କେନ୍ଦ୍ରାପଡ଼ା,୧୨/୦୫/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ସର୍ବପୁରାତନ ଡାଇମଣ୍ଡ ଜୁବଲି ପାଠାଗାରର ଉନ୍ନତି ପାଇଁ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ଏହି ଅବସରରେ ଡ. ଦାସ କହିଛନ୍ତି ଡାଇମଣ୍ଡ ଜୁବଲି ପାଠାଗାରରେ ଅଧ୍ୟୟନ କରି ଜିଲାର ଅନେକ ଛାତ୍ରଛାତ୍ରୀ ଦେଶବିଦେଶରେ ପ୍ରତିଷ୍ଠାଲାଭ କରିଛନ୍ତି । ସେ ମଧ୍ୟ ତାଙ୍କ ଛାତ୍ର ଜୀବନରେ ଏହି ପାଠାଗାରରେ ଅଧ୍ୟୟନ କରିଥିଲେ । ତେଣୁ ପାଠାଗାର ହେଉଛି ମଣିଷ ତିଆରି କାରଖାନା । ପାଠାଗାରର ଉନ୍ନତି ପାଇଁ ପ୍ରତିବ୍ୟକ୍ତିଙ୍କ ଯୋଗଦାନ ରହିବା ଉଚିତ ।
ଏହି ଅର୍ଥରାଶିକୁ ବାନ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କ ଝିଆରୀ ମମତା ଦାସ ଓ ପୁତୁରା ଭୁବନମୋହନ ଦାସ ପାଠାଗାରର ସଭାପତି ଆଇନଜୀବୀ ସରୋଜରାଜ ସିଂ ଓ ସମ୍ପାଦକ ବୈଦ୍ୟନାଥ ଚାଟାର୍ଜୀଙ୍କୁ ପ୍ରଦାନ କରିଥିଲେ । ଅର୍ଥରାଶି ପ୍ରଦାନ ସମୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା, ସ୍ୱାଧୀନ ଦାଶ, ସଚ୍ଚିଦାନନ୍ଦ ବେହେରା, ଧିରେନ ସାହୁ, ମୁକ୍ତାର ଖାଁ, ଆଶିଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।