ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ପକ୍ଷରୁ ବିଶ୍ୱ ଜଳଦିବସ ପାଳିତ

ଏକ ପ୍ରତିବଦ୍ଧ ପୃଥିବୀ ପାଇଁ ‘ହିମଖଣ୍ଡ ସଂରକ୍ଷଣ’ର ଆବଶ୍ୟକତା ରହିଛି

ଭୁବନେଶ୍ୱର,୨୫/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱରସ୍ଥିତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ ବୈଜ୍ଞାନିକମାନଙ୍କ ଦ୍ୱାରା ‘ବିଶ୍ୱ ଜଳ ଦିବସ’ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କର୍ମଶାଳାରେ ପ୍ରତିଷ୍ଠାନର ବୈଜ୍ଞାନିକମାନେ ‘ହିମଖଣ୍ଡ ସଂରକ୍ଷଣ’ ଭଳି ସାମ୍ପ୍ରତିକ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ବିଷଦ ଆଲୋଚନା କରିଥିଲେ । କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅମରେଶ କୁମାର ନାୟକ ମୁଖ୍ୟ ଅତିଥି ଏବଂ କେନ୍ଦ୍ରୀୟ ଭୂତଳ ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ଡ. ବି.କେ. ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକ ପ୍ରତିବଦ୍ଧ ପୃଥିବୀ ପାଇଁ ‘ହିମଖଣ୍ଡ ସଂରକ୍ଷଣ’ର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ ।

ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅର୍ଜମାଦତ୍ତ ଷଡ଼ଙ୍ଗୀ, ପ୍ରତିଷ୍ଠାନ ଦ୍ୱାରା ବିକଶିତ ବୈଷୟିକ ଜ୍ଞାନକୌଶଳ ସମ୍ବନ୍ଧରେ ଅବଗତ କରାଇବା ସହିତ ଆଗାମୀ ଦିନରେ ସେନ୍‌ସର, ଆଇ.ଓ.ଟି, କୁତ୍ରିମ ବୁଦ୍ଧିମତ୍ତା ତଥା ରିମୋଟ ସେନ୍ସିଙ୍ଗ୍‌ ଆଦି ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ହିମଖଣ୍ଡ ତଥା ଜଳର ସୁପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଉପସ୍ଥିତ ବୈଜ୍ଞାନିକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି ଅବସରରେ ପ୍ରତିଷ୍ଠାନର ବିଭିନ୍ନ ପ୍ରୋଜେକ୍ଟ ସହିତ ସଂଶ୍ଳିଷ୍ଟ ହୋଇ ଆଧୁନିକ ଜଳସେଚନ ପଦ୍ଧତିକୁ ଆପଣାଇ ଥିବା ସଫଳ କୃଷକମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ବିଶ୍ୱ ଜଳ ଦିବସ ସନ୍ଦର୍ଭରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଡି.ଏ.ଭି ଚନ୍ଦ୍ରଶେଖରପୁରର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ଅବସରରେ ଏକ ‘ମାସନ ମନ୍ଥନ’ କର୍ମଶାଳା ଆୟୋଜନ କରାଯାଇଥିଲା । ଯାହାର ବିଷୟବସ୍ତୁ ଥିଲା ‘ଭୂତଳ ଜଳ-ଖାଦ୍ୟ-ଉର୍ଜାର ଜଟିଳ ସଂରଚନାଗତ ସମ୍ପର୍କ: ଆହ୍ୱାନ ଏବଂ ସୁଯୋଗ’ । ଏହି କର୍ମଶାଳାରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ବୈଜ୍ଞାନିକମାନଙ୍କ ସହିତ ଅନ୍ତର୍ଜାତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ଭୂତଳ ବୋର୍ଡ, କେନ୍ଦ୍ରୀୟ ଜଳ ଆୟୋଗ, ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ଆଇଆଇଟି, ଖଡ଼ଗ୍‌ପୁର ଓ ଗୌହାଟି, ତାମିଲନାଡ଼ୁ, ଜୁନାଗଡ଼, ପଞ୍ଜାବ ଓ ମହାତ୍ମାଫୁଲେ କୃଷି ବିଶ୍ୱବିଦ୍ୟାଳୟ, ଜାତୀୟ କୃଷି ଅର୍ଥନୀତି ଏବଂ ନୀତି ଅନୁସନ୍ଧାନ କେନ୍ଦ୍ର, ଜାତୀୟ ଭୂ-ପଦାର୍ଥ ବିଜ୍ଞାନ ଅନୁସନ୍ଧାନ ପ୍ରତିଷ୍ଠାନ ଆଦିର ବରିଷ୍ଠ ବୈଜ୍ଞାନିକ ଏବଂ ବିଶେଷଜ୍ଞମାନେ ଯୋଗଦେଇଥିଲେ ।

ଏହି କର୍ମଶାଳାରେ ‘ଦେଶର ଭୂତଳ ଜଳର ସ୍ଥିତି ଏବଂ ପରିଚାଳନା’, ‘ଭୂତଳ-ଖାଦ୍ୟ-ଉର୍ଜାର ପାରସ୍ପରିକ ସମ୍ପର୍କ’ ଏବଂ ‘ଭୂତଳ ଜଳର ଗୁଣବତ୍ତା ତଥା ଜଳ ପରିଚାଳନାର ଶାସନ ଓ ନୀତି’ ଆଦି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ଦେଶକୁ କୃଷି ଜଳ ଅଭାବ ସ୍ଥିତିରୁ ବଞ୍ଚାଇବା ପାଇଁ ବିଭିନ୍ନ ରଣନୀତି ଉପରେ ବିଚାରବିମର୍ଶ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ପରିଚାଳନା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ. ସୁଶାନ୍ତ କୁମାର ଜେନା କରିଥିଲେ ।

Leave a Reply

Your email address will not be published. Required fields are marked *