ଭୁବନେଶ୍ୱର,୦୪/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜଧାନୀ ଭୁବନେଶ୍ୱରରେ ଡବଲ ଏନକାଉଣ୍ଟର । ଭୁବନେଶ୍ୱର ବଡ଼ଗଡ଼ ଅଂଚଳରେ ଏନକାଉଣ୍ଟର ହୋଇଥିବା ସୂଚନା । ୨ ଆନ୍ତରାଜ୍ୟ ଅପରାଧୀଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ । ପୋଲିସ ର ଏନକାଉଣ୍ଟରରେ ୨ ଆନ୍ତରାଜ୍ୟ ଅପରାଧୀ ଗୁରୁତର ଆହତ ହୋଇଛନ୍ତି ।ଆହତ ୨ ଲୁଟେରା ହେଲଛନ୍ତି ସୋନୁ ଯାଦବ ଓ ମନୀଷ ଯାଦବ । ସେମାନଙ୍କ ଘର ବିହାରରେ ହୋଇଥିବା ସୂଚନା । ସମ୍ପୃୃକ୍ତ ୨ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଧରିବାକୁ ପୋଲିସ ଦୀର୍ଘଦିନ ହେବ ଯୋଜନା କରୁଥିଲା । ଗୁଇନ୍ଦା ସୂଚନାକୁ ଆଧାର କରି ପୋଲିସ ଜାଲ ବିଛାଇଥିଲା । ଉଭୟଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ କରିବା ବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଜବାବରେ ସ୍ପେଶାଲ ସ୍କ୍ୱାର୍ଡ ପୋଲିସ ଗୁଳି ଚାଳନା କରିଥିଲା ।
ଉଭୟଙ୍କ ବାମ ଗୋଡ଼ରେ ପୋଲିସ୍ ର ଗୁଳି ବାଜିଛି । ଉଭୟ ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ସେମାନଙ୍କୁ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦୁଇ ଆହତ ଲୁଟେରା ଖୋରା ଗ୍ୟାଙ୍ଗର ସଦସ୍ୟ । ସେମାନେ ଓଡ଼ିଶା, ବିହାର ,ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଲୁଟ ଆତଙ୍କ ଖେଳାଉଥିଲେ । ଏମାନେ ବିଭିନ୍ନ ଷ୍ଟେସନ୍ ରୁ ବାଇକ୍ ଚୋରୀ କରି ସେହି ଚୋରୀ ବାଇକ୍ ରେ ଚାରିଆଡ଼େ ବୁଲି ଲୁଟ୍ କରୁଥିଲେ ଓ ବାଇକ୍ ଛାଡ଼ି ପଳାଉଥିଲେ । ଗତ କିଛି ଦିନ ହେଲା ଏମାନେ ଭୁବନେଶ୍ୱର ରେ ଲୁଟ୍ କରି ପୁଲିସ ର ନିଦ ହଜାଇ ଦେଇଥିଲେ ।
ଏପରିକି ଗୋଟିଏ ଗୋଟିଏ ଦିନରେ ୫ ରୁ ୬ ଟି ଲୁଟ୍ କରୁଥିଲେ । ସିସିଟିଭି ଫୁଟେଜ ରୁ ଲୁଟେରା ଦୁିଇଜଣଙ୍କୁ ଚିହ୍ନଟ କରି ପୋଲିସ ନଜର ରଖିଥିଲା । ଗୁରୁବାର ରାତି ପ୍ରାୟ ୧୦ ଟାରେ ଲୁଟେରାଦ୍ୱୟ କଟକ- ପୁରୀ ବାଇପାସ ରୋଡ଼ ରେ ବୁଲାବୁଲି କରୁଥିବା ପୋଲିସ କୁ ସୂଚନା ମିଳିଥିଲା । ସ୍ପେଷାଲ ସ୍ୱାର୍ଡ଼ ନେତୃତ୍ୱରେ ୩ ଟି ସ୍ୱତନ୍ତ୍ର ଟିମ ଲୁଟେରାଦ୍ୱୟଙ୍କୁ କାବୁ କରିବାକୁ ଜାଲ ବିଛାଇଥିଲା । ଟଙ୍କପାଣି ରୋଡ଼୍ ସାଇ ମନ୍ଦିର ଛକ ନିକଟରେ ପୋଲିସ ସେମାନଙ୍କୁ ସମ୍ମୁଖରେ ଦେଖିଥିଲେ । ପୋଲିସ କୁ ଦେଖି ଟଙ୍କପାଣି ରୋଡ଼ ବ୍ରିଜ ଆଡ଼କୁ ଦୃତ ଗତିରେ ପଳାଇଥିଲେ । ପରେ ବାଙ୍କୁଆଳ ଆଡ଼କୁ ଯାଉଥିବାବେଳେ ଏକ ପାଚେରୀରେ ବାଇକ୍ ଧକା ହୋଇଥିଲା । ପୋଲିସ କୁ ଦେଖି ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିଥିଲେ । ଉଭୟଙ୍କ ପକ୍ଷରୁ ୮ ରାଉଣ୍ଡ ଗୁଳି ଚଳନା ହୋଇଥିଲା । ପୋଲିସ ଗୁଳି ତାଙ୍କ ବାମ ଗୋଡ଼ରେ ବାଜିବାରୁ ଆଉ ଖସିପାରିନଥିଲେ ।