ସାଇବର ନିୟମ ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ

ତିର୍ତ୍ତୋଲ,୨୩/୦୪/୨୦୨୫ (ଓଡ଼ିଶା ସମାଚାର)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆଦିକବି ସରଲା ଦାସ ସ୍ନାତକ ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସାଇବର ନିୟମ ଓ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମମତା ରାଉତ, ସାମାଜିକବିଜ୍ଞାନ ବିଭାଗର ମୁଖ୍ୟ ମନୋଜ କୁମାର ସ୍ଵାଇଁ, ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଦୀପକ କୁମାର ସିଂ, ରସାୟନ ବିଜ୍ଞାନ ଅଧ୍ୟାପକ ସରୋଜ କୁମାର ଶାନ୍ତି, ରାଜନୀତି ବିଜ୍ଞାନ ଅଧ୍ୟାପକ ଦୀପକ କୁମାର ରାଉତ, ପାରା ଲିଗାଲ ସ୍ଵେଚ୍ଛାସେବୀ କବିତା ସେଠୀ, ଜିଲ୍ଲା ପୁଲିସର ସାଇବର ବିଶେଷଜ୍ଞ ଶୁଭ୍ରଜିତ ଦାସ, ମଧୁ ସୂଦନ ସାହୁ, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମତୀ ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସାଇବର ଆଇନ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଯାହା ଦ୍ୱାରା ସମସ୍ତ ପ୍ରକାରର ସାଇବର ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ। ଏହି ଆଇନରେ ଡିଜିଟାଲ କ୍ଷେତ୍ର ସହିତ ଜଡିତ ବିଭିନ୍ନ ଆଇନଗତ ସମସ୍ୟା ଯେପରିକି ସାଇବର ଅପରାଧ, ଇ-କମର୍ସ, ତଥ୍ୟ ଗୋପନୀୟତା ଏବଂ କୃତ୍ରିମ ବୁଦ୍ଧିମତା ଅନ୍ତର୍ଭୁକ୍ତ । ସାମାଜିକ ଗଣମାଧ୍ୟମ ଯଥା ଫେସବୁକ, ୱାଟସଅପ୍, ଇନଷ୍ଟାଗ୍ରାମ, ଏକ୍ସ ଇତ୍ୟାଦି କିପରି ସୁରକ୍ଷିତ ଭାବେ ବ୍ୟବହାର କରିହେବ ଏହି ବିଷୟରେ ସଚିବ ସଚେତନ କରିଥିଲେ ।

ଏହା ସହ ଅତିତରେ ଘଟିଥିବା କିଛି ସାଇବର ଅପରାଧ ବିଷୟରେ ଆଲୋଚନା କରି ସାଇବର ମାମାଳା ଅଦାଲତରେ କିପରି ପରିଚାଳନା କରାଯାଏ ଏବଂ ସାଇବର ଅପରାଧୀଙ୍କ ପାଇଁ ଥିବା ଦଣ୍ଡ ବିଧାନ ସମ୍ପର୍କରେ ମଧ୍ୟ ସଚିବ ଆଲୋଚନା କରିଥିଲେ ।

ସାଇବର ବିଶେଷଜ୍ଞ ଶ୍ରୀ ଦାସ ଓ ଶ୍ରୀ ସାହୁ କହିଥିଲେ ଯେ ସାଇବର ଆଇନ ଅନୁଯାଇ ବିଭିନ୍ନ ପ୍ରକାରର ସାଇବର ଠକେଇ ଅନ୍ତର୍ଭୁକତ । ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମର ବ୍ୟବହାର ଏକ ଧାରାରେ ପରିଣତ ହୋଇଯାଇଛି । ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରିବା ସମୟରେ  ସୁରକ୍ଷା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ନିଜର ବ୍ୟକ୍ତିଗତ ତଥ୍ୟ କୌଣସି ଅଜଣା ବ୍ୟକ୍ତିଙ୍କୁ ଅନଲାଇନ ମାଧ୍ୟମରେ ନଜଣାଇବା ଓ ସାମାଜିକ ଗଣମାଧ୍ୟମରେ ଯୋଗାଯୋଗ ନମ୍ବର, ଠିକଣା, ଜନ୍ମ ତାରିଖ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଇତ୍ୟାଦି ପୋଷ୍ଟ କରିବା ଅନୁଚିତ ।

ପ୍ରତେକ ସମୟରେ ଜଟିଳ ପାସୱାର୍ଡ ଦେବା ଓ ସାର୍ବଜନୀନ ସ୍ଥାନରେ ଦିଆଯାଇଥିବା ନିଶୁଳ୍କ ୱାଇ- ଫାଇ ସେବା ବ୍ୟବହାର କରିବା ସମୟରେ କୌଣସି ବ୍ୟାଙ୍କିଙ୍ଗ କାର୍ଯ୍ୟ ନକରିବା ଉଚିତ । ଅଜଣା ନୁମ୍ବରରୁ ଲୋନ, ଲଟେରୀ, ଚାକିରି ଏବଂ ପୁରସ୍କାର ସମ୍ବନ୍ଧୀୟ ମେସେଜ ବା ଫୋନ କଲ୍ ଆସୁଥିଲେ ତାକୁ ଅନାଦେଖା କରିବା । ଏଟିଏମ ନମ୍ବର, ପିନ, ଜନ୍ମ ତାରିଖ ଇତ୍ୟାଦି ଫୋନ ମାଧ୍ୟମରେ କାହାକୁ ନଦେବା ଏବଂ ଅନଲାଇନ ଗେମ୍ ମାଧ୍ୟମରେ ଟଙ୍କା ନିବେଶ କରିବା ଅନୁଚିତ ।

ଯଦି ସାମାଜିକ ଗଣମାଧ୍ୟମରେ କିଛି ଅସାମାଜିକ ଯୁବତୀ ଭିଡିଓ କଲ କରନ୍ତି ଏବଂ ସେମାନଙ୍କର ନଗ୍ନ ଫଟୋ ଦେଖାଇ ଟଙ୍କା ମାଗନ୍ତି। ତେବେ ତୁରନ୍ତ ଥାନାରେ ଜଣାଇବା ଉଚିତ । କିଛି ସାଇବର ଲୁଟେରା ପୁଲିସ, କଷ୍ଟମ କିମ୍ବା ସିବିଆଇ ଅଧିକାରୀ ଭାବେ ନିଜକୁ ପରିଚୟ ଦେଇ ଅନଲାଇନ ଭିଡିଓ କଲ ବା ମେସେଜ ମାଧ୍ୟମରେ “ଡିଜିଟାଲ ଆରେସ୍ଟ” ପରି ଶବ୍ଦ ବ୍ୟବହାର କରି ଟଙ୍କା ମାଗନ୍ତି ତାହାହେଲେ ବିଚଳିତ ନହୋଇ ନିକଟସ୍ଥ ଥାନାରେ ତୁରନ୍ତ ରିପୋଟ କରିବାପାଇଁ ସାଇବର ବିଶେଷଜ୍ଞ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ସାମାଜିକବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *