ଜେଲ୍ ଅଧିକ୍ଷକ ଓ କର୍ମଚାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ

ଜଗତସିଂହପୁର, ୧୩/୦୪/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଳୀପିଙ୍ଗଳ ସ୍ଥିତ ଜିଲ୍ଲା କାରାଗାରରେ ଜାତୀୟ ଆଇନ ସେବା ପ୍ରାଧିକରଣ ଯୋଜନା ଅନୁଯାୟୀ ମାନସିକ ରୋଗୀ ଏବଂ ବୌଦ୍ଧିକ ଅକ୍ଷମତା ଥିବା ବନ୍ଦୀଙ୍କୁ କିପରି ଚିହ୍ନଟ କରାଯାଇ ଗୁଣାତ୍ମକ ଚିକିତ୍ସା ସହ ଆଇନ ସେବା ଦିଆଯାଇପାରିବ ଏହି ସମ୍ପର୍କରେ କାରାଗାର ଅଧିକ୍ଷକ ଓ କର୍ମଚାରୀଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ଆଲିପିଙ୍ଗଳ କାରାଗାର ଅଧିକ୍ଷକ ମଦନ ମୋହନ ମାରାଣ୍ଡି, ଆଇନଜୀବୀ ସନ୍ତୋଷ ଦାଶ, ରାଜଶ୍ରୀ ମହାନ୍ତି, ସହକାରୀ କାରାପାଳ ମନସ୍ଵିନୀ ପାଣିଗ୍ରାହୀ, ଅଶୋକ କୁମାର ପରିଡା, କାରାଗାର ଚିକିତ୍ସାଧିକାରୀ ଡ଼ା ଶକ୍ତି ପ୍ରସାଦ ହୋତା, ଉପ ସହକାରୀ କାରାପାଳ ରାଜୀବ ଲୋଚନ ମୁର୍ମୁ, ଦର୍ପ ଭଞ୍ଜନ ଭୋଇ, କାରାଗାର ଫାର୍ମାଶିଷ୍ଟ ନିରଞ୍ଜନ ମାର୍ଥା, ଶ୍ରୀନିବାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାରାଗାର ଅଧିକ୍ଷକ ଶ୍ରୀ ମାରାଣ୍ଡି ଅତିଥି ପରିଚୟ କରାଇଥିଲେ ।

ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନା ଏହି ତାଲିମ କାର୍ଯ୍ୟକ୍ରମର ଉଦେଶ୍ୟ, ଆଭିମୁଖ୍ୟ ଓ ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ସମ୍ପର୍କରେ ଆଲୋଚନା କରି ମାନସିକ ରୋଗୀ ଏବଂ ବୌଦ୍ଧିକ ଅକ୍ଷମତା ଥିବା ବନ୍ଦୀଙ୍କୁ କିପରି ଆଇନଗତ ସାହାଯ୍ୟ ଯୋଗାଇ ଦିଆଯିବ ଏହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହା ସହ ମାନସିକ ରୋଗୀଙ୍କ ପ୍ରତି କାରାଗାର ଅଧିକ୍ଷକଙ୍କ ଦାୟିତ୍ଵ ଓ କର୍ତବ୍ୟ ସମ୍ପର୍କରେ ମଧ୍ୟ ଦୃଷ୍ଟିଆକର୍ଷଣ କରିଥିଲେ ।

ଏହାପରେ ଚିକିତ୍ସାଧିକାରୀ ଡ଼ା ହୋତା ବିଭିନ୍ନ ମାନସିକ ରୋଗର ଲକ୍ଷଣ ଓ ଡାକ୍ତେରୀ ଚିକିତ୍ସା ବିଷୟରେ ଆଲୋଚନା କରିବାସହ ବିଭିନ୍ନ ଔଷଧ ବିଷୟରେ ମଧ୍ୟ ଉପସ୍ଥିତ ଥିବା କାରାଗାର ଫାର୍ମାଶିଷ୍ଟଙ୍କୁ ଅବଗତ କରିଥିଲେ । ଆଇନଜୀବୀ ଶ୍ରୀ ଦାଶ ଏବଂ ଶ୍ରୀମତୀ ମହାନ୍ତି ମାନସିକ ରୋଗୀଙ୍କ ମକୋଦ୍ଦମା କିପରି ଅଦାଲତରେ ପରିଚାଳନା କାରାଯାଏ ଏହି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଆଲିପିଙ୍ଗଳ ଓ କୁଜଙ୍ଗ କାରାଗାର ଅଧିକ୍ଷକ, ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *