ଭୁବନେଶ୍ୱର, ୦୧/୦୫/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବାର୍ଷିକ କାର୍ଯ୍ୟ ଯୋଜନା ଏବଂ ଶାସନ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ସେବା ପ୍ରଦାନରେ ବିଭିନ୍ନ ସ୍ତରରେ ବିଳମ୍ବିତ ହେଉଥିବା କାରଣକୁ ଅନୁଧ୍ୟାନ କରିବା, ପ୍ରକ୍ରିୟାକୁ ସହଜ ଓ ସରଳ କରି କିପରି ଜନସାଧାରଣଙ୍କୁ ଉଦ୍ଦିଷ୍ଟ ସେବା ଶୀଘ୍ର ପ୍ରଦାନ କରାଯାଇପାରିବ, ସେ ସମ୍ପର୍କରେ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା ।ବୈଠକରେ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ବୈଠକରେ୨୦୨୫-୨୬ଆର୍ଥିକ ବର୍ଷ ପାଇଁ ସ୍ଥାନୀୟ ଅଞ୍ଚଳ ଏବଂ ଆଞ୍ଚଳିକ ଉନ୍ନୟନ ଯୋଜନା ଯଥା ଏମପି ଲାଡ, ଏମଏଲଏ ଲାଡ, କେବିକେ ବିକାଶ ଯୋଜନା, କନ୍ଧମାଳ ଓ ଗଜପତି ବିକାଶ ଯୋଜନା ସମ୍ପର୍କରେ ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାର ସମୟସୀମା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି(ଡିଏମଏଫ)ର କାର୍ଯ୍ୟକାରିତା ପାଇଁ ତଦାରଖ ଓ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା ।
ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ କି କି ଅସୁବିଧା ପରିଲକ୍ଷିତ ହେଉଛି , ସେସବୁକୁ ଜାଣିବା ପାଇଁ ରଣନୀତି ଚିହ୍ନଟ କରିବା, ବ୍ୟବସ୍ଥାରୁ ଅନାବଶ୍ୟକତାକୁ ଦୂରକରି ଏହାକୁ ସରଳ କରିବା ଏବଂ ପରିଚାଳନାଗତ ଦକ୍ଷତା ବୃଦ୍ଧି କରି ପ୍ରଭାବଶାଳୀ ଶାସନ ଉପରେ ଅଧିକାରୀମାନେ ଆଲୋଚନା କରିଥିଲେ ।
ଏହି ବୈଠକର ଫଳାଫଳ ରାଜ୍ୟର ଯୋଜନା ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣିବା ଦିଗରେ ପଥ ଉନ୍ମୁକ୍ତ କରିବା ସହିତ ସମନ୍ନୟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବ ବୋଲି ଆଶା କରାଯାଉଛି ।
-0-
ପଠାଣି ରାଉତ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ
