ଯାଜପୁର,୧୭/୦୨/୨୬(ଓଡ଼ିଶା ସମାଚାର)- ଜିଲ୍ଲା ପରିଷଦ ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ମାନଙ୍କୁ ବିପର୍ଯ୍ୟୟ କ୍ଷୟକ୍ଷତି ହ୍ରାସ ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଇଛି। ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଉଦଘାଟନ କରିଥିଲେ। ଫେବୃଆରୀ ୧୭ ରୁ ୨୬ ତାରିଖ ଯାଏଁ ଚାରୋଟି ପର୍ଯ୍ୟାୟରେ ଏହି ତାଲିମ ଶିବିର ଅନୁଷ୍ଠିତ ହେଉଅଛି। ଯାଜପୁର ଜିଲ୍ଲାର ଦଶଟି ବ୍ଲକର ମୋଟ ୨୪୪ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଏଥିରେ ତାଲିମ ଦିଆଯିବ।

ଏଥିପାଇଁ ୩ ଜଣ ସ୍ଵତନ୍ତ୍ର ମାଷ୍ଟର ଟ୍ରେନର ସୁକାନ୍ତ ବିଶ୍ଵାଳ, ମନୋଜ ଜେନା, ଶୈଳେନ୍ଦ୍ର ସାମଲ ଏବଂ ୨ ଜଣ ରିସୋର୍ସ ପର୍ସନ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ମୁଖ୍ୟତଃ ବିପର୍ଯ୍ୟୟ ପରିଚାଳନା, ବିପର୍ଯ୍ୟୟ ଯୋଗୁଁ ହେଉଥିବା କ୍ଷୟକ୍ଷତିକୁ ହ୍ରାସ କରିବା ସହ ପୂର୍ବ ପ୍ରସ୍ତୁତି ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ବ ଦିଆଯାଉଛି। ଯାହା ଫଳରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଏଦିଗରେ ସଚେତନ ହେବା ସହ କାର୍ଯ୍ୟଦକ୍ଷ ହୋଇପାରିବେ।
ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଅଶୋକ ବେହେରା ଯୋଗ ଦେଇଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀନିବାସ ପଣ୍ଡା, ସହାୟକ ସୁପ୍ରିୟ ପଣ୍ଡା, ସେକ୍ସନ ଅଫିସର ଅରୁଣ ସାହୁ, ବରିଷ୍ଠ ସହାୟକ ଚନ୍ଦ୍ରଶେଖର ବେହେରା,ତରୁଣ କୁମାର ପଣ୍ଡା, ଅକ୍ଷୟ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।
