କେନ୍ଦ୍ରାପଡ଼ା,୦୪/୦୫/୨୦୨୫(ଓଡ଼ିଶା ସମାଚାର)- ବାଲିଖାଦାନକୁ କେନ୍ଦ୍ରକରି ଦୁଇଗୋଷ୍ଠି ମଧ୍ୟରେ ବଚସା ହେବାରୁ ଗୋଟିଏ ପକ୍ଷ ଅପରପକ୍ଷର ଜଣେ ଯୁବକଙ୍କୁ ଗୁଳିମାଡ଼ କରିଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଇନ୍ଦାଳୋ ପଂଚାୟତର ବାଲିସାହି ଗ୍ରାମ ନିକଟସ୍ଥ ଲୁଣା-କରାଣ୍ଡିଆ ନଦୀ ପଠାରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ର ଶିକାର ଯୁବକ ଜଣକ ହେଉଛନ୍ତି ଗରଦପୁର ବ୍ଲକ କୁଦାନଗରୀ ଥାନା ଅନ୍ତର୍ଗତ ଭାରୀଗୋଳ(ବେତରା) ଗ୍ରାମର ଗୌତମ ମଲ୍ଲିକ । ଗୌତମଙ୍କ ବାମ ଜଂଘରେ ଗୁଳି ବାଜିଛି ।
ମିଳିଥିବା ସୂଚନା ଅନୁଯାୟୀ ଗୌତମ ଏକ ସ୍କୁଟିରେ ଚାନ୍ଦୋଳ ବଜାରକୁ କୌଣସି କାର୍ଯ୍ୟରେ ଯାଉଥିଲେ । ତାଙ୍କୁ ୩ ଜଣ ଯୁବକ ଦୁଇଟି ବାଇକରେ ଅନୁସରଣ କରିଥିଲେ । ଯୁବକମାନେ ଗୌତମଙ୍କୁ ବାଲି ପଠାରେ ଅଟକାଇଥିଲେ । କୌଣସି କଥାକୁ ନେଇ ଗୌତମଙ୍କର ଅନ୍ୟ ଯୁବକମାନଙ୍କ ସହ ବଚସା ହୋଇଥିଲା । ଫଳରେ ଜଣେ ଯୁବକ ପାଖରେ ଥିବା ଏକ ବନ୍ଧୁକରୁ ଗୌତମଙ୍କ ଉପରକୁ ଗୁଳି ଚଳାଇଥିଲେ । ବନ୍ଧୁକ ବାହାର କରିବା ଦେଖି ଗୌତମ ଦୌଡୁଥିବା ବେଳେ ତାଙ୍କ ବାମ ଜଂଘରେ ଏକ ଗୁଳି ବାଜିିଥିଲା । ଫଳରେ ସେ ଗୁରୁତର ହୋଇ ନଦୀ ପଠାରେ ପଡି ଯାଇଥିଲେ । ଗୁଳିମାଡ଼ କରି ଅପରାଧୀମାନେ ସେଠାରୁ ଫେରାର ହୋଇ ଯାଇଥିଲେ ।
ସ୍ଥାନୀୟ ଲୋକେ ଏ ନେଇ ଚାନ୍ଦୋଳ ଫାଣ୍ଡି ଓ ସଦର ଥାନାକୁ ଖବର ଦେଇଥିଲେ । ଏଥିସହ ୧୦୮ ଆମ୍ବୁଲାନ୍ସକୁ ମଧ୍ୟ ଖବର ଦେଇଥିଲେ । ପ୍ରଥମେ ଚାନ୍ଦୋଳ ଫାଣ୍ଡି ପୋଲିସ ଓ ପରେ ସଦର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିଲେ । ଏଥିସହ ଗୁଳିମାଡ଼ର ଶିକାର ଯୁବକଙ୍କୁ କେନ୍ଦ୍ରାପଡ଼ା ଜିଲା ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତରଖାନାରେ ଯୁବକଙ୍କ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଦଦନ୍ତ ଚଳାଇଛି । ତେବେ କେଉଁ କାରଣରୁ ଗୁଳିମାଡ଼ ହେଲା ସେ ନେଇ ପୋଲିସ ମୁହଁ ଖୋଲିନାହିଁ ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ପୋଲିସ କହିଛି । ଗୁଳିମାଡ଼ କରିଥିବା ଅପରାଧୀମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ । ଘଟଣା ସ୍ଥଳରୁ ପୋଲିସ ଗୋଟିଏ ଖୋକା ଓ ଏକ ସ୍କୁଟି ଜବତ କରିଛି । ସଦର ଥାନାଧିକାରୀ ଶୁଭେନ୍ଦୁ ସାହୁଙ୍କ କହିବାନୁଯାୟୀ କୌଣସି ବିବାଦକୁ ନେଇ ଗୌତମଙ୍କ ସହ ଯୁବକମାନଙ୍କର ଝଗଡ଼ା ହୋଇଥିଲା । ଗୌତମ ରବିବାର ମଧ୍ୟାହ୍ଣରେ ଖାଦ୍ୟ ଆଣିବା ପାଇଁ ନଦୀ ପଠା ରାସ୍ତାଦେଇ ଚାନ୍ଦୋଳ ବଜାରକୁ ଯାଉଥିଲେ । ଏହି ସମୟରେ ୩ ଜଣ ଯୁବକ ଗୌତମଙ୍କୁ ଅନୁସରଣ କରିଥିଲେ । ଗୌତମ ଗାଡି ଅଟକିବା ପରେ କୌଣସି କଥାକୁ ନେଇ ବଚସା ହୋଇଥିଲୋ । ଏହାପରେ ଗୌତମଙ୍କୁ ସେମାନେ ଆକ୍ରମଣ କରିଥିଲେ । ସେ ଦୌଡିବା ବେଳେ ଅପରାଧୀମାନେ ତାଙ୍କୁ ଗୋଡାଇବା ସହ ଜଣେ ଅପରାଧୀ ତାଙ୍କ ଗୋଡ଼କୁ ଗୁଳିମାଡ଼ କରିଥିଲେ ।
ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଲୁଣା-କରାଣ୍ଡିଆ ନଦୀରୁ ବାଲି ଉଠାଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ଦୁଇ ଦିନ ତଳେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା । ଗୌତମ ବିପକ୍ଷ ଗୋଷ୍ଠୀର ଜଣେ ଯୁବକଙ୍କୁ ମାଡ଼ ମାରି ଗୁରୁତର କରିଥିଲେ । ତେଣୁ ପ୍ରତିଶୋଧ ନେବା ପାଇଁ ବିପକ୍ଷ ଗୋଷ୍ଠୀର ଯୁବକମାନେ ଗୌତମଙ୍କୁ ଗୁଳିମାଡ଼ କରିଥିବା ଅନୁମାନ କରାଯାଉଛି ।