ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଏଭଳି ଜଣେ ଦୂରଦ୍ରଷ୍ଟା ପ୍ରଜ୍ଞାପୁରୁଷ ଓଡ଼ିଶା ଇତିହାସରେ ଦୁର୍ଲ୍ଲଭ- ମନ୍ତ୍ରୀ

ଭୁବନେଶ୍ୱର,୦୫/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କର ମାଟି ଓ ଜାତିପ୍ରୀତିର ପଟାନ୍ତର ନାହିଁ । ଇଂରେଜ ବିରୋଧୀ ସଂଗ୍ରାମର ଅନ୍ୟତମ ଶ୍ରେଷ୍ଠ ନାୟକ ଥିଲେ କେନ୍ଦୁଝର ଭୂୟାଁ ସମ୍ପ୍ରଦାୟର ଧରଣୀଧର ନାଏକ । ପାହାଡ଼ ଜଙ୍ଗଲଭରା କେନ୍ଦୁଝରର ମୁକ୍ତିକାମୀ ଭୂୟାଁମାନଙ୍କୁ ସ୍ୱାଧୀନତାର ମନ୍ତ୍ର ପଢ଼େଇ ଧରଣୀଧର ସେମାନଙ୍କୁ ଯେପରି ଶକ୍ତିଶାଳୀ ବ୍ରିଟିଶ ଶକ୍ତି ବିରୁଦ୍ଧରେ ଲଢ଼ିବାକୁ ମାନସିକ ଓ ଶାରୀରିକ ଭାବେ ସକ୍ଷମ କରାଇ ପାରିଥିଲେ, ତାହା ଭାରତୀୟ ମୁକ୍ତି ସଂଗ୍ରାମର ଏକ ଯୁଗାନ୍ତକାରୀ ଅଧ୍ୟାୟ । ଏଭଳି ଜଣେ ଦୂରଦ୍ରଷ୍ଟା ପ୍ରଜ୍ଞାପୁରୁଷ ଓଡ଼ିଶା ଇତିହାସରେ ଦୁର୍ଲ୍ଲଭ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ, ଭୁବନେଶ୍ୱରସ୍ଥିତ କେନ୍ଦୁଝର ନାଗରିକ ପରିଷଦ ଓ ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଭୂୟାଁ ମେଳିର କର୍ଣ୍ଣଧାର ବିପ୍ଳବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସଭାରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଜଙ୍ଗଲ ପାହାଡ଼ ଭରା କେନ୍ଦୁଝରର ମୁକ୍ତିକାମୀ ଭୂୟାଁମାନଙ୍କୁ ସ୍ୱାଧୀନତାର ମନ୍ତ୍ର ପଢ଼େଇ ବିପ୍ଳବୀ ଧରଣୀଧର ସେମାନଙ୍କୁ ଯେପରି ଶକ୍ତିଶାଳୀ ବ୍ରିଟିଶ ଶକ୍ତି ବିରୁଦ୍ଧରେ ଲଢ଼ିବାକୁ ମାନସିକ ଓ ଶାରୀରିକ ଭାବେ ସକ୍ଷମ କରାଇ ପାରିଥିଲେ, ତାହା ଭାରତୀୟ ମୁକ୍ତି ସଂଗ୍ରାମର ଏକ ଯୁଗାନ୍ତକାରୀ ଅଧ୍ୟାୟ ।

ଏହି ମହାନ୍‌ ନାଏକଙ୍କ ନେତୃତ୍ୱର ସବୁଠାରୁ ବଡ଼ଗୁଣ ଥିଲା ଅଦମ୍ୟ ସାହସ, ଅସୀମ ଧୈର୍ଯ୍ୟ ଓ ମାନବୀୟ ସହାନୁଭୂତି । ଗଡ଼ଜାତ ଅଞ୍ଚଳରେ ରାଜାମାନଙ୍କର ବେଠି ବିରୁଦ୍ଧରେ ପ୍ରଚଣ୍ଡ ସ୍ୱର ଉତ୍ତୋଳନ କରିଥିବା ବିପ୍ଲବୀ ଧରଣୀଧର ନାୟକ ଥିଲେ ଅଦମ୍ୟ ସାହସ ଓ ଅସରନ୍ତି ଉର୍ଜାର ମୂର୍ତ୍ତିମନ୍ତ ପ୍ରତୀକ । ଏଭଳି ଜଣେ ଦୂରଦ୍ରଷ୍ଟା ପ୍ରଜ୍ଞାପୁରୁଷ ଓଡ଼ିଶା ଇତିହାସରେ ଦୁର୍ଲ୍ଲଭ । ଇତିହାସରେ ତାଙ୍କ ଭୂମିକା ଓ ମାନ୍ୟତା ପର୍ଯ୍ୟାପ୍ତ ନୁହେଁ । ତାଙ୍କ ସଂପର୍କରେ ଐତିହାସିକ ଓ ଗବେଷକମାନେ ଅଧିକ ଉଚ୍ଚତର ଗବେଷଣା କରିବା ଉଚିତ ।

