ଓରମାସ ପଲ୍ଲୀଶ୍ରୀ ମେଳାରେ ଲକ୍ଷାଧିକ ବ୍ୟବସାୟ
ଜଗତସିଂହପୁର, ୦୪/୦୪/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଆଜି ଥିଲା ଚତୁର୍ଥ ସଂଧ୍ୟା। ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ନିରଞ୍ଜନ ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ଉପାଧ୍ୟକ୍ଷ ଶ୍ରୀ ନିଲାଭ୍ର ଦାସଗୁପ୍ତ। ଜିଲ୍ଲା ରେ ପାରାଦ୍ଵୀପ ବନ୍ଦର ହେଉଛି ପୂର୍ବୋଦୟ ର ବିକାଶ ବୋଲି ସେ କହିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଦର୍ଶନ ଗୋପୀନାଥ ଯାଦବ, ବନଖଣ୍ଡ ଅଧିକାରୀ,(ଲୁଣା ଜଙ୍ଗଲ) ବନଜୀବ, ବନଖଣ୍ଡ, ରାଜନଗର , ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି ପରିଷଦ, ଶ୍ରୀ ଜେ ସୋନାଲ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ପ୍ରମୁଖ ମଞ୍ଚାସିନ ରହି ଜଗତସିଂହପୁର ଜିଲ୍ଲାର ଗୌରବମୟ ଇତିହାସ ସାଙ୍ଗକୁ କଲ୍ଲୋଳ ର ମହତ୍ତ୍ଵ ପ୍ରତିପାଦିତ କରିଥିଲେ।
ସଭାରେ ସହାୟକ ଜିଲ୍ଲାପାଳ ସୁଶ୍ରୀ କଳ୍ପିତା କୁମାରୀ ଜେନା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ସଭା ପରେ ଆଜିର ଆକର୍ଷଣ ଥିଲେ ବଲିଉଡ୍ ସୁପର ଷ୍ଟାର ସିଙ୍ଗର ଜାଭେଦ ଅଲ୍ଲୀ। ବହୁ ଚର୍ଚ୍ଚିତ ପୁଷ୍ପା ସିନେମା ର ଶ୍ରିବଲ୍ଲି ଠାରୁ ଆରମ୍ଭ କରି ଫିଲିଂସ…,… ଗୁଜାରିସ ଆଦି ଗୀତର ତାଳେ ତାଳେ ଝୁମି ଉଠିଥିଲେ କଲ୍ଲୋଳ ର ଦର୍ଶକ।
କଲ୍ଲୋଳ ରେ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ଜିଲ୍ଲା ର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଆଗତ ଷ୍ଟଲ୍ ରେ ବିଭିନ୍ନ ହସ୍ତକଳା, ଶିଳ୍ପ, ଘର କରଣା ଜିନିଷ ଗ୍ରାହକ ଙ୍କୁ ଆକୃଷ୍ଟ କରୁଛି। ପ୍ରକାଶ ଥାଉ କି, ଓରମାସ ର ଏହି ପଲ୍ଲୀଶ୍ରୀ ମେଳା ରେ ୧୫୦ ଟି ଷ୍ଟଲ୍ ମଧ୍ୟରେ ୨୦ ଟି ଖାଦ୍ୟ ଷ୍ଟଲ୍ ସହିତ ବାହାର ରାଜ୍ୟ ପଶ୍ଚିମବଙ୍ଗ ହସ୍ତ ତନ୍ତ, ରାଜସ୍ଥାନ ର ଖାଦ୍ୟ ଷ୍ଟଲ, ତେଲେଙ୍ଗାନା ର କାଠ ତିଆରି ଶିଳ୍ପ ଓ ହସ୍ତ ତନ୍ତ ର ଷ୍ଟଲ ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ ପଲ୍ଲୀଶ୍ରୀ ମେଳା ରେ ୩ୟ ଦିନ ସୁଦ୍ଧା ୧୪,୬୪,୯୨୫.୫୦ଟଙ୍କାର ବ୍ୟବସାୟ ହୋଇଛି।
