ଠାକୁରଙ୍କ ପ୍ରିୟ ଭୋଗ ହେଲା ଗୁଡ଼ୁମଣ୍ଡା
ପାଟକୁରା ୧୩/୦୩/୨୦୨୫ (ଓଡ଼ିଶା ସମାଚାର)- ପାଟକୁରା ଥାନା ଅଧୀନ ଅନ୍ତେଇ ଗ୍ରାମ ପଂଚାୟତ ପାଇଲୋ ଗ୍ରାମରେ ଆଜି ଫାଲଗୁନ ଚତୁର୍ଦଶିରରେ ପ୍ରସିଦ୍ଧ ରାଧା ଦାମୋଦର ମେଲଣ ଅନୁଷ୍ଠିତ ହେଉଛି । ଗ୍ରାମରେ ଠାକୁର ରାଧା -ଦାମୋଦରଙ୍କୁ ରୋଷଣୀରେ ନାମ ସଂକିତନ, ତେଲିଙ୍ଗି ବାଜା, ଡ୍ରମ ବାଜା, ଆତସବାଜିରେ ଶ୍ରଦ୍ଧାଳୁମାନେ ମେଲଣ ପଡିଆକୁ ଆଣିଥିଲେ । ମେଲଣ ପଡ଼ିଆରେ ଥିବା ଠାକୁରଙ୍କ ଗାଦିରେ ରାଧା -ଦାମୋଦରଙ୍କ ଯୁଗଳ ମୂର୍ତ୍ତି ସୁସଜିତ ବିମାନରେ ଆସୀନ ହୋଇ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ।
ଏହି ମେଲଣ ପ୍ରାୟ ତିନିଶହ ବର୍ଷ ହେବ ଅନୁଷ୍ଠିତ ହୋଇଆସୁଛି ବୋଲି ମୁଖ୍ୟ ପୂଜକ ରାଜେନ୍ଦ୍ର ପ୍ରସାଦ ଶୁକ୍ଳ ଓରଫ ଟୁକନନା ସୂଚନା ଦେଇଛନ୍ତି । ପାଇଲୋ ରାଧା ଦାମୋଦର ମେଲଣ ଏ ଅଂଚଳରେ ଏକ ସ୍ୱତନ୍ତ୍ର ନିଷ୍ଠାର ପରମ୍ପରା ରଖିଛି ।
ଠାକୁରଙ୍କ ପ୍ରିୟ ଭୋଗ ଗୁଡ଼ୁ ମଣ୍ଡା ପ୍ରାୟ ସମସ୍ତଙ୍କ ଘରେ ପ୍ରସ୍ତୁତ ହୁଏ । ଫାଲଗୁନ ଦ୍ୱାଦଶୀ ଓ ତ୍ରୟଦଶୀ ଦୁଇଦିନ ଗ୍ରାମର ସମସ୍ତଙ୍କ ଘରକୁ ଠାକୁର ବିମାନରେ ବସି ନାମ ସଂକିର୍ତନ ସହ ଯାଆନ୍ତି । ସମସ୍ତ ଙ୍କ ଘର ଲିପାପୋଛା ହୋଇ ଚିତା ପଡିଥାଏ । ଏହି ଦିନମାନଙ୍କରେ ଗ୍ରାମ ମଧ୍ୟରେ ଆମିଷ ବାରଣ କରାଯାଇଥାଏ ।
ଗୃହିଣୀ ମାନେ ହୁଳହୁଳି ପକାଇ ଠାକୁରଙ୍କୁ ବନ୍ଦାପନା କରନ୍ତି ଓ ମୁଖ୍ୟ ପୂଜକ ଭୋଗ ଲାଗି କରିବାପରେ ଜଣକ ପରେ ଆଉ ଜଣକ ଘରକୁ ଠାକୁର ଯାଇ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦିଅନ୍ତି ଓ ଶ୍ରଦ୍ଧାଳୁମାନେ ଗୁଡ଼ୁମଣ୍ଡା ଭୋଗ ଲାଗି କରନ୍ତି ।
ଠାକୁରଙ୍କ ନୀତିକାନ୍ତି ସବୁ ପାଇଲୋ ରାୟ ପରିବାରର ଅଶୋକ ରାୟ ସବୁ ବୁଝାସୁଜା କରନ୍ତି ଓ ଗ୍ରାମର ସମସ୍ତ ଜନସାଧାରଣ ଏଥିରେ ସହଯୋଗ କରନ୍ତି । ବାହାରେ ରହୁଥିବା ଲୋକମାନେ ଛୁଟିକରି ମେଲଣ ପାଇଁ ଗ୍ରାମକୁ ଆସନ୍ତି ।
ରାୟ ପରିବାରଙ୍କ ନିମନ୍ତ୍ରଣ କ୍ରମେ ଉକୁସାହି, ଗୋବର୍ଧନପୁର, ବାଲିଘାଇ, ଶୀତଳପାଟଣା, ଦେଉଳି, ଶ୍ରୀଚନ୍ଦନପୁର, ଶିରସ୍ତା, ଅନ୍ତେଇ, ପଦ୍ମପୁର, ଦଳୁଆଣି ପ୍ରଭୁତି ଅଠର ଗୋଟି ଗ୍ରାମରୁ ରାଧାକୃଷ୍ଣ ବିମାନରେ ବସି ମେଲଣକୁ ଆସିଛନ୍ତି । ଆଜି ସନ୍ଧ୍ୟାରେ ଠାକୁରଙ୍କୁ ଦର୍ଶନ କରିବାକୁ ଓ ମେଲଣ ଦେଖିବାକୁ ଆଖପାଖ ବେଡାରୀ, ଡ଼ାଳୁଅନି, ଗୋତ୍ରବିଲ, ପଦ୍ମପୁର, କିଣିଲୋ, ମହୁମୁଦା, ଅନ୍ତେଇ, ମନ୍ତେଇ, ପାଇଲୋ, ଶ୍ରୀଚନ୍ଦନପୁର, ପରକଣା, ବାଲିଘାଇ, ବଟିରା,ପ୍ରଭୁତି ଗ୍ରାମମାନଙ୍କରୁ ଶ୍ରଦ୍ଧାଳୁ ମାନେ ସବୁ ଆସିଛନ୍ତି ।
ବିଭିନ୍ନ ପ୍ରକାର ଦୋକାନ ବଜାର ସବୁ ଖୋଲିଛି । ମେଲଣ ସରିବା ପରେ ଠାକୁର ଆଜି ରାତିରେ ବିମାନରେ ବସି ମନ୍ଦିରକୁ ପ୍ରତ୍ୟାବର୍ତନ କରବେ । ମନ୍ଦିରକୁ ଫେରିବା ବାଟରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ପଇଡ଼, ଫଳଭୋଗ ଇତ୍ୟାଦି ଲାଗିକରିଥାନ୍ତି ।
ସମୟକ୍ରମେ ପରମ୍ପରା ଲୋପପାଇବାକୁ ବସିଥିବାବେଳେ ପାଇଲୋ ରାଧା ଦାମୋଦର ମେଲଣ ତିନିଶହ ବର୍ଷ ପରେ ମଧ୍ୟ ତାର ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖିଛି । ଏଥିପାଇଁ ଅଂଚଳ ବାସୀ ଠାକୁରଙ୍କୁ ସମର୍ପିତ ରାୟ ପରିବାକୁ ଧନ୍ୟବାଦ ଜଣାଉଛନ୍ତି ।