ବିଶ୍ୱ ପରିବେଶ ଦିବସରେ ବିଶିଷ୍ଟ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟକରଙ୍କୁ ପ୍ରଶାସନ ଦ୍ୱାରା ଅଟକ ଘଟଣାକୁ ନେଇ ଗାନ୍ଧୀବାଦୀ ଗଣ ସଙ୍ଗଠନ ସମୁହର ନିନ୍ଦା

ଭୁବନେଶ୍ୱର,୦୫/୦୬/୨୦୨୫ (ଓଡ଼ିଶା ସମାଚାର)-  ବିଶ୍ୱ ପରିବେଶ ଦିବସ ଅବସରରେ ରାୟଗଡ଼ା ଜିଲ୍ଲାର କାଶୀପୁର ଅଞ୍ଚଳରେ ଆୟୋଜିତ ପରିବେଶ ସୁରକ୍ଷା ସମାବେଶରେ ଯୋଗଦେବା ପାଇଁ ଆସିଥିବା ବିଶିଷ୍ଟ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟେକର, କୃଷକ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ କର୍ମୀ ନରେନ୍ଦ୍ର ମହାନ୍ତି ଓ ସାମାଜିକ କର୍ମୀ ହର ବଣିଆଙ୍କୁ ରାୟଗଡ଼ା ଷ୍ଟେସନରେ ଅଟକ କରି ସଭାକୁ ଯିବାରୁ ଅଟକ ରଖି ସେମାନଙ୍କୁ ବ୍ରହ୍ମପୁରକୁ ଫେରାଇ ଦିଆଯିବା ଘଟଣା ଗଭୀର ଭାବେ ଲୋକତନ୍ତ୍ର ବିରୋଧୀ ଏବଂ ଗଣତନ୍ତ୍ର ଉପରେ ଆକ୍ରମଣ। ଏହା ଅଭିବ୍ୟକ୍ତିର ସ୍ୱାଧୀନତା, ଆନ୍ଦୋଳନର ଅଧିକାର ଓ ପରିବେଶ-ଆଦିବାସୀ ଅଧିକାର ପ୍ରତି ଚାପ ଓ ଦମନ ରାଜନୀତିର ଏକ ନଗ୍ନ ଉଦାହରଣ।

ଏହି ଘଟଣା ସ୍ପଷ୍ଟ କରେ ଯେ, ଆଦାନୀ-ବେଦାନ୍ତ ଭଳି କର୍ପୋରେଟ୍ ଶକ୍ତିମାନଙ୍କ ପାଇଁ ସରକାର ଦଲାଲି କରୁଥିବା ବେଳେ, ଆଦିବାସୀଙ୍କ ଜମି ଖାଲି କରିବା ପାଇଁ ଏବଂ ସେମାନଙ୍କ ସ୍ୱରକୁ ଦମନ କରିବା ପାଇଁ ନିୟୋଜିତ ହୋଇଛି। ବିଜେପିର ଡବଲ ଇଞ୍ଜିନ ସରକାର ଆଜି ପରିବେଶ ସୁରକ୍ଷାକାରୀ ଓ ଜନ ଆନ୍ଦୋଳନକାରୀଙ୍କୁ ଦମନ କରି ଲୋକତନ୍ତ୍ରର ମୂଳ ଅର୍ଥକୁ ଧ୍ୱଂସ କରୁଛନ୍ତି। ମେଧା ପାଟେକର ବର୍ଷ ବର୍ଷ ଧରି ଜଳ, ଜମି, ଜଙ୍ଗଲ ଓ ଆଦିବାସୀ ଅସ୍ତିତ୍ୱ ପାଇଁ ଲଢୁଛନ୍ତି, ତାଙ୍କୁ ଏଭଳି ଅମାନବୀୟ ଏବଂ ଅସାମ୍ବିଧାନିକ ଭାବେ ବ୍ୟବହାର କରିବା ତଥା ଏକ ଗଣ ଆନ୍ଦୋଳନରେ ଯୋଗଦେବା ଅଧିକାରରୁ ବଞ୍ଚିତ କରିବା ଭାରତୀୟ ଗଣତନ୍ତ୍ର ଉପରେ ଅପମାନଜନକ ଆକ୍ରମଣ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲା ପ୍ରଶାସନ ଅଗଣତାନ୍ତ୍ରିକ ଭାବରେ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ମେଧା ପାଟେକର, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଚାଷୀ ନେତା ଲିଙ୍ଗରାଜ ଆଦି କୋଡ଼ିଏ ଜଣ ପରିବେଶ କର୍ମୀଙ୍କୁ ଜିଲ୍ଲାରେ ପ୍ରବେଶକୁ ନିଷେଧ କରିଥିବା ଘଟଣା  ଦେଶରେ ଏକଛତ୍ରବାଦର ପଦଚିହ୍ନକୁ ପ୍ରମାଣିତ କରୁଛି।ଉତ୍କଳ ଗାନ୍ଧୀ ସ୍ମାରକ ନିଧି,ରାଷ୍ଟ୍ରୀୟ ଯୁବା ସଙ୍ଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ସର୍ବୋଦୟ ମଣ୍ଡଳ ଓ ଲୋହିଆ ଏକାଡେମୀ ଭଳି ଗାନ୍ଧୀବାଦୀ ଗଣ ସଙ୍ଗଠନ ସମୁହଙ୍କ ପକ୍ଷରୁ ଶ୍ରୀମତୀ କୃଷ୍ଣା ମହାନ୍ତି, ଡଃ ବିଶ୍ଵଜିତ୍, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଦେବପ୍ରସାଦ ରାୟ, ମିହିର ପ୍ରତାପ ଦାସ, ଅନ୍ତର୍ଯ୍ୟାମୀ ବରାଳ, ଗୌରାଙ୍ଗ ମହାପାତ୍ର, ଜୟନ୍ତ କୁମାର ଦାସ, ବିରୁପାକ୍ଷ ତ୍ରିପାଠୀ, ଆର୍ଯ୍ୟଭଟ୍ଟ ମହାନ୍ତି, କବୀର ଜେନା, ଅନିମା ରାୟ, ସୂର୍ଯ୍ୟ ନାରାୟଣ ନାଥ, ଆଦ୍ୟଶ୍ଳୋକ ମିଶ୍ର ଓ ମାନସ ପଟ୍ଟନାୟକ ପ୍ରମୁଖ ପ୍ରେସ ବିଜ୍ଞପ୍ତି ଯୋଗେଏହି ଅନ୍ୟାୟ ଘଟଣା ପ୍ରତି ଘୋର ନିନ୍ଦା ବ୍ୟକ୍ତ କରିବା ସହ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଏହି ଘଟଣାର ନିରପେକ୍ଷ ଅନୁସନ୍ଧାନ ସହ ଦାୟୀଙ୍କୁ ଦଣ୍ଡିତ କରିବା, ଆନ୍ଦୋଳନକାରୀଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *