- ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ଏବଂ ସରକାରରେ ତ୍ୱରିତ ନିଷ୍ପତ୍ତି ନେବାରେ ଏହା ସହାୟକ ହେବ।
- ପ୍ରଥମେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ କ୍ଷେତ୍ର ପରିଦର୍ଶନ କରିବାକୁ ପରାମର୍ଶ
- ଏହା ବିଭାଗଗୁଡ଼ିକୁ କ୍ଷେତ୍ର ସ୍ତରରେ ବାସ୍ତବତା ଜାଣିବା ସହିତ ଉନ୍ନତ ଶାସନ ପ୍ରକ୍ରିୟାରେ ସାହାଯ୍ୟ କରିବ ।
ଭୁବନେଶ୍ୱର,୨୨/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧିକାରୀ ମାନଙ୍କୁ ଯୋଜନା ଗୁଡ଼ିକର କାର୍ଯ୍ୟକାରିତା ଏବଂ ସରକାରରେ ତ୍ୱରିତ ନିଷ୍ପତ୍ତି ନେବା ସମ୍ପର୍କରେ ତୃଣ ମୂଳ ସ୍ତରେ ଜ୍ଞାନ ଆହରଣ ପାଇଁ ସେମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସଂପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବଶ୍ରୀ ଆହୁଜା ଆଜି ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ରାଜସ୍ୱ ଆୟୁକ୍ତ ଏବଂ ଜିଲ୍ଲାପାଳମାନଙ୍କୁ ପଠାଇଥିବା ଏକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କାର୍ଯ୍ୟାଳୟରେ ନଥି ବା ଫାଇଲ୍ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ସଂପୃକ୍ତ କ୍ଷେତ୍ରର ବାସ୍ତବତା ବିଷୟରେ ଅବଗତ ହେଲେ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଫଳପ୍ରଦ ଓ ତ୍ୱରାନ୍ୱିତ ହୋଇଥାଏ। କ୍ଷେତ୍ରସ୍ତରରେ କାର୍ଯ୍ୟକରୁଥିବା କର୍ମଚାରୀ ତଥା ନାଗରିକମାନେ କାର୍ଯ୍ୟ ନିର୍ବାହ ବେଳେ ସମ୍ମୁଖୀନ ହେଉଥିବା ବ୍ୟବହାରିକ ଅସୁବିଧାଗୁଡ଼ିକୁ ଠିକ୍ ଭାବରେ ବୁଝିବା ଏବଂ ଏହାର ପ୍ରତିକାର କରିବାର ଆବଶ୍ୟକତା ରହିଛି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ,ନୀତି ଓ ନିଷ୍ପତ୍ତିକୁ ବାସ୍ତବତା ସହ ଅଧିକ ସମନ୍ୱିତ କରିବାପାଇଁ କାର୍ଯ୍ୟାଳୟରେ ସହକାରୀ ଉପ ବିଭାଗ ଅଧିକାରୀ(ଏଏସଓ) ଏବଂ ଉପ ବିଭାଗ ଅଧିକାରୀ(ଏସଓ)ମାନଙ୍କ ଠାରୁ ଆରମ୍ଭ କରି ସମସ୍ତ ଅଧିକାରୀଙ୍କ ପାଇଁ ଏକ ଯୋଜନା ବା କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଉଚିତ।
ଯେଉଁମାନେ ସାଧାରଣରେ କ୍ଷେତ୍ର ପରିଦର୍ଶନ କରୁନାହାଁନ୍ତି, ସେହିମାନଙ୍କ ପାଇଁ ଏହି କ୍ଷେତ୍ର ପରିଦର୍ଶନ ପ୍ରଯୁଯ୍ୟ ହେବ ।ଏହି ଗସ୍ତ ସମୟରେ ସେମାନେ ତୃଣମୂଳ ସ୍ତରରେ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଗୋଟିଏ ଦିନର କାର୍ଯ୍ୟ ଉପରେ ଦୃଷ୍ଟିଦେବା ସହ ସମ୍ପୃକ୍ତ ବିଭାଗ ସହ ଜଡ଼ିତ ଯୋଜନା, କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ନଜର ଦେବେ ।ଉଦାହରଣ ସ୍ୱରୂପ, ମହିଳା ଓ ଶିଶୁ ବିକାଶ ବିଭାଗର କର୍ମଚାରୀ ଏକ ଅଙ୍ଗନଓ୍ୱାଡି କେନ୍ଦ୍ରକୁ ଏକଦିନ ପରିଦର୍ଶନ କରି, ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଦିନସାରା ବିସ୍ତୃତ ଭାବରେ ଅନୁଧ୍ୟାନ ଏବଂ ଅନୁସରଣ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇପାରନ୍ତି ।
