ସାମ୍ବାଦିକ ସମସ୍ୟା ସମ୍ପର୍କରେ ସରକାର ଯତ୍ନବାନ ଅଛନ୍ତି :ମନ୍ତ୍ରୀ ବଳ ସାମନ୍ତ
ଯାଜପୁର, ୧୨/୦୫/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ରହିଛି ,ଏହା ସତ୍ୟ । ସରକାର ସାମ୍ବାଦିକ ମାନଙ୍କର ସମସ୍ୟା ସମ୍ପର୍କରେ ବିଶେଷ କରି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଅବଗତ ଅଛନ୍ତି । ଏନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ରହିଛି । ଖୁବ୍ ଶୀଘ୍ର ସମସ୍ୟା ସମାଧାନ କରିବା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ସମବାୟ ମନ୍ତ୍ରୀ ଡଃ ପ୍ରଦୀପ ବଳ ସମାନ୍ତ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।
ରବିବାର ଦିନ ସନ୍ଧ୍ୟାରେ ଯାଜପୁର ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲା ଶାଖାର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ କହିଥିଲେ କି ସମାଜର ଉନ୍ନତି ଦିଗରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏ କଥାକୁ ସମସ୍ତେ ହୃଦୟଙ୍ଗମ କରିବା ଉଚିତ୍ । ସରକାରଙ୍କ ଦୋଷ ଓ ଦୁର୍ବଳତାକୁ ଲୋକ ଲୋଚନକୁ ଆଣି ଏହାର ସମାଧାନ କରିବା ଦିଗରେ ଗଣମାଧ୍ୟମର ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ରୋଟାରିୟାନ ବିଭୂତିଭୂଷଣ କର ଏଥିରେ ଅଧ୍ୟକ୍ଷତା କରି ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ସଂଘ ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଥିଲେ ।
ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ଅତିଥିଭାବେ ସାଂସଦ ଡଃ ରବିନ୍ଦ୍ରନାରାୟଣ ବେହେରା ଯୋଗଦେଇ ସାମ୍ବାଦିକ ମାନଙ୍କର ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବା ପାଇଁ ସେ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ବିଜେପି ବରିଷ୍ଠ ନେତା ତଥା ପ୍ରାକ୍ତନ ଯାଜପୁର ଜିଲାପରିଷଦ ଅଧ୍ୟକ୍ଷ ଗୌତମ ରାୟ, ବ୍ୟାସନଗର ପୌରପରିଷଦର ଭାରାପାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଅନ୍ୟତମ ଅତିଥିଭାବେ ଯୋଗଦେଇ ସରକାର ସମ୍ବାଦିକ ମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟ ବକ୍ତାଭାବେ ପ୍ରଗତିବାଦୀର ମୁଖ୍ୟ ସମ୍ପାଦକ ବିରୁପାକ୍ଷ ତି୍ରପାଠୀ ଯୋଗଦେଇ କହିଥିଲେ କି ସାମ୍ବାଦିକଙ୍କ ଉପସ୍ଥିତ ଯୋଗୁ ସରକାର ଓ ପ୍ରଶାସନର ଭୟ ରହିଛି, ଯାହା ଫଳରେ ସାଧାରଣ ଲୋକ ଉପକୃତ ହେଉଛନ୍ତି । ସରକାର ବିଭିନ୍ନ ବର୍ଗର ଲୋକଙ୍କ ହିତ ପାଇଁ କାର୍ଯ୍ୟକରୁଥିବା ବେଳେ ସାମ୍ବାଦିକଙ୍କ କଥାକୁ ଭୁଲିଯିବା କେତେଦୂର ଠିକ୍ ବୋଲି ପ୍ରଶ୍ନ କରିଥିଲେ । ସାମ୍ବାଦିକମାନେ ସମ୍ବାଦ ପରିବେଷଣ କରିଲା ବେଳେ ଉକ୍ତ ସମ୍ବାଦ ସମାଜ ଉପରେ କିଭଳି ପ୍ରଭାବ ପଡ଼ୁଛି ତାହା ଉପରେ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ତି୍ରପାଠୀ ମତବ୍ୟକ୍ତ କରିଥିଲେ । ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ସମ୍ପାଦକ ବିଶ୍ୱଜିତ ନାୟକ ପ୍ରମୁଖ ସଂଘର ବିଭିନ୍ନ କାର୍ଯ୍ୟ ପନ୍ଥା ସମ୍ପର୍କରେ ଆଲୋକପାତ ରିଥିଲେ ।
ଯାଜପୁର ଜିଲା ଶାଖା ସଭାପତି ହରିହରି ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲା କାର୍ଯ୍ୟକାରୀ ସଭାପତି ରଙ୍ଗବଲ୍ଳଭ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ପିତବାସ ଭୂୟାଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସଂଘର ସଂଯୋଜକ ମଦନ ପାଣି, ଜିଲା ସଂଘ ସଭାପତି ପବିତ୍ର ରଂଜନ ମହାନ୍ତି, ଭରତ ନାୟକ, ଆନନ୍ଦ ଚନ୍ଦ୍ର ସାହୁ, ଦେବାଶିଷ ସାହୁ, ହିମାଂଶୁ ଶେଖର ସାହୁ, ବିଦ୍ୟାଧର ବେହେରା, ସୁରେସ କର, ପ୍ରଦୀପ ଚାନ୍ଦ, ସୁବାସିଷ ରାଉତ, ସଂଜୟ କର, ଅଶୋକ ଦାସ, ଦିବ୍ୟକାନ୍ତ କର, ଅଜୟ ମିଶ୍ର, ଦର୍ଶନୀ ବେହେରା, ଜୟ କୃଷ୍ଣ ନାୟକ, ପି୍ରୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ ।
ସଂଘର ଉପସଭାପତି ବାନ୍ଛାନିଧି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯାଜପୁର ଜିଲାର ବହୁ ପ୍ରତିଭାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ଅନୁଷ୍ଠାନର କୁନିକୁନି ପିଲାମାନେ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଂଚଳରୁ ଶତାଧିକ ସାମ୍ବାଦିକ ଉପସ୍ଥିତ ରହିଥିଲେ ।
