କଟକ,୧୧/୦୫/୨୦୨୫(ଓଡ଼ିଶା ସମାଚାର)-ସ୍ଥାନୀୟ ଏସସିବି ମେଡ଼ିକାଲ ପରିସରରୁ ମଙ୍ଗଳାବାଗ ଥାନା ପୋଲିସ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୨ଟି ପୃଥକ ପୃଥକ ଘଟଣାରେ ଅଭିଯୋଗ ପାଇବା ପରେ ମଙ୍ଗଳାବାଗ ଥାନା ପୋଲିସ ଏସସିବି ଟ୍ରମା କାଜୁଆଲିଟି ସମ୍ମୁଖରୁ ରୋଗୀମାନଙ୍କୁ ଘରୋଇ ହସପିଟାଲ ନେବା ପାଇଁ ପ୍ରବର୍ତାଇବା ବେଳେ ସାଧା ପୋଷାକରେ ଥିବା ପୋଲିସ ୪ ଜଣ ଦଲାଲକୁ ମାଡ଼ି ବସିଥିଲେ ।
ଗିରଫ ଅଭିଯୁକ୍ତମାନେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ରଗଡ଼ି ଅଂଚଳର ମୂଳ ବାସିନ୍ଦା ତଥା ଅଧୁନା ମଙ୍ଗଳାବାଗ ଥାନା ଅଂଚଳରେ ରହୁଥିବା ଦେବାଶିଷ ମହାନ୍ତି (୨୨), କ୍ୟାନ୍ଟନମେନ୍ଟ ଥାନା ଅଂଚଳର କ୍ରିଷ୍ଣା ବାହାଦୂର (୪୪), କଟକ ଜିଲା ଗୋବିନ୍ଦପୁର ଅଂଚଳର ସୁଶାନ୍ତ ବାରିକ (୫୧) ଓ କଟକ ଜିଲା ବାଙ୍କୀ ଥାନା ଅଂଚଳର ରାମ ନାୟକ (୪୧) ।
ଏମାନେ ବିଭିନ୍ନ ଘରୋଇ ହସପିଟାଲ କର୍ମଚାରୀ ଭାବେ ପରିଚୟ ଦେଇ ରୋଗୀମାନଙ୍କୁ ଘରୋଇ ହସପିଟାଲ କୁ ନେଉଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ରହିଛି ପୋଲିସ ତାହାର ତଦନ୍ତ ଜାରି ରଖିଛି । କେଉଁ ହସପିଟାଲକୁ ଦଲାଲମାନେ ରୋଗୀଙ୍କୁ ନେବାକୁ ଚେଷ୍ଟା କରୁଥିଲେ, ସେହି ହସପିଟାଲଗୁଡ଼ିକୁ ମଧ୍ୟ ତଦନ୍ତ ପରିସରକୁ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି । ଏଥିସହ ଯଦି କେହି ଦଲାଲ ଏଭଳି କାର୍ଯ୍ୟକଳାପ କରୁଥିବାର ନଜରକୁ ଆସନ୍ତି, ତେବେ ପୋଲିସ ସହ ଯୋଗାଯୋଗ କରିବା ପାଇଁ ଜୋନ-୨ ଏସିପିି ଗିରିଜା ଶଙ୍କର ଚକ୍ରବର୍ତି କହିଛନ୍ତି ।
