ଖଜୁରିଆକଟା ୨୭ /୦୪/୨୦୨୫ (ଓଡ଼ିଶା ସମାଚାର)- ଗରିବ ଲୋକଙ୍କ ପାଖରେ ହାତ ପାହନ୍ତାରେ ଖାଉଟି ସାମଗ୍ରୀ ପହଞ୍ଚାଇବା ସହ ସଧାରଣ ଲୋକଟିଏ ଯେମିତି ଭୋକ ଉପାସରେ ନରହିବ ସେନେଇ ସରକାର ପ୍ରତିଶ୍ରୁତିବଦ୍ଧ । ପରିବାର ପ୍ରତି ସଦସ୍ୟଙ୍କୁ ମାସକୁ ପାଞ୍ଚକେଜି ଚାଉଳ ଓ ଅନ୍ତୋଦୟ ଯୋଜନାରେ ପ୍ରତି ପରିବାରକୁ ମାସକୁ ୩୫ କେଜି ଚାଉଳ ସରକାର ପ୍ରତି ମାସରେ ଯୋଗାଇ ଦେଉଛନ୍ତି।
ରାସନ ସାମଗ୍ରୀ ପାଇଁ ହିନ୍ଦୋଳ ବ୍ଲକ ଉପଖଣ୍ଡ ଅସରଡ଼ା ପଞ୍ଚାୟତ ଅସରଡ଼ା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯ।ୟୀ ଗ୍ରାମର ସରସ୍ଵତୀ ଦେହୁରୀଙ୍କ ନାମରେ ୨୭ ବର୍ଷ ତଳେ ରାସନ ବିତରଣ କେନ୍ଦ୍ର ଥିବା ବେଳେ ଏହି ନିକଟରେ ଏହି କେନ୍ଦ୍ରରୁ ପାଉଥିବା ମୋଟ ୨୩୫ ଜଣ ହିତାଧିକାରୀଙ୍କୁ ନିକଟସ୍ଥ ଗ୍ରାମ ବାର୍ଶିଙ୍ଗା କୁ ଯାଇ ସେଠାରୁ ରାସନ ସାମଗ୍ରୀ ଆଣିବାକୁ ସ୍ପଷ୍ଟ ସୂଚନା ରହିଅଛି। ଫଳରେ ହିତାଧିକାରୀ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ଶୀଙ୍ଗା ଡିଲର ପଏଣ୍ଟ ଟି ବାର୍ଶୀଙ୍ଗା ଗ୍ରାମଠାରୁ ପାଖାପାଖି ୨କିମି ହୋଇଥିବା ବେଳେ ବରିଷ୍ଠ ନାଗରିକ ମାନେ ଏତେ ଦୂରରୁ ରାସନ ସାମଗ୍ରୀ ଆଣିବା କଷ୍ଟ କର ହୋଇ ପଡ଼ିବ ବୋଲି କହିଛନ୍ତି।
ଗ୍ରାମରେ ସାବିତ୍ରୀ ନାଏକ, କୋଇଲି ନାଏକ, ଜୁଆଣି ବେହେରା ଙ୍କ ଭଳି କେତେକ ଦିବ୍ୟାଙ୍ଗ ଥିବାବେଳେ ଆଉ କେତେକ ଛୋଟ ପରିବାରରେ କମ୍ ସଦସ୍ୟ ଥିବାବେଳେ ରାସନ ସାମଗ୍ରୀର ମୂଲ୍ୟ ଠାରୁ ଅଟୋ ଭଡା ଅଧିକା ହୋଇଯିବ। ସେହିଭଳି ଅସରଡ଼ା ରୁ ବାର୍ଶିଙ୍ଗା କୁ ଯିବାକୁ ହେଲେ ଛୋଟ ଜଙ୍ଗଲ ଟିଏ ପଡୁଥିବାରୁ ଏଠାରେ ହାତୀ ଭୟ ରହିଛି। ଏ ସମସ୍ତ ସମସ୍ୟାକୁ ନେଇ ଚଳିତ ମାସରେ ହିତାଧିକାରୀ ମାନେ ବାର୍ଶିଙ୍ଗା ଡିଲର ପଏଣ୍ଟରୁ ରାସନ ସାମଗ୍ରୀ ଗ୍ରହଣ କରି ନାହାନ୍ତି।
ଅସରଡ଼ା ଗ୍ରାମର କୁନି ନାଏକ, ସାବିତ୍ରୀ ନାଏକ, ଚନ୍ଦ୍ରମଣି ନାଏକ, ବନ ବେହେରା, ଦିଗାମ୍ବର ସାହୁ, ପ୍ରମିଳା ନାଏକ , ରବି ନାଏକ, ଗୁରୁବାରି ନାଏକ, ଅଭିରାମ ନାଏକ, କୋଇଲି ନାଏକ, ଜୁଆଣି ବେହେରା ପ୍ରମୁଖ କୁହନ୍ତି ଭୋକ ଉପବାସରେ ରହିବୁ ପଛେ ଏତେ ଦୂର ଯାଇ ରାସନ ସାମଗ୍ରୀ ଆଣିବା ଆମ ପକ୍ଷେ ସମ୍ଭବପର ନୁହଁ। ଏ ସମସ୍ୟା ନେଇ ହିତାଧିକାରୀ ମାନେ ହିନ୍ଦୋଳ ଉପଜିଲ୍ଲାପାଳ, ହିନ୍ଦୋଳ ବିଡ଼ିଓ, ଓ ଯୋଗାଣ ଅଧିକାରୀ ହିନ୍ଦୋଳଙ୍କୁ ଲିଖିତ ଭାବେ ଜଣାଇ ଥିବା କହିଛନ୍ତି। ଏ ନେଇ ଉପଜିଲ୍ଲାପାଳ,ବିଡ଼ିଓ ଓ ଯୋଗାଣ ବିଭାଗ ଅଧିକାରୀ ଙ୍କ ମତାମତ ମିଳି ନାହିଁ ।
