ହେରାପଞ୍ଚମୀ ସ୍ବତନ୍ତ୍ର ନିଧି ଭକ୍ତ ଅବସରରେ ପାଳନ କରାଯାଏ। ଏଠାରେ ବିଶିଷ୍ଟତା ଏହା ଯେ ପଞ୍ଚ ଶ୍ମଶାନ ପରିବେଷ୍ଟିତ ମଧ୍ୟରେ ଯେ କେବଳ ଏହି କପିଳେଶ୍ୱର ଶୈବପୀଠ ଗଢିଉଠିଛି ତା ନୁହେଁ ପରନ୍ତୁ ଜଗତର ନାଥ ଜଗନ୍ନାଥଙ୍କ ସଂସ୍କୃତି ରୀତିନୀତି ସହିତ ଏହି ପରମ୍ପରା ସଂପୂର୍ଣ୍ଣ ଭାବେ ଜଡ଼ିତ। ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବଙ୍କ ପ୍ରଚେଷ୍ଟା ରେ ଏହି ପର୍ବ ପାଳନ କରାଯାଏ। ତେଣୁ ପାରମ୍ପାରିକ ରୀତିନୀତି ଅନୁସାରେ ପ୍ରତିବର୍ଷ ଶ୍ରୀମନ୍ଦିର ରୁ ଆଜ୍ଞାମାଳ,ପାଟପତନି, ଚନ୍ଦନ କାଠ ଓ ରଥ ପାଉଣା ଆସିବା ପରେ ଶ୍ରୀ ମନ୍ଦିରରୁ ପୁରୋହିତ ଙ୍କ ଦ୍ୱାରା ରଥ ପ୍ରତିଷ୍ଠା ସଂପୂର୍ଣ୍ଣ ହୋଇଥାଏ। ଧାର୍ମିକ ଚେତନା ଅନୁଯାୟୀ ଉକ୍ତ ଦିବସରେ, ରୋହିଣୀ କୁଣ୍ଡ ରୁ ପ୍ରସାଦ ଖାଇ ଆଶୋକା କଢି ଭକ୍ଷଣ କଲେ ପାପ ବି ମୁକ୍ତି ହୋଇଥାଏ ଓ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କେହି କେହି ମତ ପ୍ରଦାନ କରନ୍ତି ରଥାରୂଢ଼ ହୋଇଥିବା ପ୍ରଭୁ ଙ୍କୁ ଦର୍ଶନ କଲେ ପୁନଃ ଜନ୍ମ ହୋଇ ନଥାଏ ଏବେ କପିଳେଶ୍ୱର ଦେବ ଚାରି ସାହି ଠାକୁର ହୋଇ ନାହାନ୍ତି। ଏଠିକାର ଗଣପର୍ବ ରେ ପାଳନ ହୁଅନ୍ତି।ଏବେ ଡିଆରେ ଘରେଘରେ ଏହି ଉତ୍ସବକୁ ଧୁମଧାମରେ ପାଳନ କରାଯିବ ।ତା ସହିତ ମୀନା ବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ସନ୍ଧ୍ୟା ରେ ଅନୁଷ୍ଠିତ ହୁଏ। ଆଜି ଠାରୁ ପଣା କିଆରୀ ନିକଟରେ ଅଶୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *