ଗରଦପୁର,୧୪/୦୩/୨୦୨୫(ଓଡ଼ିଶା ସମାଚାର)- ଗତ ଫଗୁ ଦଶମି ଠାରୁ ତେଣ୍ଡାକୁଡ଼ା ଅଂଚଳରେ ଦୋଳ ଉତ୍ସବ ଆରମ୍ଭ ହୋଇ ଯାଇଛି । ଅଂଚଳରେ ଥିବା ବିଭିନ୍ନ ମଠ ଓ ମନ୍ଦିର ମାନଙ୍କରେ ଥିବା ରାଧା କୃଷ୍ଣ ମୂର୍ତି ମାନଙ୍କୁ ସୁସଜିତ ବିମାନରେ ବସାଇ ଶ୍ରଦ୍ଧାଳୁ ମାନେ ବିଭିନ୍ନ ଗ୍ରାମକୁ ନେଇ ଲୋକମାନଙ୍କ ଘର ପାଖରେ ପୂଜାର୍ଚ୍ଚନା କରାଯାଉଛି । ବିଭିନ୍ନ ଗ୍ରାମରେ ମଧ୍ୟ ମେଲଣ ଆରମ୍ଭ ହୋଇ ଯାଇଛି ।
ମଙ୍ଗଳବାର ଦିନ ଜୟତଳଙ୍ଗ ଶନି ବିହାର ଠାରେ ମେଲଣ ଅନୁଷ୍ଠିତ ହୋଇଥିଲା । ଏହି ମେଲଣରେ ସବୁଠାରୁ ଅଧିକ ଠାକୁର ଏକତ୍ରୀତ ହୋଇଥାନ୍ତି । ଜୟତଳଙ୍ଗ ର ଶ୍ରୀ ଶ୍ରୀ ରାଧାମାଧବ ଜୀଉ, ବାୟା ବାବାଙ୍କ ମାଳମଠ ର ଶ୍ରୀ ଶ୍ରୀ ରାହାସବିହାରୀ ଜୀଉ,କେଶୋଳ ନୃସିଂହନାଥ ମନ୍ଦିରର ଶ୍ରୀ ଶ୍ରୀ ନୃସିଂହନାଥ ଜୀଉ , ନିମକଣ ର ନବୀନ କିଶୋର , ବରଢ଼ୀ ର ରାଧାକାନ୍ତ ଜୀଉ ଓ ତେଣ୍ଡାକୁଡ଼ାର ରାଧା ମୋହନ ଜୀଉ ଏହି ମେଳନ ରେ ଯୋଗ ଦେଇଥିଲେ । ଶ୍ରୀ ଜୀଉ ମାନଙ୍କ ସମ୍ମୁଖରେ ପାଲା ପରିବେଷଣ ହୋଇଥିଲା । ଶେଷରେ ଶ୍ରୀ ଜୀଉ ମାନଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଅଭିର ଖେଳ ହୋଇଥିଲା ।
ସେହିପରି ବୁଧବାର ଦିନ ବରଢ଼ି ଗ୍ରାମରେ ମେଲଣ ହୋଇଥିଲା । ସେଠାରେ ମଧ୍ୟ ପାଲା ପରିବେଷଣ ହୋଇଥିଲା । ଶୁକ୍ରବାର ଦିନ କେଶୋଳ ଗ୍ରାମରେ ମେଲଣ ହେବା ସହିତ ସନ୍ଧ୍ୟାରେ ମେଣ୍ଢାକୁଡ଼ିଆ ପୋଡ଼ି ଓ ଦୋଳ ମଣ୍ଡପ ରେ ଶ୍ରୀ ଜୀଉ ଙ୍କ ସମ୍ମୁଖରେ ନୂତନ ପାଂଜି ପଠନ ହେବ ।
ଶୁକ୍ରବାର ଦିନ ଦୋଳ ପୂର୍ଣ୍ଣିମା ଅବସରରେ ଗୋପାଳ ମାନେ ସଜ ବସାଇବା ସହିତ ଗୋଠ ପୂଜା ଓ ଗ୍ରାମ ଦେବତୀଙ୍କ ସମ୍ମୁଖରେ ଲଉଡ଼ି ଖେଳ ପ୍ରଦର୍ଶନ କରିବେ । ରବିବାର ଦିନ ସାନ ନୟନପୁର ଠାରେ ଅଂଚଳର ଶେଷ ମେଲଣ ହେବା ପରେ ସ୍ଥାନୀୟ ଅଂଚଳରେ ଦୋଳ ଉତ୍ସବ ଶେଷ ହେବ ।