ପୂର୍ବ ସମୟରେ ଏହି ପୁଣ୍ୟଭୂମିରେ ଯେଉଁଠି ବି ଅତ୍ୟାଚାର ହୋଇଛି ସେଠାରେ ପ୍ରତିରୋଧର ବହ୍ନି ପ୍ରଜ୍ୱଳିତ ହୋଇଛି । ଧରଣୀଧର ଥିଲେ ଏପରି ଜଣେ ଯୁଗଜନ୍ମା ଓଡ଼ିଆ ଯାହାଙ୍କ ବୀରତ୍ୱର ଗାଥା ବାବଦରେ ଉତ୍ତରପିଢ଼ିଙ୍କୁ ଅବଗତ କରାଇବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେ ମତପୋଷଣ କରିଥିଲେ । ତେଣୁ ଆଜି ରାଜ୍ୟ କେବଳ ବିପ୍ଳବୀ ଧରଣୀଧରଙ୍କ ସାହସିକତାକୁ ମନେ ପକାଇ ନୁହେଁ ବରଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟକୁ ଅଧିକ ସଶକ୍ତ ଓ ସୁରକ୍ଷିତ କରିବା ଲାଗି ନିରନ୍ତର ପ୍ରଚେଷ୍ଟା ଚାଲିଛି । ସର୍ବୋପରି ଏହି ମହାନ୍‌ ବିପ୍ଳବୀ ଧରଣୀଧରଙ୍କ ପ୍ରତିଭା ଯୁଗେ ଯୁଗେ ଏ ଜାତିର ଚିରନମସ୍ୟ ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଥିଲେ ।

ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ଧରଣୀଧର ଜଣେ କ୍ରାନ୍ତିକାରୀ ଯୋଦ୍ଧା ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କ ବ୍ୟକ୍ତିତ୍ୱ ଥିଲା ସଂଗ୍ରାମ ଓ ସନ୍ନ୍ୟାସର ସମନ୍ୱୟ, ବିପ୍ଳବ ଓ ଭକ୍ତିର ମିଳନ । ଜନଜାତିଙ୍କ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ନିମନ୍ତେ ଇଂରେଜ ଶାସନ ବିରୁଦ୍ଧରେ ଲଢ଼ି ନିଜ ଜୀବନ ଉତ୍ସର୍ଗ କରିଥିଲେ । ଆଜି ଓଡିଶା ସରକାର ଜନଜାତିଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନକୁ ଆମର ରାଷ୍ଟ୍ରୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରି ସମସ୍ତେ ନିଜ ନିଜ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ ବୋଲି ସେ କହିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଜନଜାତି ସଂସ୍କୃତି ଗବେଷକ ଏବଂ ଲେଖକ ଡଃ ଅଖିଳ ବିହାରୀ ଓତା ଧରଣୀଧର ଭୂୟାଁଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଓ ଜୀବନାଦର୍ଶ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିବାକୁ ଯାଇ କହିଲେ ଯେ ବଣ ପାହାଡ଼ କୋଳରେ ବଢ଼ିଥିବା ପ୍ରକୃତିପ୍ରିୟ ଜନଜାତି ରାଜାଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଥିବା ଶାନ୍ତ, ସରଳ ଜନଜାତିଙ୍କୁ ଏକତ୍ରିତ କରି ବିପ୍ଳବୀ ଧରଣୀଧର ଅନ୍ୟାୟ ଅନୀତି ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଗଡ଼ଜାତ ଅଞ୍ଚଳରେ ବେଠି, ବେଗାରି, ମାଗଣ ଓ ଭେଟି ପରି ଅନ୍ୟାୟ ଅନୀତି ବିରୁଦ୍ଧରେ ମେଳି ବା ସଂଗ୍ରାମ କରି ଦେଶ ସ୍ୱାଧୀନ ହେବା ପୂର୍ବରୁ ଧରଣୀଧର ଏକ ଜନମଙ୍ଗଳ ରାଷ୍ଟ୍ରର ପରିକଳ୍ପନା କରିଥିଲେ ବୋଲି ଡଃ ଓତା ପ୍ରକାଶ କରିଥିଲେ ।

