ଢେଙ୍କାନାଳ, ୨୨/୦୪/୨୦୨୫ (ଓଡ଼ିଶା ସମାଚାର)- ଭାଗୀରଥି ସାଗର (ନୂଆ ପୋଖରୀ) ଭିତର ପାଖ ହୁଡାରେ ପକାଯାଇଥିବା ପଙ୍କ ମାଟି ସାତ ଦିନ ଭିତରେ ବାହାରକୁ ନିଷ୍କାସନ କରାଯିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଢେଙ୍କାନାଳ ପୋଖରୀ ସୁରକ୍ଷା ସମିତିର ସଦସ୍ୟମାନେ ସଭାପତି ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଛି । ପୋଖରୀ ସୁରକ୍ଷା ସମିତିର ସଦସ୍ୟମାନେ ୨୦୨୧ ମସିହାଠାରୁ ଏପର୍ୟ୍ୟନ୍ତ ପ୍ରାୟ ଦଶ ଥର ଜିଲ୍ଲାପାଳଙ୍କୁ ଲିଖିତ ଆବେଦନ ପ୍ରଦାନ କରିଆସୁଛନ୍ତି। ପ୍ରକାଶ ଥାଉକି ସୁପ୍ରିମ କୋର୍ଟ ଏବଂ ଜାତୀୟ ସବୁଜ ପ୍ରାଧିକରଣ (NGT) ଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅନୁଯାୟୀ, ସହରାଞ୍ଚଳରେ ଅବସ୍ଥିତ ଜଳାଶୟ ଗୁଡ଼ିକର ଜଳଧାରଣ କ୍ଷମତା କୌଣସି ପରିସ୍ଥିତିରେ କମାଯିବା ଉଚିତ୍ ନୁହେଁ।
ଗତ ୨୦୨୪ ମସିହା ଫେବ୍ରୁଆରୀ ମାସରେ ପୌରପାଳିକା ପ୍ରକୋଷ୍ଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା କ୍ଷ ଯେଉଁଥିରେ ରାଜ୍ୟ ସହରାଞ୍ଚଳ ବିକାଶ ପକ୍ଷରୁ ଦୁଇ ଜଣ ଅଧିକାରୀ, ଜିଲ୍ଲା ପ୍ରଶାସନ, ପୌରାଧ୍ୟକ୍ଷା, ଉପନଗରପାଳ, ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ, ଜିଲ୍ଲା ଓକିଲ ସଂଘ, ସାମ୍ବାଦିକ ସଂଘ, ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ, ମିଳିତ
ବଜାର ପୂଜା କମିଟି ଏବଂ ଅନେକ ସ୍ଥାନୀୟ ବୁଦ୍ଧିଜୀବୀ ଓ ପୌରପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ। ସେହି ବୈଠକରେ ଏକ ସଂଯୁକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ “ଭାଗୀରଥି ସାଗର” ରୁ ସମସ୍ତ ପଙ୍କମାଟି ବାହାରକୁ ଯିବ ଏବଂ ପୋଖରୀ ମଧ୍ୟରେ ପଙ୍କମାଟି ରଖାଯିବ ନାହିଁ। ପୌର ପ୍ରଶାସନ ପକ୍ଷରୁ ପୁନଃ ପଙ୍କମାଟିକୁ ପୋଖରୀ ଭିତର ପାଖରେ ଗଦା କରି ଆଉ ଗୋଟିଏ ହୁଡ଼ା କରାଯାଉ ଥିବାରୁ ଗତ ୧୨ଜୁଲାଇ ୨୦୨୪ ଦିନ ଢେଙ୍କାନାଳ ବନ୍ଦର ଆହ୍ୱାନ ଦିଆଯାଇଥିଲା।
ଏହାର ସମାଧାନ ପାଇଁ ୧୦ ଜୁଲାଇ ୨୦୨୪ ରେ ଜିଲ୍ଲା ପ୍ରଶାସନ ବୈଠକ ଡାକିଥିଲେ ଏବଂ ତାଲିକାଭୁକ୍ତ ଭାବରେ ପୁନଃ ଆଦେଶ ଜାରି କରିଥିଲେ ଯେ ୧୫ ଦିନ ମଧ୍ୟରେ ସମସ୍ତ ପଙ୍କମାଟି ପୋଖରୀରୁ ବାହାରକୁ ନିଆଯିବ କ୍ଷ ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ବିଷୟ ଯେ, ଏହି ସବୁ ନିଷ୍ପତ୍ତି ଓ ଆଦେଶକୁ ପାଳନ କରାଯାଇନାହିଁ ଏବଂ ଭାଗୀରଥି ସାଗର ପୋଖରୀର ଭିତର ପାଖରେ ୪୦ ରୁ ୫୦ ଫୁଟ ମାଟି ଗଦାଇ ଜଳଧାରଣ କ୍ଷମତାକୁ ହ୍ରାସ କରାଯାଉଛି ଓ ଏହାର ଆକାର ସଙ୍କୁଚିତ ହେଉଛି । ଯାହା ସହରବାସୀଙ୍କୁ ଭବିଷ୍ୟତରେ ବହୁ ପରିମାଣରେ ଜଳକଷ୍ଟ ଦେବ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମିତି ଅନୁରୋଧ କରିଛି ଯେ, ଆଗାମୀ ୭ ଦିନ ମଧ୍ୟରେ ପୋଖରୀ ମଧ୍ୟରେ ରହିଥିବା ସମସ୍ତ ପଙ୍କମାଟି ବାହାରକୁ ନେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ। ଅନ୍ୟଥା, ପୋଖରୀ ସୁରକ୍ଷା ସମିତି ବାଧ୍ୟ ହୋଇ ଏହି ଆନ୍ଦୋଳନକୁ ଅଧିକ ତୀବ୍ରତର କରିବାକୁ ବାଧ୍ୟ ହେବ। ଏହି ପୋଖରୀରେ ଜଳ ନଥିବା ହେତୁ ସହରର ଅନେକ କୂଅ ଶୁଖିଯାଇଛି।
ଢେଙ୍କାନାଳ ସହରର ଦିନକୁ ଦିନ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏବେଠାରୁ ଯଦି ପ୍ରସାଶନ ସଜାଗ ନହେବେ ଆଗାମୀ ବର୍ଷରେ ପୋଖରୀଗୁଡିକ ମଧ୍ୟ ଖରାଦିନେ ଶୁଖି ଯିବାର ଆଶଙ୍କା ରହିଛି। ତେଣୁ ସହର ମଧ୍ୟରେ ଥିବା ସମସ୍ତ ପୋଖରୀର ଜଳଧାରଣ କ୍ଷମତାକୁ ସଂଙ୍କୁଚିତ ନକରିବା ପାଇଁ ପୋଖରୀ ସୁରକ୍ଷା ସମିତି ପକ୍ଷରୁ ଦାବି ରଖାଯାଇଛି। ଏହି ଦାବିପତ୍ର ପ୍ରଦାନ କରିବା ସମୟରେ ଓକିଲ ସଂଘ ଉପସଭାପତି ଟଙ୍କଧର ବେହେରା, ଆଇନଜୀବୀ ନିର୍ମଳ ମିଶ୍ର, ପୌର ଉପାଧ୍ୟକ୍ଷ ପ୍ରକାଶ କୁଅଁର, ୪ନଂ ୱାର୍ଡ କାଉନସିଲର ଲିପିକା ଦାସ, ୬ନଂ ୱାର୍ଡ କାଉନସିଲର ସନ୍ଦୀପ ଷଡ଼ଙ୍ଗୀ, ୧୨ ୱାର୍ଡ କାଉନସିଲର ଶୁଭଲକ୍ଷ୍ମୀ ସାହୁ, ପୋଖରୀ ସୁରକ୍ଷା ସମିତି ଆବାହକ ପ୍ରଶାନ୍ତ ମିଶ୍ର, ଭରତ କୁମାର ଦାସ, ସମ୍ପାଦକ ଅଶୋକ ସ୍ୱାଇଁ, ଅଖିଳ ମହାପାତ୍ର, ପ୍ରିୟବ୍ରତ ଗଡ଼ନାୟକ, ମନ୍ମଥ ରାଓ, ଦିଲ୍ଲୀପ ରାଉତ, ଉଦୟନାଥ ବେହେରା, ପ୍ରେମଶଙ୍କର ମିଶ୍ର, ପଙ୍କଜ ନାୟକ, ଚିତ୍ତରଞ୍ଜନ ରାଉତ, ଶାନ୍ତନୁ ସାହୁ, ମୁରଲୀ ପଟ୍ଟନାୟକ, ସବିତା ଦାସ, ବାସନ୍ତୀ ସ୍ୱାଇଁ, ବ୍ରଜେନ୍ଦୁ ନାୟକ, ରୁଦ୍ରପ୍ରକାଶ ଶରଣ, କିଶୋର ବେହେରା, ଜିତେନ୍ଦ୍ର ବେହେରା, ବିକାଶ ସ୍ୱାଇଁ, କେଶବ ବେହେରା, ଶଙ୍କର ରଥ, ମାୟାଧର ସେଠୀ, ଆନନ୍ଦ ସ୍ୱାଇଁ, ସ୍ୱପ୍ନାରାଣୀ ଜେମ୍ସ, ଗୋକୁଳାନନ୍ଦ ମାଝୀ, ପ୍ରଦୀପ ଦାସ, ମୁକ୍ତାର ଆବିଦ ବକ୍ସ, ଲଳିତ ବେହେରା ପ୍ରମୁଖଙ୍କ ସହିତ ଅନେକ ପୋଖରୀ ଚତୁର୍ପାଶ୍ୱ ଅଧିବାସୀ ଓ ବହୁ ଐତିହ୍ୟ ପ୍ରେମୀ ଉପସ୍ଥିତ ଥିଲେ ।
