କେନ୍ଦ୍ରାପଡ଼ା, ୩୧/୧୨/୨୦୨୩ (ଓଡ଼ିଶା ସମାଚାର)-ଆସନ୍ତା ଜାନୁଆରୀ ୭ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ନେପାଳଠାରେ ସ୍ପୋର୍ଟ୍ସ ଡେଭଲପମେଂଟ ଏବଂ ପ୍ରମୋସନ ଫେଡେରେସନ ପକ୍ଷରୁ ୬ଷ୍ଠତମ ଇନ୍ଦୋ-ନେପାଳ ଚମ୍ପିୟନସିପ୍-୨୦୨୪ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡା ଆପେକ୍ସ ଆଂଗ୍ଲୋ ଆରବିକ୍ ସ୍କୁଲର ଛାତ୍ର ତଥା କ୍ରୀଡାବିତ୍ ସାହାଦତ୍ ଖାନ୍ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଭାରତର ୧୧୫ଜଣ କ୍ରୀଡାବିତ୍ ଙ୍କ ମଧ୍ୟରେ ଓଡିଶାରୁ ୫ଜଣ ଅଂଶ ଗ୍ରହଣ କରିବେ । ସେହି ୫ଜଣଙ୍କ ମଧ୍ୟରେ ଓଡିଶାର ସର୍ବ କନିଷ୍ଠ କ୍ରୀଡାବିତ୍ ଭାବେ ସାହଦ ଖାନ୍(୮ବର୍ଷ) ଏହି ପ୍ରତିଯୋଗିତାର ୫ହଜାର ମିଟର ଦୌଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ସାହଦ ହେଉଛନ୍ତି କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ୧୪ନମ୍ବର ୱାର୍ଡ ଅଧିନ ଇମାମବାଡା ଗ୍ରାମର ଆଥଲେଟିକ କୋଚ୍ ସୌକତ ଖାନ୍ ଙ୍କ ପୁଅ । କେନ୍ଦ୍ରାପଡା ଜିଲାରୁ ସାହଦଙ୍କ ସମେତ ବିଶ୍ୱଜିତ୍ ପଣ୍ଡା ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ । ଉଭୟ ଆମ ଜିଲା ତଥା ରାଜ୍ୟପାଇଁ ସୁନାମ ଅର୍ଜନ କରିବେ ବୋଲି କ୍ରୀଡାବିତମାନେ ଆଶାବ୍ୟକ୍ତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସାହାଦ ପୂର୍ବରୁ ବିଭିନ୍ନ ଜିଲା, ରାଜ୍ୟ ତଥା ଜାତୀୟ ପ୍ରତିଯୋଗିତାରେ ଭାଗନେଇ ପୁରସ୍କୃତ ହୋଇସାରିଛନ୍ତି ।