କଟକ ରେଳ ଷ୍ଟେସନରୁ ଗଂଜେଇ ଜବତ: ଜଣେ ଗିରଫ

କଟକ,୧୧/୦୫/୨୦୨୫(ଓଡ଼ିଶା ସମାଚାର)- କଟକ ରେଳ ଷ୍ଟେସନରୁ ଆରପିଏଫ (ରେଳବାଇ ସୁରକ୍ଷା ଦଳ) ଦ୍ୱାରା ଶନିବାର ଜଣେ ବ୍ୟକ୍ତି ବେଆଇନ ଭାବେ ଗେଞ୍ଜଇ ଚାଲାଣ କରୁଥିବା ବେଳେ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ରାଜ୍ୟ ମୁର୍ଶିଦାବାଦ ଜିଲାର ଆବାସ ଶେଖ (୪୨) । ଅଭିଯୁକ୍ତ ଠାରୁ ୨ଟି ବ୍ୟାଗରେ ଭର୍ତି ହୋଇଥିବା ୧୧କେଜି ଓଜନର ଗଂଜେଇ ଆରପିଏଫ ଜବତ କରିଛି ।

ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବର ପାଇ ଆରପିଏଫ ଟିମ କଟକ ରେଳ ଷ୍ଟେସନର ଅନ୍ତିମ ପାଶ୍ୱର୍ରେ ଜଣେ ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲୁଥିବାର ଦେଖିବାକୁ ପାଇଥିଲା । ଆରପିଏଫ ଟିମ ସେ ବ୍ୟକ୍ତିକୁ ଅଟକାଇ ପଚରାଉଚୁରା କରିବା ପରେ ସେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ବାସିନ୍ଦା ଆବାସ ଶେଖ ବୋଲି ପରିଚୟ ଦେଇଥିଲା । ଆବାସ କେରଳରେ ଏକ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରେ ବୋଲି ସେ ସୂଚନା ଦେଇଥିଲା ।

ଆବାସ ଛୁଟିରେ ଘରକୁ ଆସି ଏକମାସ ପରେ ପୁଣି କର୍ମସ୍ଥଳୀ କେରଳକୁ ଫେରୁଥିଲା । ସେ କଟକ ରେଳ ଷ୍ଟେସନରେ ଓହ୍ଲାଇ ବେଆଇନ ଗଂଜେଇ ବ୍ୟାଗ ସଂଗ୍ରହ କରି କେରଳ ଅଭିମୁଖେ ଯିବା ପାଇଁ କଟକ ଷ୍ଟେସନରେ ଅପେକ୍ଷା କରିଥିବା ବେଳେ ଆରପିଏଫ ଟିମ ହାତରେ ଧରା ପଡ଼ିଥିଲା । ଆରପିଏଫ ଟିମ ଆବାସକୁ ଗଂଜେଇ ବ୍ୟାଗ ସହ ଜିଆରପି ପୋଲିସକୁ ହସ୍ତାନ୍ତର କରିଥିଲା । ଜିଆରପି ପୋଲିସ ୭୫/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *