କେନ୍ଦ୍ରାପଡ଼ା, ୦୫/୦୨/୨୦୨୫(ଓଡ଼ିଶା ସମାଚାର)- ବଳଦେବ ସେନା ପକ୍ଷରୁ କେନ୍ଦ୍ରାପଡ଼ାର ନୂତନ ଉପଜିଲାପାଳ ଅରୁଣ କୁମାର ନାୟକଙ୍କୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଏକ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ପ୍ରସଙ୍ଗ ଗୁଡିକରୁ ମୁଖ୍ୟତଃ ଶ୍ରୀଜୀଉଙ୍କ ଦେଉଳରେ ମୋବାଇଲ ଓ କ୍ୟାମେରା ନିଷେଧ କରାଯିବା ସହ ମନ୍ଦିରରେ ବିକାଶ ମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଇ ତ୍ୱରାନିତ କରାଯିବାକୁ ଦାବି ହୋଇଛି । ସୂଚନା ଥାଉକି ରାଜ୍ୟର ସମସ୍ତ ପ୍ରସିଦ୍ଧ ତୀର୍ଥସ୍ଥଳୀ ଓ ମନ୍ଦିର ମାନଙ୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । କିନ୍ତୁ ରାଜ୍ୟର ପ୍ରମୁଖ ତୀର୍ଥସ୍ଥଳୀ ତଥା ତୁଳସୀକ୍ଷେତ୍ରର ଅଧିପତିଙ୍କ ମନ୍ଦିରରେ କୌଣସି ପ୍ରକାର ଉନ୍ନତି ମୂଳକ କାର୍ଯ୍ୟ କରାଯାଇ ନଥିବା ଅଭିଯୋଗ ହୋଇଛି । ଯାହାକୁ ସାଧାରଣରେ ନିନ୍ଦା କରାଯାଇଛି । ଅନ୍ୟ ଏକ ପ୍ରସଙ୍ଗ ଯଥା ମନ୍ଦିରର ସୁରକ୍ଷା ଏବଂ ପବିତ୍ରତାକୁ ଗୁରୁତ୍ୱ ପ୍ରଦାନ କରି ମନ୍ଦିର ପରିସରରେ ମୋବାଇଲ ଓ କ୍ୟାମେରାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରିବାକୁ ସେନା ଦାବି କରିଛି । ଏସମ୍ପର୍କରେ ବହୁବାର ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇନାହିଁ । ଫଳରେ ମନ୍ଦିର ବେଢାରେ ଅନେକ ଲୋକ ରିଲ୍ସ କରିବା ସହ ଶ୍ରୀଜୀଉଙ୍କ ଫଟୋ ଉତୋଳନ କରି ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ପ୍ରକାଶ କରୁଛନ୍ତି । ଯାହାଦ୍ୱାରା ମନ୍ଦିରର ପବିତ୍ରତା କ୍ଷୁର୍ଣ୍ଣ ହେଉଛି । ସେହିପରି ଭାବେ ମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକୀୟ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ସହ ମନ୍ଦିର ବେଢାରେ ଲାଗିଥିବା ସିସିଟିଭି ଗୁଡ଼ିକର ମରାମତି କରିବାକୁ ମଧ୍ୟ ସେନା ଦାବି କରିଛି । ସିଂହ ଦ୍ୱାରରେ ଆବଶ୍ୟକୀୟ ଆରକ୍ଷୀ ବାହିନୀ ନଥିବାରୁ ଅନେକ ସମୟରେ ଅଣ ହିନ୍ଦୁମାନେ ମନ୍ଦିର ପରିସରକୁ ପ୍ରବେଶ କରିବା ସହ ଅନେକ ବ୍ୟକ୍ତି ମନ୍ଦିର ମଧ୍ୟକୁ ନିଶା ଦ୍ରବ୍ୟ ନେବାର ଘଟଣା ନଜରକୁ ଆସିଛି ବୋଲି ସେନା ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଉପଜିଲାପାଳ ଶ୍ରୀ ନାୟକ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ଖୁବ୍ ଶୀଘ୍ର ତ୍ୱରାନ୍ୱିତ କରାଯିବା ସହ ବେଢ଼ା ପରିସରରେ ମୋବାଇଲ୍ ଓ କ୍ୟାମେରା ବନ୍ଦ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଦାବିପତ୍ର ପ୍ରଦାନ ବେଳେ ସେନା ସଭାପତି ପପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଆଶୁତୋଷ ପଣ୍ଡା, ଲଲାଟେନ୍ଦୁୁ ବେହେରା, ଆଲୋକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀବଳଦେବଜୀଉଙ୍କ ମନ୍ଦିର ସୁରକ୍ଷା ନେଇ ବଳଦେବସେନା ପକ୍ଷରୁ ଉପଜିଲାପାଳଙ୍କୁ ଦାବିପତ୍ର
