ରାଷ୍ଟ୍ରପତି ନୀଳମାଧବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କଲେ

ନୟାଗଡ଼,୨୪/୦୩/୨୦୨୫ (ଓଡ଼ିଶା ସମାଚାର)- ସୋମବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆଜି ଗସ୍ତର ପ୍ରଥମ ଦିନରେ କଣ୍ଟିଲୋ ନୀଳମାଧବ ଗସ୍ତ କରିଥିଲେ । ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟ ହେଲିପ୍ୟାଡରେ ଓହ୍ଲାଇଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପରେ ରାଷ୍ଟ୍ରପତି ନୀଳମାଧବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ସେ ମନ୍ଦିର ଉପରୁ ମହାନଦୀର ପ୍ରାକୃତିକ ସୌନ୍ଦର୍ୟ୍ୟ ଉପଭୋଗ କରିଥିଲେ। ଏହି ଅବସରରେ କଣ୍ଟିଲୋରେ ରାଷ୍ଟ୍ରପତିଙ୍କୁ ସେବାୟତ ସଂଘ ପକ୍ଷରୁ ଉପଢୌକନ ଓ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ପରେ ରାଷ୍ଟ୍ରପତି ଭାପୁର ବ୍ଲକ କାଳିଆପଲ୍ଲୀରେ ଭାରତୀୟ ବିଶ୍ୱାବସୁ ଶବର ସମାଜ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ବିଶ୍ୱ ଶାନ୍ତି ମହାଯଜ୍ଞରେ ଯୋଗଦେଇ ପୂର୍ଣ୍ଣାହୁତି ଦେଇଥିଲେ। ଏହି ଅବସରରେ କାଳିଆପଲ୍ଲୀ ଗାଁରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେଶନର ପ୍ରତିଷ୍ଠା ଦିବସ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୟ ଜଗନ୍ନାଥ, ଜୟ ନୀଳମାଧବ, ଜୟ ବିଶ୍ୱାବସୁ କହି ଅଭିଭାଷଣ ପ୍ରଦାନ କରିଥିଲେ।

କାର୍ୟ୍ୟକ୍ରମରେ ରାଜ୍ୟପାଳ ହରି ବାବୁ କୁମ୍ଭମ୍ପାଟି, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ଭାରତୀୟ ବିଶ୍ୱାବସୁ ଶବର ସମାଜ ପ୍ରତିଷ୍ଠାନର ସଭାପତି ହୃଷୀକେଶ ବେହୁରୀ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *