କେନ୍ଦ୍ରାପଡ଼ା,୨୨/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ପ୍ରଫେସର ଡ. ସଞ୍ଜୀବ କୁମାର ମହାନ୍ତି ଶନିବାର ଯୋଗଦେଇଛନ୍ତି । ଏଠାରେ ଅତିରିକ୍ତ ଦାୟିତ୍ୱରେ ଥିବା ଇନ୍ଦୁପୁର ବିରୂପା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜତ ବୋଷ ଡ. ମହାନ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପ୍ରାୟ ଏକ ବର୍ଷରୁ ଉଦ୍ଧ୍ୱର୍ ହେବ ଏହି ପଦବୀରେ ବିରୂପା ମହାବିଦ୍ୟାଳୟର ଅଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱରେ ଥିଲେ ।
ଜଗତସିଂହପୁର ଜିଲାର ରାହାମାସ୍ଥିତ ଶାରଳା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରାଧ୍ୟାପକ ଡ. ମହାନ୍ତି କାର୍ଯ୍ୟରତ ଥିଲେ । ନୂତନ ଅଧ୍ୟକ୍ଷ ଡ. ମହାନ୍ତିଙ୍କୁ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଡ. ମହାନ୍ତି କହିଛନ୍ତି ଯେ ସେ ଶିକ୍ଷାଦାନକୁ ପ୍ରାଥମିକତା ଦେବେ ଓ ଛାତ୍ରଛାତ୍ରୀମାନଙ୍କୁ ଦୈନିକ ଶ୍ରେଣୀରେ ପାଠ ପଢାଇବାରେ କୌଣସି ଅବହେଳାକୁ ସେ ବରଦାସ୍ତ କରିବେନାହିଁ ।
ଏଥିସହିତ ମହାବିଦ୍ୟାଳୟ ପରିସରରେ ଶାନ୍ତ ପରିବେଶ, ଶୈକ୍ଷିକ ବାତାବରଣ ସୃଷ୍ଟି ସହ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ବିଶେଷ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି ।ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ସାଂସଦ ବୈଜୟନ୍ତ ପଣ୍ଡା, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେପି ଜିଲା ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ସଭାପତି କିଶୋର ପଣ୍ଡାଙ୍କୁ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଅଧ୍ୟାପକ ପ୍ରଦୀପ୍ତ କୁମାର ଶତପଥୀ, ଅଧ୍ୟାପକ ପ୍ରମୋଦ କୁମାର ଦାସ, ପ୍ରତାପ ମହାନ୍ତି, ନିରଞ୍ଜନ ପରିଡା, ଭାଗିରଥୀ ଜେନା ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି ।
