କଟକ ଜବାହାରଲାଲ  ନେହେରୁ ଇନଡୋର ଷ୍ଟଡିୟମରେ ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ପ୍ରତିଯୋଗିତା

(ଓଡିଶା ମାଷ୍ଟର୍ସ ୨୦୨୪ ପାଇଁ ଜୋରଦାର ପ୍ରସ୍ତୁତି)

(ଓଡିଶାର ଭାଗ ନେବେ ଋତୁପଣ୍ଣା ଓ ସ୍ୱେତାପର୍ଣ୍ଣା ପଣ୍ଡା, ଆୟୁଷ ପଟ୍ଟନାୟକ ଓ ଅଭିନାଶ ମହାନ୍ତି, ଅମ୍ରିତ ମହାନ୍ତି ଓ ଅଭିଜିତ ମହାରଣାଙ୍କ ଯୋଡି)

କଟକ, ୦୬/୧୨/୨୦୨୪ (ଓଡ଼ିଶା ସମାଚାର/ ରାକେଶ ବେମାଲ ): ଆନ୍ତର୍ଜାତୀକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ବି.ଡବ୍ଲୁ.ଏଫ୍ ଟୁର ସୁପର ୧୦୦ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୪ର ଆୟୋଜନ ପାଇଁ ଓଡିଶାରେ ଜୋରଦାର ପ୍ରସ୍ତୁତି ଚାଲିଛି ।  କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟଡିୟମରେ ହେବାକୁ ଥିବା ଏହି ପ୍ରତିଯୋଗିତା ଆସନ୍ତା ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖରେ ସମାପନ ହେବ । ୧ ଲକ୍ଷ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଓଡିଶା ସରକାର କ୍ରୀଡା ବିଭାଗ, ରାଜ୍ୟ ବ୍ୟାଡ ମିଣ୍ଟନ ସଂଘର କର୍ମକର୍ତ୍ତାମାନେ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି । ଜବାହାରଲାଲ ନେହେରୁ ଇନଡୋର ଷ୍ଟଡିୟମକୁ ଆନ୍ତର୍ଜାତୀକ ସ୍ପର୍ଷ ଦେବା ପାଇଁ ଭାରତୀୟ ବ୍ୟାଡ ମିଣ୍ଟନ ସଂଘ, ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ କର୍ମକର୍ତ୍ତାମାନେ ନିଜ ନିଜ ଭିତରେ ସମନ୍ୱୟ ରଖି ପ୍ରତିଯୋଗିତାକୁ ସଫଳ କରିବା ପାଇଁ ଲାଗି ରହିଛନ୍ତି । ଏହି ପ୍ରତିଯୋଗିତାରେ ବିଶ୍ୱର ୩୨ଟି ଦେଶରୁ ୩୫୦ରୁ ଅଧିକ ମହିଳା ଓ ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ଭାଗ ନେବେ । ପ୍ରତିଯୋଗିତାରେ ମହିଳା ସିଙ୍ଗଲ୍ସ, ପୁରୁଷ ସିଙ୍ଗଲ୍ସ, ମହିଳା ଡବଲ୍ସ, ପୁରୁଷ ଡବଲ୍ସ ଓ ମିକ୍ସ ଡବଲ୍ସ ବିଭାଗରେ ଟାଇଟେଲ ପାଇଁ ଲଢେଇ ହେବ । ଏ ବର୍ଷ ଏହି ପ୍ରତିଯୋଗିତା ଓଡିଶାରେ ତୃତୀୟ ବର୍ଷରେ ପଦାର୍ପଣ କରିଥିବାରୁ ପ୍ରତିଯୋଗିତାର ସମସ୍ତ ବିଭାଗ ଯେପରି ତୃଟିଶୁନ୍ୟ ଭାବେ କାର୍ଯ୍ୟକ୍ରମ ଜାରି ରଖିବେ ସେ ଦିଗରେ ଉଭୟ ସରକାରଙ୍କ କ୍ରୀଡା ବିଭାଗ ଓ ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଯତ୍ନବାନ ହେଉଛି । ଏହି ଆନ୍ତର୍ଜାତୀକ ପ୍ରତିଯୋଗିତାରେ ଓଡିଶାରୁ ଡବଲ୍ସ ବିଭାଗରେ ଆନ୍ତର୍ଜାତୀକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଓ ସ୍ୱେତପର୍ଣ୍ଣା ପଣ୍ଡା ଭାଗ ନେଉଛନ୍ତି । ପୁରୁଷ ଡବଲ୍ସରେ ଆୟୁଷ ପଟ୍ଟନାୟକ ଓ ଅଭିନାଶ ମହାନ୍ତି, ଅମ୍ରିତ ମହାନ୍ତି ଓ ମହାରଣାଙ୍କ ଯୋଡି ପ୍ରତିଯୋଗିତାରେ ଭାଗ ନେବ । ରାଜ୍ୟ କ୍ରୀଡା ଓ ଯୁବ ବ୍ୟପାର ବିଭାଗ ନିର୍ଦ୍ଦେଶକ ଦିପଙ୍କର ମହାପାତ୍ରଙ୍କ ନେତୃତ୍ୱରେ ହେଉଥିବା ଏହି ପ୍ରତିଯୋଗିତାରେ ସାଂଗଠନିକ ସଭାପତି ଭାବରେ ରାଜେଶ ପ୍ରଭାକର ପାଟିଲ ଆଇଏଏସ୍ , ସାଂଗଠନିକ ସଂପାଦକ ଭାବରେ ନିଳିନ କୁମାର ଦାୟିତ୍ୱରେ ଅଛନ୍ତି । ପ୍ରତିଯୋଗିତାକୁ ସଫଳ କରିବା ପାଇଁ ବିଭିନ୍ନ କମିଟିର ଦାୟିତ୍ୱରେ ପ୍ରଦୀପ ପଟ୍ଟନାୟକ, ଶୈଳେନ୍ଦ୍ର ଆଚାର୍ଯ୍ୟ, ମନୋରଂଜନ ପଣ୍ଡା, କମଲ ଦାଶ, ସୁରେଶ ଚନ୍ଦ୍ର ପଣ୍ଡା, ସୁରୁଲାଲ ମଟାରି, ଦିପକ ମହାନ୍ତି, ଅଜିତ ମହାନ୍ତି, ଜୟପ୍ରକାଶ ସିଂ, ପ୍ରିତପାଲ ସିଂ, ସମିର ଦାଶ, ତାରାକାନ୍ତ ଦାଶ ପ୍ରମୁଖ ଅଛନ୍ତି । ଏହି ପ୍ରତିଯୋଗିତାରେ ପ୍ରାୟତଃ ବ୍ୟାଡମିଣ୍ଟନ ଖେଳରେ ଦବଦବା ରଖିଥିବା ଚୀନ, ଜାପାନ, ଡେନମାର୍କ, ବୁଲଗେରିଆ ସମେତ ୩୨ଟି ଦେଶର ଖେଳାଳି ଭାଗ ନେଉଛନ୍ତି । ଭାରତୀୟ ଖେଳାଳି ଭାବେ ପ୍ରିୟାଂଶୁ ରାଜୱତ, କିରନ ଜର୍ଜ, ମହିଳା ଖେଳାଳି ଆକର୍ଷିକ କସ୍ୟପ, ଅଶ୍ୱନୀ କୋନାପ୍ପା ଓ ତନିଷା କେଷ୍ଟୋ, ସୁମିତ ରଡ୍ଡୀ ଓ ସିକିମ ରେଡ୍ଡୀ ଭଳି ଉଚ୍ଚ ମାନ୍ୟତା ଖେଳାଳିଙ୍କ ଖେଳ ଦେଖିବାକୁ ମିଳିବ । ପ୍ରତିଯୋଗିତାରେ ଭାଗ ନେଉଥିବା ଦେଶ ତଥା ଦେଶ ବାହାରୁ ଆସୁଥିବା ଖେଳାଳିମାନେ ଭୁବନେଶ୍ୱରର ବିଭିନ୍ନ ତାରକା ହୋଟେଲରେ ରହିବା ସହ କଟକକୁ ଆସି ମ୍ୟାଚ୍‌ ଖେଳିବେ । ସେମାନଙ୍କ ସମସ୍ତ ପ୍ରକାର ରହିବା, ଖାଇବା ତଥା ଗମନାଗମନ ଯେପରି ସୁବ୍ୟବସ୍ଥିତ ହୋଇପାରିବ ସେ ଉପରେ ରାଜ୍ୟ ବ୍ୟାଡମିଣ୍ଟନ ସଂଘ, କ୍ରୀଡା ବିଭାଗ ତଥା ଭାରତୀୟ ବ୍ୟାଡମିଣ୍ଟନ ସଂଘ ସ୍ୱତନ୍ତ୍ର ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦେଉଛି ।

Leave a Reply

Your email address will not be published. Required fields are marked *