ଆଜ୍ଞା ହଁ, ଆଜି କଥା ହେବା ନିଶା ବିଷୟରେ । ନିଶା, ଯାହା ଜଣଙ୍କୁ ଗ୍ରାସ କରିଦିଏ, ଆଉ କବଳିତ କରି ପକାଏ । ନିଶାଗ୍ରସ୍ତ ବ୍ୟକ୍ତି ନିଜର ହିତ ଅହିତ କିଛି ଜାଣି ପାରନ୍ତି ନାହିଁ । ନିଶା ଆଗରୁ କି ନିଶା ଉପରକୁ ଆଉ କିଛି ବାକି ନଥାଏ । ନିଶା ଏତେ ମାତ୍ରାରେ ପ୍ରଭାବିତ କରିଥାଏ ଯେ ମଣିଷ ସବୁକିଛି ଭୁଲି ତା’ ପଛରେ ହିଁ ଗୋଡ଼େଇ ଥାଏ । ଏଇ ନିଶା କିନ୍ତୁ ବହୁତ ପ୍ରକାରର ହୋଇଥାଏ, ଯେମିତିକି ଏଇ ପଦ ପଦବୀ ପାଇବାର ନିଶା ।
ଏଇ ନିଶା ଯାହାକୁ ଗ୍ରାସ କରେ, ସିଏ ନିଜର ମିତ୍ରମାନଙ୍କୁ ମଧ୍ୟ ନିଜର କାମରେ ଲଗେଇ ପାରିବା କ୍ଷମତା ରଖିଥାନ୍ତି । ଆବଶ୍ୟକ ପଡ଼ିଲେ ନିଜର ଆତ୍ମୀୟସ୍ୱଜନମାନଙ୍କୁ ମଧ୍ୟ ଏଇ ନିଶାରେ ବଳି ଚଢ଼େଇବା ଆଗରୁ ଥରେ ହେଲେ ଭାବନ୍ତି ନାହିଁ । ଏପରି ନିଶାରେ ଚୂର୍ ରହୁଥିବା ବ୍ୟକ୍ତିଙ୍କ କଥା ଆଉ କାମ ସବୁ ପ୍ରତି ମୁହୁର୍ତରେ ବଦଳି ଯାଏ । ଆଉ ଗୋଟିଏ ନିଶା ହେଉଛି ଦୌଲତ ବା ଧନ ସମ୍ପତିର । ଏଇ ନିଶା ହୋଇଗଲେ ମଣିଷ ଖାଇବା ଶୋଇବା ଭୁଲିଯାଏ । ଦିନ ରାତି ଖାଲି ଅର୍ଥ ଉପାର୍ଜନ ପାଇଁ ଲାଗିଥାଏ ମଣିଷ । ସେହି ନିଶା ବେଳେବେଳେ ଅପରାଧକୁ ମଧ୍ୟ ଜନ୍ମ ଦେଇଥାଏ । ହେଲେ ନିଶାଗ୍ରସ୍ତ ମନ ଜାଣି ପାରି ନଥାଏ । ଆଉ ଗୋଟିଏ ସାଧାରଣ ନିଶା ହେଲା ଫେମସ୍ ହେବା ନିଶା । ରାତାରାତି ନାଁ କରିବାକୁ ଯାଇ କିମ୍ବା କିଛି ରେକର୍ଡ କରିବାକୁ ଯାଇ ମଣିଷ ନିଜକୁ ଅସୁବିଧାରେ ପକେଇ ଦେଇଥାଏ ସିନା କିଛି ଜାଣି ପାରି ନଥାଏ ।
