ପାଟକୁରା,୧୧/୦୬/୨୦୨୫ (ଓଡ଼ିଶା ସମାଚାର)- ଆଜି ବୁଧବାର ପବିତ୍ର ଦେବ ସ୍ନାନ ପୁର୍ଣିମାରେ ଗରଦପୁର ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ର ଦେବ ସ୍ନାନ ନିତୀ ସେବାୟତଙ୍କ ଦ୍ୱାରା ସମାପନ ହୋଇଛି । ସକାଳ ଆଠଟା ସମୟରେ ସେବାୟତ ନରେନ୍ଦ୍ର ନାଥ ପଣ୍ଡା, ଅଧ୍ୟାପକ ରମାକାନ୍ତ ପାଣି, ମାୟାଧର ପଣ୍ଡା, ରଞ୍ଜନ ପଣ୍ଡା, ରମାକାନ୍ତ ଶୁକ୍ଳ, ପ୍ରମୋଦ ପାଣି, ଉମାକାନ୍ତ ପାଣି, ପ୍ରସନ୍ନ ପାଣି, ଗୋପାଳ ପଣ୍ଡା, ବାବାଜୀ ପଣ୍ଡା ଓ ପବନା ଶୁକ୍ଳ ପ୍ରମୁଖ ସେବାୟତ ମାନେ ଶ୍ରୀ ବଳଦେବଜୀଉ, ମା ସୁଭଦ୍ରା, ଠାକୁର ଶ୍ରୀ ଜଗନ୍ନାଥ ଓ ସୁଦର୍ଶନ ଙ୍କୁ ଧାଡି ପହଣ୍ଡିରେ ଆଣି ସ୍ନାନ ମଣ୍ଡପରେ ବିରାଜମାନ କରାଇଥିଲେ ।
ଚଉଷଠି ମସଲାରେ ତିଆରି କରାଯାଇଥିବା ସର୍ବୋଔଷଧୀ ମିଶା ସୁବାସିତ ଜଳରେ ଶ୍ରୀ ଜୀଉ ଙ୍କୁ ସେବାୟତ ମାନେ ସ୍ନାନ କରାଇଥିଲେ । ନୂତନ ବସ୍ତ୍ର ପରିଧାନ ପରେ ତୁଳସୀ ଧଣ୍ଡା ମାଳ ପିନ୍ଧାଇବାପରେ ନିତୀ ଅନୁଯାୟୀ ସେବାପୂଜା କରାଯାଇଥିଲା ।
ତାପରେ ଚାରି ଠାକୁରଙ୍କୁ ଅନ୍ଧ ପୁଟଳି ବନ୍ଧା ଯାଇଥିଲା । ମଧ୍ୟାହ୍ନ ରେ ଦିଅ ଙ୍କ ନିକଟରେ ଖେଚୁଡ଼ି, ଅନ୍ନ, ଡାଲମା, ଭଜା, ଖଟା, କ୍ଷୀରି ପ୍ରସାଦ ଭାବେ ଲାଗି କରାଯାଇଥିଲା ଓ ମଧ୍ୟାହ୍ନ ଆଳତି ପରେ ପହଡ଼ ପଡିଥିଲା । ଅପରାହ୍ନ ପାଞ୍ଚଟା ରେ ପହଡ଼ ଖୋଲିବା ପରେ ଶ୍ରୀଜୀଉ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ ।
ଆଖ ପାଖ ଗ୍ରାମର ଶ୍ରଦ୍ଧାଳୁ ମାନେ ଆଣିଥିବା ଭୋଗକୁ ସେବାୟତ ମାନେ ଶ୍ରୀ ଜୀଉଙ୍କ ଠାରେ ଲାଗି କରାଇଥିଲେ । ଗରଦପୁର, ବ୍ରହ୍ମପୁର, କଳାବୁଦା, ପାଖଡ଼, ନାଇନ୍ଦିପୁର, ପହନା ଓ ପଣ୍ଡିଆ ଗ୍ରାମରୁ ଅଧିକ ଶ୍ରଦ୍ଧାଳୁ ଆସିଥିଲେ । ସନ୍ଧ୍ୟାରେ ଆଳତି ପରେ ଚାରି ଠାକୁର ମନ୍ଦିର ବିଜେ କରିଥିଲେ । ମନ୍ଦିର ବିଜେ କରିବା ପରେ ଶ୍ରୀ ଜୀଉ ପନ୍ଦର ଦିନ ପର୍ଯ୍ୟନ୍ତ ଅଣସରରେ ରହିବେ ବୋଲି ସେବାୟତ ଅଧ୍ୟାପକ ରମାକାନ୍ତ ପାଣି ସୂଚନା ଦେଇଛନ୍ତି ।