କେନ୍ଦୁଝର ନାଗରିକ ପରିଷଦ, ଭୁବନେଶ୍ୱରର ସଭାପତି ପ୍ରଫେସର ଡ. ହାଡ଼ିବନ୍ଧୁ ପଟ୍ଟନାୟକ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ ପୂର୍ବକ କହିଲେ ଯେ ବିପ୍ଳବୀ ଧରଣୀଧର ଜଣେ ସାହସୀ, ସ୍ୱାଭିମାନୀ ଓ ସତ୍ୟନିଷ୍ଠ ପ୍ରଜ୍ଞା ପୁରୁଷ ଥିଲେ । ଜନଜାତିଙ୍କ ଆଦର୍ଶ ପୁରୁଷ ଭାବରେ ସେମାନଙ୍କୁ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ସେ ପ୍ରେରଣା ଦେଇଥିଲେ । ତାଙ୍କ ଜୀବନୀ ଓ ଆଦର୍ଶ ଉତ୍ତରପିିଢ଼ି ନିମନ୍ତେ ଅନୁକରଣୀୟ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସଭାପତିତ୍ୱ କରି କହିଲେ ଯେ ମହାନ ବିପ୍ଳବୀ ଧରଣୀଧର ନାଏକ ହେଉଛନ୍ତି ଓଡ଼ିଶା ମାଟିର ସ୍ୱାଧୀନଚେତା ମନୋଭାବର ବିଶିଷ୍ଟ ପ୍ରତିନିଧି । ମା’, ମାଟି ଓ ମଣିଷର ମୁକ୍ତି ଲାଗି ବିପ୍ଳବୀ ଧରଣୀଧରଙ୍କ ସମଗ୍ର ଜୀବନ ସମର୍ପିତ ଥିଲା । ବ୍ରିଟିଶ ଶାସନ ଓ ରାଜତନ୍ତ୍ରର ଅତ୍ୟାଚାର ବିରୁଦ୍ଧରେ କେନ୍ଦୁଝର ଅଞ୍ଚଳରେ ବିପ୍ଳବୀ ଧରଣୀଧର ନାୟକ, ଭୂୟାଁ ବିପ୍ଲବର ଯେଉଁ ଅଦମ୍ୟ ସାହସ ଓ ବୁଦ୍ଧିର ସହ ନେତୃତ୍ୱ ନେଇଥିଲେ ତାହା ସମଗ୍ର ଭାରତ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ଶ୍ରୀ ସିଂହ କହିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ମହାନ ବିପ୍ଳବୀ ଧରଣୀଧର ନାଏକ (ଭୂୟାଁ)ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନିଖିଳ ଭାରତ ଭୂୟାଁ ସାଂସ୍କୃତିକ ସମିତିର ସଭାପତି ଶ୍ରୀ ଧୃବ କାଲୋ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଶିଷ୍ଟ କଣ୍ଠ ଶିଳ୍ପୀମାନଙ୍କ ଦ୍ୱାରା ସମ୍ବଲପୁରୀ ଲୋକସଙ୍ଗୀତ ଓ ଜନଜାତି ସଙ୍ଗୀତ ପରିବେଷଣ କରାଯାଇଥିଲା । ଲୋକସମ୍ପର୍କ ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପ ନିର୍ଦ୍ଦେଶକ ଶ୍ରୀମତୀ ଦିପ୍ତିମୟୀ ମହାପାତ୍ର, ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ, ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

-0-

 ସରୋଜ କୁମାର ଶତପଥୀ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *