ସର୍ବଭାରତୀୟ ପୋଲିସ୍ ହକି ଚମ୍ପିଆନସିପ୍ ଆମ ଦେଶର ପୋଲିସ ବାହିନୀର
ସର୍ବୋତମ ମୂଲ୍ୟବୋଧକୁ ପ୍ରତିଫଳିତ କରେ – ରାଜ୍ୟପାଳ
ଭୁବନେଶ୍ୱର,୧୫/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସର୍ବଭାରତୀୟ ପୋଲିସ୍ ହକି ଚମ୍ପିଆନସିପ୍ ଆମ ଦେଶର ପୋଲିସ୍ ବାହିନୀର ସର୍ବୋତମ ମୂଲ୍ୟବୋଧକୁ ପ୍ରତିଫଳିତ କରେ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଚଳିତ ଅପ୍ରେଲ ୧୫ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ୭୩ତମ ସର୍ବଭାରତୀୟ ପୋଲିସ୍ ହକି ଚମ୍ପିଆନସିପ୍ ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଉଦଯାପନୀ ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ଏହା ବାସ୍ତବରେ ଉତ୍ସାହଜନକ ଯେ ଭାରତୀୟ ପୋଲିସ ବିଭିନ୍ନ ବିଭାଗରେ ଅନେକ ଅସାଧାରଣ କ୍ରୀଡ଼ାବିତ ସୃଷ୍ଟି କରିଛି, ଯେଉଁମାନେ ଅନେକ ସମୟରେ ଦେଶ ପାଇଁ ଗର୍ବ ଆଣିଛନ୍ତି ।
ରାଷ୍ଟ୍ରକୁ ସୁରକ୍ଷା ଦେବା ସହ କ୍ରୀଡ଼ାରେ ଉତ୍କର୍ଷତା ପ୍ରଦର୍ଶନ କରିବାରେ ସେମାନଙ୍କର ଦୈତ୍ୟ ଭୂମିକା ପ୍ରକୃତରେ ପ୍ରଶଂସନୀୟ ବୋଲି ରାଜ୍ୟପାଳ କହିଥିଲେ । ପୁଣି ରାଜ୍ୟପାଳ କହିଥିଲେ ଯେ ହକି ପ୍ରତି ଆଗ୍ରହୀ ଓଡିଶା ଏହି ଖେଳକୁ ପରିଚୟର ଅଂଶ ଭାବେ ଗ୍ରହଣ କରିଛି । ଦୁଇଟି କ୍ରମାଗତ FIH ପୁରୁଷ ହକି ବିଶ୍ୱକପ୍ ସଫଳତାର ସହିତ ଆୟୋଜନ କରିବା ପରେ ହକି ପ୍ରତି ଆବେଗ ଓ ଆସକ୍ତି ଗଭୀର ହୋଇଛି । ସୁନ୍ଦରଗଡ଼ ଯେଉଁଠାରେ ହକି ଦୈନନ୍ଦିନ ଜୀବନର ଅଂଶ ବୋଲି କୁହାଯାଏ, ଦେଶ ପାଇଁ ଉକôଷ୍ଟ ଖେଳାଳୀ ଓ ଅଲିମ୍ପିଆନ ସୃଷ୍ଟି କରିଚାଲିଛି । ରାଜ୍ୟ ସରକାରଙ୍କ କ୍ରିୟାଶୀଳ ସମର୍ଥନ ଓ ପ୍ରୋତ୍ସାହନ ପାଇଁ ପ୍ରାୟୋଜକତାରୁ ଆରମ୍ଭ କରି ଭିତିଭୂମି ବିକାଶ ପର୍ଯ୍ୟନ୍ତ ଭାରତୀୟ ହକିର ପୁନଉଥାନ ପାଇଁ ଓଡିଶା ଉଲ୍ଲେଖନୀୟ ଅବଦାନ ରଖିଛି । ଓଡିଶା ଦୁଇଟି ବିଶ୍ୱସ୍ତରୀୟ ଷ୍ଟାଡିୟମ-ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପାଇଁ ଗର୍ବିତ ।
ଏହା ଓଡିଶାର କ୍ରୀଡ଼ା ଦୃଶ୍ୟପଟ୍ଟକୁ ଉଚ୍ଚ କରିବା ସହିତ ଅନ୍ତର୍ଜାତୀୟସ୍ତରରେ ବଢ଼ୁଥିବା ଭାରତର ପ୍ରତିଷ୍ଠାର ପ୍ରତୀକ ସାଜିଛି ବୋଲି ରାଜ୍ୟପାଳ କହିଥିଲେ । ଏହି ଚମ୍ପିଆନସିପ୍ ଆମ ଦେଶର ପୋଲିସ୍ ବାହିନୀ ମଧ୍ୟରେ ସୌହାର୍ଦ୍ଧ୍ୟ, ଶାରୀରିକ ସୁସ୍ଥତା ଏବଂ ଖେଳୱାଡ ମନୋଭାବକୁ ବୃଦ୍ଧି କରିବା ସହିତ ଯୁବପୀଢ଼ିଙ୍କୁ ସେମାନଙ୍କର ଦୈତ୍ୟ ସମର୍ପଣ – କର୍ତବ୍ୟ ଓ କ୍ରୀଡ଼ା ପ୍ରତି ଅନୁପ୍ରାଣିତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଥିଲେ । ଏହି ଅବସରରେ ଉକ୍ତ ଚମ୍ପିଆନସିପ୍ରେ ଚମ୍ପିଆନ ଓ ରନର୍ସଅପ୍ ହୋଇଥିବା ପୁରୁଷ ଓ ମହିଳା ଦଳଙ୍କୁ ଅଭିନନ୍ଦନ ଜଣାଇବା ସହିତ ଅଂଶ ଗ୍ରହଣ କରିଥିବା ଦଳ ଓ ଖେଳାଳୀମାନଙ୍କର ଉତ୍ସାହ ଓ ଖେଳୁଆଡ଼ ମନୋଭାବ ପାଇଁ ସାବାସୀ ଦେଇଥିଲେ ।
ଏତଦ୍ବ୍ୟତୀତ ସର୍ବଭାରତୀୟ ପୋଲିସ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ଼ର ତତ୍ୱାବଧାନରେ ଆୟୋଜିତ ଏହି ମେଗା ଇଭେଂଟକୁ ସଫଳତାର ସହିତ ଆୟୋଜନ କରିଥିବାରୁ ଡିଜିପିଙ୍କ ନେତୃତ୍ୱରେ ଓଡ଼ିଶା ପୋଲିସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଓଡିଶାର ମାନ୍ୟବର ଫାଷ୍ଟ୍ ଲେଡି ଜୟଶ୍ରୀ କମ୍ଭମପାଟି ଏବଂ ହକି ଇଣ୍ଡିଆର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦିଲ୍ଲିପ ତିର୍କୀ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ପୋଲିସ ମହାନିର୍ଦ୍ଧେଶକ ୱାଇ.ବି. ଖୁରାନିଆ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ୭୩ ତମ ସର୍ବ ଭାରତୀୟ ପୋଲିସ୍ ହକି ଚମ୍ପିଆନସିପ୍ର ଆୟୋଜନ ସଂପର୍କରେ ସୂଚନା ଦେଇଥିଲେ ଏବଂ ଏହା ପୋଲିସ ଫୋର୍ସଙ୍କ ମଧ୍ୟରେ ଏକତା, ଭାଇଚାରା ଓ ମିତ୍ରତା ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣର୍ ଭୂମିକା ଗ୍ରହଣ କରୁଛି ବୋଲି କହିଥିଲେ । ଏସ୍.ଆଇ.ବି.ର ଯୁଗ୍ମ ନିର୍ଦ୍ଧେଶକ ରାଜେଶ ସୁବର୍ଣ୍ଣୋ, ଅତିରିକ୍ତି ଆରକ୍ଷୀ ମହାନିର୍ଦ୍ଧେଶକ ତଥା ଆୟୋଜକ କମିଟିର ଉପସଭାପତି ଦୟାଲ ଗଙ୍ଗୱାର, ଆଇ.ଜି.ପି. ତଥା ଆୟୋଜକ କମିଟିର ସେକ୍ରେଟାରୀ ଅନୁପ କୁମାର ସାହୁ ଉକ୍ତ ସମାରୋହରେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଧେଶକ ତଥା ଆୟୋଜକ କମିଟିର ଉପସଭାପତି ରାଜେଶ୍ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଉଦଯାପନୀ ସମାରୋହରେ ପୁରୁଷ ଓ ମହିଳା ବର୍ଗର ଚମ୍ପିଆନ ଓ ରନର୍ସ ଅପ୍ ହୋଇଥିବା ଦଳ ତଥା ତୃତୀୟ ସ୍ଥାନ ହାସଲ କରିଥିବା ଦଳଙ୍କୁ ପୁରସ୍କୃତ କରାଯାଇଥିଲା ।
-୦-
ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟରୁ
()