ଜଗତସିଂହପୁର ଜିଲ୍ଲାରୁ ବରିଷ୍ଠ ନାଗରିକମାନଙ୍କ ଅଯୋଧ୍ୟା-ବାରଣାସୀ ଅଭିମୁଖେ ତୀର୍ଥଯାତ୍ରା

ଜଗତସିଂହପୁର ୧୯/୦୩/୨୦୨୫ (ଓଡ଼ିଶା ସମାଚାର)-  ଜଗତସିଂହପୁର ଜିଲ୍ଲାରୁ ୮୫ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି । ଆଦିକବି ସାରଳା ଦାସ ସଂସ୍କୃତି ଭବନ ନିକଟରୁ ୨ ଗୋଟି ବସ୍ ଯୋଗେ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ କୁମାର ରାଉତଙ୍କ ପୌରହିତ୍ୟ ରେ ଜିଲ୍ଲା ପରିଷଦ,ଜଗତସିଂହପୁର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଓ ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ସମ୍ମାନନୀୟ ଅତିଥି ଭାବେ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ଯୋଗଦାନ କରି ତୀର୍ଥ ଯାତ୍ରାର ଶୁଭାରମ୍ଭ କରିବା ସହିତ ତୀର୍ଥଯାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଦିଗଦର୍ଶନ ଦେଇ ସେମାନଙ୍କ ଯାତ୍ରା ସୁଖମୟ ହେବା ପାଇଁ କାମନା କରିଥିଲେ ।

ବରିଷ୍ଠ ନାଗରିକ ମାନଙ୍କ ସହିତ ସେମାନଙ୍କର ସୁରକ୍ଷିତ ଓ ନିରାପଦ ଯାତ୍ରା ପାଇଁ  ଜିଲ୍ଲାରୁ ଏସ୍କର୍ଟ ଅଫିସର୍ ଭାବେ ଶ୍ରୀ ସୂର୍ଯ୍ୟକାନ୍ତ ସାହୁ, ଶ୍ରୀ ସାରଦା ପ୍ରସନ୍ନ ସାହୁ  ଓ ଶ୍ରୀ ରାଧା ମୋହନ ଜେନା ସହାୟକ ଅଧିକାରୀ ଭାବେ ଗସ୍ତ କରିଛନ୍ତି ।  ତା.୧୯.୦୩.୨୦୨୫ରିଖ ପୂର୍ବାହ୍ନ ୧୧.୪୫ ସମୟରେ ସ୍ବତନ୍ତ୍ର ଟ୍ରେନ ଯୋଗେ ସେମାନେ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାତ୍ରା କରିଛନ୍ତି ।

ଏହି  କାର୍ଯ୍ୟକ୍ରମକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରର ବିଶେଷଜ୍ଞ ଡାକ୍ତରମାନେ ବରିଷ୍ଠ ନାଗରିକ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ବିଭିନ୍ନ କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *