ଯୌତୁକ ନିର୍ଯ୍ୟାତନା ମାମଲାରେ ଦୋଷୀକୁ ସାଢେ ୩ବର୍ଷ ଜେଲଦଣ୍ଡାଦେଶ

କେନ୍ଦ୍ରାପଡ଼ା,୨୨/୦୪/୨୦୨୫(ଓଡ଼ିଶା ସମାଚାର)- ଏକ ଯୌତୁକ ଜନିତ ନିର୍ଯ୍ୟାତନା ମାମଲାର ବିଚାର କରି କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ କୋର୍ଟ ଜଜ ତ୍ରିବିକ୍ରମ କେଶରୀ ଚିନ୍ନାରା ଅଭିଯୁକ୍ତ ରାଜକନିକା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ଅଜୟ କୁମାର ନାଥକୁ ସାଢେ ତିନି ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ଦୋଷୀକୁ ୧୦ହଜାର ଟଙ୍କା ଜୋରିମାନାରେ  ଦଣ୍ଡିତ କରିଛନ୍ତି ।

ଜୋରିମାନା ଅନାଦେୟ ଦୋଷୀକୁ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲାର ରାଜକନିକା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ହରପ୍ରିୟା ନାଥ ସେହି ଗ୍ରାମର ଅଜୟ ନାଥଙ୍କୁ ଗତ ୨୦୧୭ ମସିହା ନଭେମ୍ବର ମାସ ୨୫ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଅଜୟ ହରପ୍ରିୟାଙ୍କ ଉପରେ ନିର୍ଯ୍ୟାତନା ଆରମ୍ଭ କରିଦେଇଥିଲେ ।

ଅଜୟଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ଥିବା ହରପ୍ରିୟା ଜାଣିବାକୁ ପାଇଥିଲେ । ସ୍ୱାମୀଙ୍କର ଏତାଦୃଶ କାର୍ଯ୍ୟକୁ ହରପ୍ରିୟା ବିରୋଧ କରିବାରୁ ତାଙ୍କ ଉପରେ ମାନସିକ ଓ ଶାରିରିକ ନିର୍ଯ୍ୟାତନା ଆରମ୍ଭ ହୋଇଯାଇଥିଲା । ଏଥିସହିତ ଅଜୟ ତା’ର ଜଣେ ସାଙ୍ଗକୁ ଘରକୁ ଡାକି ତା’ସହ ଅନୈତିକ ସମ୍ପର୍କ ରଖିବାକୁ ପତ୍ନୀ ହରପ୍ରିୟାକୁ ବାଧ୍ୟ କରିଥିଲେ । ଏନେଇ ହରପ୍ରିୟା ଆଇନର ଆଶ୍ରୟ ନେଇଥିଲେ । ଏହି ମାମଲାର ବିଚାର କରି କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ କୋର୍ଟ ଜଜ ଶ୍ରୀ ଚିନ୍ନାରା ଉପରୋକ୍ତ ରାୟ ଦେଇଛନ୍ତି । ଅଦାଲତରେ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *