ଫାଉଣ୍ଡେସନ୍ ଆନୁକୂଲ୍ୟରେ “”ଶ୍ରଦ୍ଧା ଦିବସ” ପାଳିତ

“ଅବନୀ ବରାଳ ଏକ ଆଦର୍ଶ ଓ ଆଲୋକବର୍ତିକା”
ମଂଚକଳା ପାଇଁ କେଶ ରଞ୍ଜନ ପ୍ରଧାନ ଓ ସହିତ୍ୟ ପାଇଁ ଅକ୍ଷୟ ବେହେରା ସମ୍ମାନିତ
ପୁସ୍ତକ ଲୋକାର୍ପଣ ଓ ନାଟକ “”ଦେବୀ” ପରିବେଷିତ
ଭୁବନେଶ୍ୱର, ୦୭/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପ୍ରସିଦ୍ଧ ଶିକ୍ଷକ ନେତା ଅବନୀ ବରାଳ ରାଜ୍ୟର ଶିକ୍ଷକ ସମାଜକୁ ନିଜର ବହୁମୁଖୀ ଅବଦାନ ବଳରେ କୃତଜ୍ଞ ରଖିଛନ୍ତି । ସେ କେବଳ ଜଣେ ଶିକ୍ଷକ ନଥିଲେ ବରଂ ଥିଲେ ଏକ ଆଦର୍ଶ ଓ ଆଲୋକବର୍ତିକା । ଓଡ଼ିଶାର ଶୈକ୍ଷିକ ପରିମଣ୍ଡଳକୁ ଶୃଙ୍ଖଳିତ, ପ୍ରତିବଦ୍ଧ ଓ ସମର୍ପିତ କରି ଗଢ଼ି ତୋଳିବାରେ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ଆଜି ସନ୍ଧ୍ୟାରେ ଅବନୀ ବରାଳ ଫାଉଣ୍ଡେସନ ଆୟୋଜିତ “”ଶ୍ରଦ୍ଧା ଦିବସ”ରେ ଅତିଥିମାନେ ମତପ୍ରଦାନ କରିଛନ୍ତି ।
ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ କବି ଡ. ଆଶୁତୋଷ ପରିଡା ଜଣେ ଖ୍ୟାତିସମ୍ପନ୍ନ ସାହିତି୍ୟକ, ସଂଗଠକ ଓ ପରିବର୍ତନକାମୀ ନେତା ଭାବରେ ଅବନୀ ବରାଳଙ୍କୁ ଅଭିହିତ କରିଥିଲେ । ବିଶିଷ୍ଟ କବି ଅମରେଶ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାବନ୍ଧିକା ପ୍ରଫେସର ସଂଘମିତ୍ରା ମିଶ୍ର ମଧ୍ୟ ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର କେଶ ରଞ୍ଜନ ପ୍ରଧାନଙ୍କୁ ଆଦରମଣୀ ମଂଚକଳା ସମ୍ମାନ ଓ କବି ଅକ୍ଷୟ ବେହେରାଙ୍କୁ ଅବନୀ ବରାଳ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକଙ୍କୁ ପାଂଚହଜାର ଟଙ୍କାର ଅର୍ଥ ରାଶି, ମାନପତ୍ର ଓ ଅଙ୍ଗବସ୍ତ୍ର ଦିଆଯାଇଥିବାବେଳେ ଉଭୟ ଡ. ପ୍ରଧାନ ଓ ଶ୍ରୀ ବେହେରା ନିଜସ୍ୱ ଅଭିମତ ରଖିଥିଲେ । ଡ. ଅମୀୟ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଆଭାସ ବରାଳଙ୍କ ରଚିତ ଗଳ୍ପ ପୁସ୍ତକ “”ଚଢେଇ ଆଉ କେତୋଟି ଗପ” ଲୋକାର୍ପିତ ହୋଇଥିଲା ଏବଂ ପ୍ରକାଶକ ସମରେନ୍ଦ୍ର ନାଥ ମହାପାତ୍ର ପୁସ୍ତକ ଉପରେ ସୂଚନା ଦେଇଥିଲେ । ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସୁଜାତା ପ୍ରିୟମ୍ବଦାଙ୍କ ଦ୍ୱାରା ଆଭାସଙ୍କ ଲିଖିତ ଗଳ୍ପ “”ଦେବୀ” ଉପରେ ଆଧାରିତ କ୍ଷୁଦ୍ର ନାଟକ ମଂଚସ୍ଥ ହୋଇଥିଲା । କାର୍ଯ୍ୟକ୍ରମରେ ସ୍ୱର୍ଗତ ବରାଳଙ୍କ ପୁତ୍ର ଆକାଶ, କନ୍ୟା ଆହୂତି ଓ ଆରତୀ ଏବଂ ପୌତ୍ରପୌତ୍ରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *