ଭୁବନେଶ୍ୱର, ୩୦/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୩ ଟି ପ୍ରସ୍ତାବ ଉପରେ ମୋହର ଲାଗିଛି ।
ଓଡ଼ିଶା ସିଭିଲ ସର୍ଭିସ ବୟସ ସୀମା ୩୨ରୁ ୩୮ବର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ନଗର ଉନ୍ନୟନ ବିଭାଗରେ ୩୬୫ ଇଞ୍ଜିନିୟର ପଦବୀ ସୃଷ୍ଟି ହୋଇଛି। ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ପିଏଚଏଫଆଇ) ପ୍ରତିଷ୍ଠା ଲାଗି ୫ ଏକର ଜମି ଦେବାକୁ ନିଷ୍ପତ୍ତି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦ଟି ନୂଆ ଇ-ବସ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ନୂଆ ଇ-ବସଗୁଡ଼ିକ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ଗଡ଼ିବ ବୋଲି କୁହାଯାଇଛି। ସେହିପରି ୧୧୦ଟି ସହରାଞ୍ଚଳରେ ଏଲଇଡି ଲାଇଟ ଲଗାଇବା ପାଇଁ ୩୧୨ କୋଟି ୧୮ ଲକ୍ଷ ଅନୁମୋଦନ ହୋଇଥିବାବେଳେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସଚେତନତା ସୃଷ୍ଟି ହେବ। ଅନ୍ୟପଟେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାକୁ ସରକାର ନୂଆ ଯୋଜନା କରିଛନ୍ତି । ଏହି କ୍ରମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର, ପ୍ରସାର ଓ ସୁରକ୍ଷାରେ ସାଧାରଣ ଲୋକଙ୍କୁ ସାମିଲ କରାଯିବ । ଏନେଇ ରାଜ୍ୟ ସରକାର ପ୍ରତି ପଞ୍ଚାୟତରୁ ଲୋକ ପୁରୀ ଆସିବାର ବ୍ୟବସ୍ଥା କରିବେ । ଏଥିପାଇଁ ପ୍ରଥମେ ପ୍ରତି ପଞ୍ଚାୟତରେ ଏଲଇଡି ଟିଭି ଲଗାଯାଇ ୧୭ ତାରିଖରେ ହେବାକୁ ଥିବା ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ସିଧା ପ୍ରସାରଣ କରାଯିବ ।ଆମ ଓଡ଼ିଶା-ନବୀନ ଓଡ଼ିଶାକୁ ଆହୁରୀ ବ୍ୟାପକ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ବୈଠକ ଶେଷ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।