ଦୂର୍ଘଟଣା ଜନିତ ଶୂନ୍ୟମୃତ୍ୟୁ ସପ୍ତାହ ପାଳନ

କେନ୍ଦ୍ରାପଡ଼ା, ୩୦/୧୧/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବଙ୍କ ପତ୍ର ସଂଖ୍ୟା ୧୩୫୩୭ ତା ୨୨/୧୧ /୨୦୨୩ରିଖ ଅନୁଯାୟୀ ସମଗ୍ର ରାଜ୍ୟ ତଥା ଆମ ଜିଲା କେନ୍ଦ୍ରାପଡ଼ାରେ ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଦୁର୍ଘଟଣାଜନିତ ‘ଶୂନ୍ୟମୃତ୍ୟୁ ସପ୍ତାହ ପାଳନ’ କରାଯିବ । ଏହି ଅବସରରେ ଜିଲାର ସମସ୍ତ ଜନସାଧାରଣ ଓ ବୁଦ୍ଧିଜୀବୀଙ୍କୁ ଜିଲା ପ୍ରଶାସନ ତଥା ପରିବହନ ବିଭାଗ ପକ୍ଷରୁ ଗାଡ଼ି ଚାଳନା ସମୟରେ ସଡ଼କ ସୁରକ୍ଷା ନିମନ୍ତେ ବ୍ୟବସ୍ଥିତ ନିୟମର ନିଶ୍ଚିତ ପାଳନ ପାଇଁ ନିବେଦନ କରାଯାଇଛି । ସର୍ବେକ୍ଷଣରୁ ଜଣାଯାଇଛି ଯେ, ସମଗ୍ର ଦେଶରେ ବାର୍ଷିକ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧.୫୦ ଲକ୍ଷ ଥିବା ବେଳେ ଆମ ରାଜ୍ୟରେ ଏହାର ସଂଖ୍ୟା ୫ ହଜାର ରହିଛି । ଏହି ମୃତ୍ୟୁ ସଂଖ୍ୟା ହାରକୁ କମାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗର ସହଯୋଗକ୍ରମେ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ଅବସରରେ ବିଭିନ୍ନ ବିଭାଗର ସହଯୋଗ ଓ ଜନସାଧାରଣଙ୍କ ସଚେତନତା ଯୋଗୁଁ ମୃତ୍ୟୁହାର ୪୦ ପ୍ରତିଶତରୁ ୨୮.୬ ପ୍ରତିଶତକୁ ହ୍ରାସ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ଏଣୁ ଜନସାଧାରଣ, ଗାଡ଼ିଚାଳକ, ଗାଡ଼ିମାଲିକମାନଙ୍କୁ ଗାଡ଼ି ଚାଳନା ସମୟରେ ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ ପୂର୍ବକ ୨ ଚକିଆ ଯାନ ଚଳାଇବା ବେଳେ ଯାନରେ ୨ ଜଣରୁ ଅଧିକ ନବସାଇବା ସହ ଚାଳକ ଓ ଆରୋହୀ ହେଲମେଟ୍ ପରିଧାନ କରିବା, ବିନା ଡ୍ରାଇଭିଙ୍ଗ୍ ଲାଇସେନ୍ସରେ ଗାଡ଼ି ଚଳାଇବା, ମଦ୍ୟପାନ ବା ନିଶାସକ୍ତ ଅବସ୍ଥାରେ ଗାଡ଼ି ନଚଳାଇବା ପାଇଁ ଅନୁରୋଧ କରାଯାଇଛି । ଡ୍ରାଇଭିଙ୍ଗ୍ ଲାଇସେନ୍ସ ବିନା ଗାଡ଼ି ଚଳାଇବା ଓ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ପାଇଁ ଯଥାକ୍ରମେ ୫ହଜାର ଓ ୧୦ହଜାର ଟଙ୍କା ଜୋରିମାନାର ବ୍ୟବସ୍ଥା ରହିଛି । ପୁନଶ୍ଚ ଗାଡ଼ି ଚାଳନା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା, ମାଲବାହି ଗାଡ଼ିରେ ଯାତ୍ରୀ ପରିବହନ ନକରିବା, ଧାର୍ଯ୍ୟ ଓଜନଠାରୁ ଅଧିକ ମାଲ୍ ପରିବହନ ନକରିବା, ଭାରି ଓ ହାଲୁକାଯାନ ଚଳାଇବା ବେଳେ ସିଟ ବେଲ୍ଟ ବ୍ୟବହାରକୁ ସୁନିଶ୍ଚିତ କରିବା ସହ ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡ଼ି ନଚଳାଇବା, ନିଷିଦ୍ଧ ସ୍ଥାନରେ ଗାଡ଼ି ପାର୍କିଂ କରିବା ନିୟମ ପାଳନ କରିବାକୁ ତାଗିଦ୍ କରାଯାଇଛି । ସମସ୍ତ ଅଭିଭାବକମାନଙ୍କୁ ନିବେଦନ କରାଯାଉଛି ଯେ, ୧୮ବର୍ଷରୁ କମ୍ ବୟସ୍କ ପୁଅ ଓ ଝିଅ ମାନଙ୍କୁ ସ୍କୁଲ୍ କଲେଜ୍ ଯିବା ସମୟରେ ଗାଡ଼ି ଚଳାଇବାକୁ ଅନୁମତି ଦିଅନ୍ତୁ ନାହିଁ । ନଚେତ୍ ଜୁଭେନାଇଲ୍ ନିୟମାନୁଯାୟୀ ୨୫ ହଜାର ଟଙ୍କା ଜୋରିମାନା ଓ ଗାଡ଼ି ଅଟକ ରଖିବା ସେଙ୍ଗ ଅଭିଭାବକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉପରୋକ୍ତ ସମସ୍ତ ନିୟମକୁ କଡ଼ାକଡ଼ିଭାବେ ପାଳନ କରି ଅମୂଲ୍ୟ ଜୀବନ ରକ୍ଷା କରନ୍ତୁ ଓ ‘ଶୂନ୍ୟମୃତ୍ୟୁ ସପ୍ତାହ ପାଳନ’ ସମୟରେ ମୃତ୍ୟୁ ସଂଖ୍ୟା ଶୂନ୍ୟ କରିବାକୁ ଜିଲା ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *