ମାହାଙ୍ଗା,୨୦/୦୩/୨୦୨୫(ଓଡିଶା ସମାଚାର /ଅଭୟ ଜେନା) -ମାହାଙ୍ଗା ଓ ସାଲେପୁର ଅଞ୍ଚଳ ରେ ପୋଲିସ କୁ ଖୋଲା ଚାଲେଞ୍ଜ ଦେଲେଣି ଡକାୟତ ଓ ଅପରାଧୀ ମାନେ । ମୁଣ୍ଡରେ ବନ୍ଧୁକ ଲଗେଇ ଲୁଟ କରିଛନ୍ତି ଟଙ୍କା ଓ ସୁନା ଅଳଙ୍କାର । ବୁଧବାର ରାତି ୨ ଟା ସମୟରେ ମାହାଙ୍ଗା ଥାନା ଗୁଣୁପୁର ଗ୍ରାମର ଶନି ମନ୍ଦିର ପାଖରେ ଥିବା ଅରକ୍ଷିତ ନାଥ ଙ୍କ ଘରର ବଡ଼ ଧରଣର ଡକାୟତି ହୋଇଛି ।
୪ ଜଣ ଡକାୟତ ଘରର ମୁଖ୍ୟ ଫାଟକ ଲାଗିଥିବା ଗ୍ରିଲ କୁ ଗ୍ୟାସ୍ କଟର ରେ କାଟିବା ପରେ, କବାଟ ଭାଙ୍ଗି ଘରେ ପଶିଥିଲେ । ଘରେ ଅରକ୍ଷିତ ନାଥ ଏବଂ ତା’ଙ୍କ ବୋହୁ ଓ ସାନ ପୁଅ ଶୋଇଥିଲେ । ଏହି ସମୟରେ ଡକାୟତ ମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସମସ୍ତଙ୍କୁ ରଶିରେ ବାନ୍ଧି ପକାଇଥିଲେ । ନିଜ ଜୀବନ ବଞ୍ଚାଇବାକୁ ଯାଇ ଅରକ୍ଷିତ ନାଥ କୌଣସି ପ୍ରତିବାଦ ନକରି ନୀରବ ରହିଥିବା ବେଳେ,ଘରେ ଯାହା ସବୁ ଅଳଙ୍କାର, ମୂଲ୍ୟବାନ ସାମଗ୍ରୀ ସବୁ ଲୁଟି ନେଇଥିବା ଜଣାପଡିଛି । ଡକାୟତ ମାନେ ୩ ଲକ୍ଷ ନଗଦ ଟଙ୍କା ସହ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା,୨ଟି ମୋବାଇଲ ଲୁଟି ନେଇଥିଲେ ।
ଆଜି ସକାଳୁ ସୂଚନା ପାଇବା ପରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଡକାୟତ ମାନେ ଫୋପାଡି ଦେଇଥିବା ଦୁଇଟି ମୋବାଇଲ ଫୋନ କୁ ପୋଲିସ ଜବତ କରିଛି । ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶ ପରେ ସାଲେପୁର ଏସଡିପିଓ ବିରଂଚି ନାରାୟଣ ପତି,ମାହାଙ୍ଗା ଆଇଆଇସି ତପନ କୁମାର ରାଉତ ପୋଲିସ ଟିମ ସହିତ ଘଟଣା ସ୍ଥଳୀରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଡକାୟତ ମାନକୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ରାତ୍ରୀ କାଳୀନ ପୋଲିସ ପେଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡି କରାଯିବାକୁ ସାଧାରଣରେ ଦାବି ହେଉଛି ।