ସେହିପରି ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (ଏନଆରଏଚଏମ)ଅଧୀନରେ ସ୍ୱୀକୃତି ପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟକର୍ମୀ (ଆଶା)ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଧିକାରୀମାନେ ନିରୀକ୍ଷଣ କରିବା ଉଚିତ।ଗସ୍ତ ସ୍ଥାନରେ ରାତ୍ର ରହଣି ପାଇଁ ଅଧିକାରୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।
ମୁଖ୍ୟ ଶାସନସଚି ବମନ୍ତବ୍ୟ ଦେଇଛନ୍ତି ଯେ, ଏହି କାର୍ଯ୍ୟର ଉଦ୍ଦେଶ୍ୟ କ୍ଷେତ୍ର କର୍ମକର୍ତ୍ତା ମାନଙ୍କ କାର୍ଯ୍ୟ ସମୀକ୍ଷା କରିବା ବା ସେମାନଙ୍କୁ ନିର୍ଦ୍ଦେଶ ଦେବା ନୁହେଁ।କ୍ଷେତ୍ର ସ୍ତରୀୟ କର୍ମଚାରୀଙ୍କ କାର୍ଯ୍ୟକୁ ଭଲ ଭାବରେ ଅନୁଧ୍ୟାନ କରିବା ସହିତ ନାଗରିକଙ୍କ ଉପରେ ତାଙ୍କ କାର୍ଯ୍ୟର କିପରି ସୁଫଳ ମିଳୁଛି, ଏହା ବିଷୟରେ ଅଧିକ ଜାଣିବା ଏବଂ ସେହି ସ୍ତରରେ ରହୁଥିବା ସମସ୍ୟା ଏବଂ ଉତ୍ତମ ଅଭ୍ୟାସକୁ ବୁଝିବା ସହ କ୍ଷେତ୍ର ପରିଦର୍ଶନରୁ ଫେରିବା ପରେ ସେମାନେ ଦେଖିଥିବା ପ୍ରକଳ୍ପ, କାର୍ଯ୍ୟକ୍ରମ ତଥା ଯୋଜନାର କାର୍ଯ୍ୟକାରିତା ରେ ଉନ୍ନତି ଆଣିବା ପାଇଁ ସମ୍ପୃକ୍ତ ବିଭାଗର ସଚିବଙ୍କ ନିକଟରେ ଅତିକମରେ ଗୋଟିଏ ପ୍ରସ୍ତାବ ବା ଧାରଣା ଦାଖଲ କରିବେ।
ବିଭାଗ ଗୁଡିକ ଏଭଳି ଧାରଣା ତଥା ସୁପାରିଶକୁ ଏକତ୍ରିତ କରି ସେସବୁର ଯାଞ୍ଚ କରିବେ ଏବଂ ପ୍ରଚଳିତ ପ୍ରକ୍ରିୟା ପ୍ରବାହ, ନୀତି, ମାର୍ଗଦର୍ଶିକା ଇତ୍ୟାଦିରେ ସଂଶୋଧନ କରି ଏହାକୁ କାର୍ଯ୍ୟରେ ରୂପାୟିତ କରିବେ, ଯାହାଦ୍ୱାରା ଲୋକଙ୍କୁ ଉତ୍ତମ ସେବା ପ୍ରଦାନରେ ସହାୟକ ହେବ। ଏହି କ୍ଷେତ୍ର ପରିଦର୍ଶନ ସଂପର୍କିତ ତଥ୍ୟକୁ ବିଭିନ୍ନ ସମୟରେ ହେଉଥିବା ସଚିବ ସ୍ତରୀୟ ବୈଠକରେ ଉପସ୍ଥାପନା କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ଚଳିତ ମାସରୁ ପ୍ରଥମେ ଆକାଂକ୍ଷୀ ଜିଲ୍ଲାମାନଙ୍କୁ ଏହି କ୍ଷେତ୍ର ପରିଦର୍ଶନରେ ଯିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ଏହି ବ୍ୟବସ୍ଥା ଫଳରେ ବିଭାଗଗୁଡ଼ିକରେ ଫାଇଲ ବା ନଥିରେ ବାସ୍ତବ ନିଷ୍ପତ୍ତି ନିଆଯିବା ସହ ଏହା ଉନ୍ନତ ଶାସନ ବ୍ୟବସ୍ଥାରେ ଅଧିକ ସହାୟକ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ ଆଶା ପ୍ରକାଶ କରିଛନ୍ତି ।
-0-
ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