ଆଉ ଯାହା ରହିଲା ମାଦକ ଦ୍ରବ୍ୟର ନିଶା । ତା’ ବିଷୟରେ ବୋଧେ କାହାକୁ କିଛି କହିବାର ଆବଶ୍ୟକତା ହିଁ ନାହିଁ । ସେଇ ନିଶା ମଣିଷକୁ ମଣିଷ କରି ଆଉ ରଖେନାହିଁ । ପଶୁ ପ୍ରବୃତିର କବଳିତ ହୋଇ ସେ କରି ପକାଏ ଅନେକ ଅପକର୍ମ । ଏଇ ନିଶା ଆହୁରି ବି ଅନେକ ପ୍ରକାର ହୋଇଥାଏ । ନିଜ ବାସନା ଚରିତାର୍ଥ କରିବାକୁ ଯାଇ ମଣିଷ ଏତେ ନିଶାଗ୍ରସ୍ତ ହୋଇପାରେ ଯେ ସାମ୍ନାରେ ସେ ଦେଖି ପାରେନା ନଷ୍ଟ ହେଇ ଯାଉଥିବା ଜୀବନ୍ତ ଶରୀର ମଧ୍ୟର ଅବିନାଶୀ ଆତ୍ମାକୁ ।
ଏମିତି ବହୁତ ପ୍ରକାର ନିଶା, ଯାହା ହେବା ନିହାତି ଆବଶ୍ୟକ, କିନ୍ତୁ ସୀମା ଭିତରେ । ଠିକ୍ ଯେମିତି ଭୋକ ହେବା ଦରକାର ଆଉ ମଣିଷ ଖାଦ୍ୟ ଗ୍ରହଣ କରିବା ନିହାତି ଦରକାର, କିନ୍ତୁ ଜଣେ ଯଦି ଭୋକରେ ମାଟି ଗୋଡ଼ି ଖାଇବାକୁ ଆରମ୍ଭ କରିବ, ତେବେ କ’ଣ ସେହି ଭୋକକୁ ଗ୍ରହଣ କରାଯାଇ ପାରିବ? ଜମାରୁ ନୁହେଁ ନା । ତେବେ ନିଶା ରହୁ । ନିଶା ରହିଲେ ହିଁ ମଣିଷ କିଛି ପାଇବା ଆଶାରେ ନିଜର ଦୁର୍ବଳତା, କଷ୍ଟ, ସମସ୍ୟା ସହିତ ଲଢ଼େଇ କରି ଆଗକୁ ଯାଇ ପାରିବ ।
କିନ୍ତୁ ଏହି ନିଶା ଯେତେବେଳେ ତାକୁ ନିଜ ଅଧୀନସ୍ଥ କରିଦେବ, ସେତେବେଳ ସିଏ ତ ନିଜେ ବରବାଦ ହେବ; ନିଜ ସହିତ ନିଜର ପରିବାର ଆଉ ଜ୍ଞାତି କୁଟୁମ୍ବ ତଥା ବନ୍ଧୁ ଏବଂ ଶୁଭଚିନ୍ତକ ସମସ୍ତଙ୍କୁ ଛଟପଟ କରି ମାରି ପକେଇବ । ତେଣୁ ‘ମୈ ନଶେ ମେଁ ହୁଁ…’ (ମୁଁ ନିଶାରେ ଅଛି) କହି ଗୀତ ଗାଇ ନିଜର ଅନିୟନ୍ତ୍ରିତ ନିଶାରେ ଝୁମିବା ବନ୍ଦ କରି ନିଜର ପସନ୍ଦିଆ ଜିନିଷକୁ ଆଖି ଆଗରେ ରଖି ଦୃଢ଼ମନ ହୋଇ କାମ କଲେ ଢେର୍ ସଫଳତା ମିଳିବ । ସବୁବେଳେ ଗୋଟିଏ କଥା ମନେ ରଖିବାକୁ ହେବ ଯେ ମଣିଷ ପାଖରେ ନିଶା ବନ୍ଧା ହୋଇ ରହୁ, ହେଲେ ନିଶା ପାଖରେ ମଣିଷ ବନ୍ଧା ନପଡୁ ; ନା କ’ଣ କହୁଛନ୍ତି ଆପଣ?
-୦-
ଭୁବନେଶ୍ୱର, ମୋ: ୯୪୩୮୪୭୦୮୦୭