ଡ୍ୟାମ ସୁରକ୍ଷା ସଂପର୍କିତ ପଦକ୍ଷେପଏବଂଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା
ବିଶ୍ୱବ୍ୟାଙ୍କ ଟିମ୍ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କ ବୈଠକ
ଭୁବନେଶ୍ୱର,୦୩/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ଡ. ରାଜଗୋପାଳ ସିଂହ (ଟାସ୍କଟିମ୍ ଲିଡର, ଡ୍ରିପ୍-୨), ଡ.ଅଜିତ ପଟ୍ଟନାୟକ (ସଂସ୍ଥାଗତ ବିଶେଷଜ୍ଞ)ଏବଂ ଶ୍ରୀ ବିଶାଖା ଝା (ଜଳସମ୍ପଦ ବିଶେଷଜ୍ଞ)ଙ୍କୁ ନେଇ ଗଠିତ ବିଶ୍ୱବ୍ୟାଙ୍କ ର ଏକଟିମ୍ ଓଡ଼ିଶାରେ ଡ୍ୟାମ ନିରାପତ୍ତା ନିମନ୍ତେ ନିଆଯାଇଥିବା ପଦକ୍ଷେପ ଓ ଭବିଷ୍ୟତ ରଣନୀତି ସମ୍ପର୍କରେ ଆଲୋଚନା କରିବାପାଇଁ ଆଜି ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହ ଏକ ବୈଠକରେ ଆଲୋଚନା କରିଥିଲେ ।
ବୈଠକରେ ଏହି ଟିମ ବିଶ୍ୱବ୍ୟାଙ୍କ ସହାୟତାରେ ଡ୍ୟାମ ପୁନର୍ବାସ ଓ ଉନ୍ନତି ପ୍ରକଳ୍ପ (ଡ୍ରିପ୍)ଅଧୀନରେ ହୋଇଥିବା ଅଗ୍ରଗତି ର ସମୀକ୍ଷା କରିଥିଲେ। ଡ୍ରିପ୍ -୧ଅଧୀନରେ୨୬ଟି ଡ୍ୟାମ ସଫଳତାର ସହ ପୁନର୍ବାସ ହୋଇଥିବାବେଳେ ଡ୍ରିପ୍ -୨ଅଧୀନରେ୧୩ଟିଡ୍ୟାମ୍ ପାଇଁ ପୁନର୍ବାସ କାର୍ୟ୍ୟ ଜାରି ରହିଛି।ଉଭୟ ଡ୍ରିପ୍ -୧ଏବଂ ଡ୍ରିପ୍ -୨କାର୍ୟ୍ୟକାରୀ କରିବାରେ ଓଡ଼ିଶା ସରକାରଙ୍କ ପ୍ରଶଂସନୀୟ ପ୍ରଦର୍ଶନକୁ ବିଶ୍ୱବ୍ୟାଙ୍କ ଅଧିକାରୀମାନେ ପ୍ରଶଂସା କରିବାସହ ଡ୍ରିପ୍ -୩ର ପ୍ରଭାବଶାଳୀ କାର୍ୟ୍ୟକାରିତା ନେଇଆଶା ପ୍ରକାଶ କରିଛନ୍ତି ।ଆଗାମୀ ଡ୍ରିପ୍-୩ପର୍ୟ୍ୟାୟରେ ହୀରାକୁଦ ଡ୍ୟାମ ରେ ଅତିରିକ୍ତ ସ୍ପିଲ ୱେ ନିର୍ମାଣ ଓ ଏହାର ଗେଟ୍ ଅଟୋମେସନ ଭଳି ପ୍ରମୁଖ ଉପାଦାନ ରହିଛି।
