ଭୁବନେଶ୍ୱର, ୦୪/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତ ମାର୍ଚ୍ଚ ମାସ ୧୧ତାରିଖରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ର କାର୍ୟ୍ୟକାରିତା ସଂପର୍କରେ ସମୀକ୍ଷା କରାଯାଇଥିଲା।ଜନସାଧାରଣଙ୍କୁ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଯେଉଁ ପ୍ରତିବଦ୍ଧତା ରହିଛି, ତାହାକୁ ଦୃଷ୍ଟିରେ ରଖି ବିଭାଗମାନେ ବିଭାଗୀୟ କାର୍ୟ୍ୟ ନିଷ୍ଠାର ସହ ସମ୍ପାଦନ ପାଇଁ ପ୍ରୟାସ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ଆର୍ଥିକ ବର୍ଷ ୨୦୨୪-୨୫ ସୁଦ୍ଧା ବିଭିନ୍ନ ବିଭାଗର ଖର୍ଚ୍ଚ ପ୍ରତିଶତ ସମୀକ୍ଷା କରାଯାଇଥିଲା ।୨୦୨୫-୨୬ଆର୍ଥିକବର୍ଷରେ ବିଭିନ୍ନ ବିଭାଗ ପାଇଁ ବଜେଟ୍ ପ୍ରାବଧାନ ଅନୁସାରେ ଅର୍ଥ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ବାର୍ଷିକ କାର୍ୟ୍ୟ ଯୋଜନା ପ୍ରସ୍ତୁତି ଓ କାର୍ୟ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି ।ସେହିପରି ୨୦୨୪-୨୫ବର୍ଷରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ବାବଦରେ କରାଯାଇଥିବା ଖର୍ଚ୍ଚ ଓ ବିନିଯୋଗ ପ୍ରମାଣପତ୍ର ପ୍ରଦାନକୁ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା-ଭିଜନ୨୦୩୬ ଓ ୨୦୪୭ ପ୍ରସଙ୍ଗରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗର ପ୍ରମୁଖ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ନିର୍ମାଣ କାର୍ୟ୍ୟ ସମ୍ବନ୍ଧରେ ସୂଚନା ଉପଲବ୍ଧି ହେବାପାଇଁ ୱାର୍କ ପାସବୁକ୍ ବ୍ୟବସ୍ଥା କାର୍ୟ୍ୟକାରୀ ଅଗ୍ରଗତି ସଂପର୍କରେ ଆଲୋଚନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଜଳସମ୍ପଦ ବିଭାଗ ସହଯୋଗରେ ପାନୀୟ ଜଳ ଓ ଏଲ୍ଆଇ ପଏଣ୍ଟ ରେ ପାଇପ ଯୋଗେ ଜଳ ସେଚନ ବ୍ୟବସ୍ଥାର ରିଅଲଟାଇମ୍ ମନିଟରିଂ ପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା ବିକଶିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦ୍ୱାରା ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି ଉନ୍ନୟନ , ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗର ଷ୍ଟାଫ କ୍ୱାର୍ଟର୍ସ ସମେତ ବିଦ୍ୟାଳୟ ଏବଂ ହଷ୍ଟେଲ ବିଲ୍ଡିଂ ର ଆସେଟ ମ୍ୟାନେଜମେଣ୍ଟ ପାଇଁ ଏକ ପୋର୍ଟାଲ ବିକଶିତ କାର୍ୟ୍ୟ ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଜନଶୁଣାଣି ପ୍ରକ୍ରିୟାର ସୁବ୍ୟବସ୍ଥା,ଅଭିଯୋଗ ସମାଧାନ ପ୍ଲାଟଫର୍ମ ର ରି-ଇଞ୍ଜିନିୟରିଂ ପୂର୍ବକ ଏହାର ଦକ୍ଷତା, ଉପଲବ୍ଧତା ଏବଂ ଫଳପ୍ରଦତା ରେ ଉନ୍ନତି ଆଣିବା ଓ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା, ଆରମ୍ଭ ହେବାକୁ ଥିବା ସିଟିଜେନ ଫିଡବ୍ୟାକ ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲ ପାଇଁ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଜିରୋ କମିଶନରାଇଡ୍ ହେଲିଂ ଆପ୍ “ଓଡ଼ିଶା ଯାତ୍ରୀ”ବର୍ତ୍ତମାନ ସୁଦ୍ଧା୧.୫ଲକ୍ଷ ଟ୍ରିପ୍ ସଫଳତାର ସହ ଶେଷ କରିଥିବା ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା। କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ କାର୍ୟ୍ୟକାରୀ ହୋଇଥିବା ଆଇଜିଓଟି-ମିଶନ କର୍ମଯୋଗୀ ପ୍ଲାଟଫର୍ମରେ ଓଡ଼ିଶାରେ ୪,୧୬,୧୩୮କର୍ମଚାରୀ ଓ ଅଧିକାରୀ ପଂଞ୍ଜୀକୃତ କରିଥିବା ବେଳେ ସେମାନଙ୍କ ଦ୍ୱାରା ସାମଗ୍ରିକ ଭାବେ ୫,୬୪,୧୪୨ପାଠ୍ୟକ୍ରମ ଶେଷ କରାଯାଇଛି ।ରାଜସ୍ଥାନ ପରେ ଓଡ଼ିଶା ଏହି ପ୍ଲାଟଫର୍ମରେ ସାମଗ୍ରିକ ଭାବେ ୨ୟ ସ୍ଥାନରେ ରହିଥିବା ବୈଠକରୁ ଜଣାପଡିଛି। ଏହି ବ୍ୟବସ୍ଥାରେ ପ୍ରତି କର୍ମଚାରୀ ମାନେ ବର୍ଷକୁ ଅନ୍ତତଃ ୨୦ଘଣ୍ଟାର ପ୍ରଶିକ୍ଷଣ ନେବେ।
ଲୋକସେବା ଅଧିକାର ଅଧିନିୟମ ଅନ୍ତଭୁକ୍ତ ସରକାରୀ ସେବା ସୁବିଧାରେ ପାଇବା ପାଇଁ ଦକ୍ଷତାବୃଦ୍ଧି ଓ ସଚେତନତା ଅଭିଯାନ କରାଯିବା ସଂପର୍କରେ ଯୋଜନା ପ୍ରସ୍ତୁତି କରାଯାଉଛି। ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୁରଣ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା, ଭିଜିଲାନ୍ସ ମାମଲା ବା ସେପରି କୌଣସି ବିଭାଗୀୟ ମାମଲା ନଥିଲେ କର୍ମଚାରୀ ମାନଙ୍କୁ ଅବସର ଗ୍ରହଣ କରୁଥିବା ଦିନ ଚୂଡାନ୍ତ ପେନସନ ପ୍ରଦାନକୁ ସୁନିଶ୍ଚିତ କରିବାପାଇଁ ବିଭାଗ ମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା।ସୁଶାସନ ପାଇଁ ଆଧାର ପ୍ରମାଣୀକରଣର ଆବଶ୍ୟକତା ଏବଂ ଏହାକୁ ସୁନିଶ୍ଚିତ କରାଯିବା ସଂପର୍କରେ ଆଲୋକପାତ କରାଯାଇଥିଲା। ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀମାନେ ପ୍ରତିମାସରେ ଜିଲ୍ଲା ଗସ୍ତକରି ସରକାରଙ୍କୁ ବିବରଣୀ ପ୍ରଦାନ ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ ।
ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ମୁଖ୍ୟଶାସନସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
-୦-
ପଠାଣିରାଉତ,ମୁଖ୍ୟଶାସନ ସଚିବଙ୍କ ଲୋକ ସଂପର୍କଅଧିକାରୀ ଙ୍କ ସୌଜନ୍ୟ ରୁ
()
