ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷା ଅନାସ୍ଥା ଭୋଟ, ମ୍ୟାଜିକ ନମ୍ବର ୫୮ କୁ ନେଇ ବିଜେପି ବିଜେଡ଼ି ମଧ୍ୟରେ ଛକାପଞ୍ଝା 

କଟକ ସଦର,୧୦/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ଆସନକୁ ନେଇ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ଶିବିର ଓ ପୂର୍ବତନ ବିଧାୟକ ପ୍ରତାପ ଜେନା ଙ୍କ ଶିବିର ମଧ୍ୟରେ ଛକାପଞ୍ଝା ରୋଚକ ମୋଡରେ ପହଞ୍ଚିଛି। ଆଉ ମାତ୍ର ଦୁଇଦିନ ଅର୍ଥାତ୍ ୧୩ ତାରିଖ ରେ ହେବାକୁ ଥିବା ଅନାସ୍ଥା ଭୋଟରେ ବ୍ଲକ୍ ଅଧ୍ୟକ୍ଷା ରୋଜି ସେଠୀଙ୍କୁ‌ ଗାଦିରୁ ହଟାଇବାକୁ ଶାରଦା ଙ୍କ ଶିଵିର ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଏହି ଯୋଜନାକୁ ପଣ୍ଡ କରିବାକୁ ବିଜେଡ଼ି ମଧ୍ୟ ଦମ୍ଭ ଦେଖାଉଛି।

ଗୋଟେ ପଟେ ମ୍ୟାଜିକ ନମ୍ବର ୫୮ ଛୁଇଁବାକୁ ଅହିନକୂଳ ସମ୍ପର୍କ ଥିବା ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଓ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ମଧ୍ୟରେ ଆଜି ଶନିବାର ଦିନ କଟକ ସାଂସଦ ଭର୍ତୃହରି ମହତାବ ତାଙ୍କ କଟକ ବିହାରୀଵାଗ ବାସଭବନରେ ପ୍ୟାଚ୍ ପଡ଼ିଥିବା ଜଣାପଡିଛି।

ଏହାପୂର୍ବରୁ ସେହି ଏକା ସମ୍ପର୍କ ଥିବା ମାହାଙ୍ଗା ର ପୂର୍ବତନ ବିଧାୟକ ପ୍ରତାପ ଜେନା ଓ କଟକ ସଦର ର‌ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ମଧ୍ୟରେ ସାଂସଦ ଦେବାଶିଷ ସାମନ୍ତରାୟ ପ୍ୟାଚ୍ ପକାଇ ଶେଷରେ ନବୀନ ପଟ୍ଟନାୟକ ଙ୍କ ସମ୍ମୁଖରେ ଗଠଵନ୍ଧନ କରାଇଥିବା ଜଣାପଡିଛି। ତେବେ ୧୩ ତାରିଖ ଉଭୟ ବିଜେପି ଓ‌ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ସେହି ଦିନକୁ ସମସ୍ତଙ୍କର ଅପେକ୍ଷା ରହିଛି। ସୂଚନାଯୋଗ୍ୟ ଯେ ନିଶ୍ଚିନ୍ତକୋଇଲି ବ୍ଲକ୍ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୭ ଟି ପଞ୍ଚାୟତ ଓ‌ କଟକ ସଦର ନିର୍ବାଚନମଣ୍ଡଳୀର ୧୪ ଟି ମୋଟ୍ ୪୧ ଟି ପଞ୍ଚାୟତକୁ ନେଇ ଗଠିତ।

Leave a Reply

Your email address will not be published. Required fields are marked *