ଏହି ପ୍ରକଳ୍ପ ଗୁଡ଼ିକରେ ରହିଥିବା ଡ୍ୟାମ୍ ଗୁଡ଼ିକର ସୁରକ୍ଷା, ପରିଚାଳନାଗତ କାର୍ୟ୍ୟଦକ୍ଷତା ଏବଂ ନିର୍ମାଣରେ ଉନ୍ନତି ଆଣିବା ପାଇଁ ସେଗୁଡ଼ିକର ମରାମତି, ରକ୍ଷଣା ବେକ୍ଷଣ ଆବଶ୍ୟକ ଗଠନଗତ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଭୁକ୍ତ । ଏଥିରେ ଡ୍ୟାମଗୁଡ଼ିକର କଂକ୍ରିଟ୍ ଖରାପ, ଭିତ୍ତିଭୂମି ସମସ୍ୟା ଏବଂ ସିପେଜ୍ ଭଳି ସମସ୍ୟାର ସମାଧାନ, ସାମ୍ପ୍ରତିକ ନିରାପତ୍ତା ମାନଦଣ୍ଡ ପୂରଣ କରିବା ପାଇଁ ଢାଞ୍ଚାଗତ ମରାମତି, ଉନ୍ନତ ତଦାରଖ ବ୍ୟବସ୍ଥା ଏବଂ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଇଛି ।
ରାଜ୍ୟର ୨୫ଟି ଡ୍ୟାମ ପାଇଁ ଜରୁରୀକାଳୀନ ଆକ୍ସନ ପ୍ଲାନ୍ (ଇଏପି)ପ୍ରସ୍ତୁତ କରିବାରେ ରାଜ୍ୟସରକାରଙ୍କ ପଦକ୍ଷେପକୁ ମଧ୍ୟ ଏହି ଟିମ ପ୍ରଶଂସାକରିଛି।ଏହି ଇଏପି ଗୁଡ଼ିକୁ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ପଦକ୍ଷେପ ସ୍ୱରୂପ ଏହି ସମନ୍ୱୟ ପ୍ରଥମେ ଗୋଟିଏ କିମ୍ବା ଦୁଇଟି ଜିଲ୍ଲାରେ ପରୀକ୍ଷାମୂଳକ ଭିତ୍ତିରେ କାର୍ୟ୍ୟକାରୀ ହେବ ଏବଂ ଏହାପରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସମ୍ପ୍ରସାରଣ କରାଯିବ। ଓଡ଼ିଶାର ଏହି ପଦକ୍ଷେପ ଦେଶର ଅନ୍ୟରାଜ୍ୟ ପାଇଁ ଏକ ମଡେଲ ହେବ ବୋଲି ଆଶା କରାଯାଉଛି।
ଏହାବ୍ୟତୀତ ବିଶ୍ୱବ୍ୟାଙ୍କପ୍ରତିନିଧିଦଳ ରାଜ୍ୟ ପାଣ୍ଠିରେ କାର୍ୟ୍ୟକାରୀ ହେଉଥିବା “ଡ୍ୟାମ ସୁରକ୍ଷା ଓ ଉନ୍ନତିକରଣ କାର୍ୟ୍ୟ (ଡିପିଆଇଡବ୍ଲୁ)”ଯୋଜନାର କାର୍ୟ୍ୟକାରିତାକୁ ପ୍ରଶଂସା କରିଛନ୍ତି, ଯେଉଁଥିରେ୨୦୦କୋଟି ଟଙ୍କାର ବଜେଟ ପ୍ରାବଧାନ ରହିଛି।ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ରାଜ୍ୟ ଭିତରେ ନଷ୍ଟ ହୋଇଯାଉଥିବା ଅନ୍ୟ ଡ୍ୟାମ୍ ଗୁଡ଼ିକର ପୁନରୁଦ୍ଧାର କରିବା, ଡ୍ୟାମ ର ସୁରକ୍ଷା ଏବଂ ସେଗୁଡ଼ିକର କାର୍ୟ୍ୟକ୍ଷମକୁ ଅଧିକ ସୁଦୃଢ଼ କରିବା।
-୦-
ପଠାଣିରାଉତ,ସୂଚନାଅଧିକାରୀ ଙ୍କ ସୌଜନ୍ୟରୁ
