ଜଗତସିଂହପୁର,୧୩/୦୩/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଅଧିକାର ଆଇନ୍-୨୦୦୫ ଅନ୍ତର୍ଗତ ଏକ ସଚେତନତା କର୍ମଶାଳା ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଏହି କର୍ମଶାଳା ରେ ଅଧ୍ୟକ୍ଷତା କରି ସୂଚନା ଅଧିକାର ଆଇନ-୨୦୦୫କୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି ବୋଲି କହିଥିଲେ।
ସାଧାରଣ ଜନତା ଏହି ଆଇନକୁ ସରଳ ଓ ସୁବିଧାଜନକ ଭାବେ ବ୍ୟବହାର କରି ବିଭିନ୍ନ ବିଭାଗର ତଥ୍ୟ ଉପଲବ୍ଧ କରିବା ପାଇଁ ବିଭାଗୀୟ ଦପ୍ତରଗୁଡିକୁ ନିଜର ସାଧାରଣ ତଥ୍ୟଗୁଡିକୁ ସୂଚନା ଅଧିକାର ପୋର୍ଟାଲରେ ନିଜ ଆଡୁ ସାର୍ବଜନୀନ କରି ପ୍ରକାଶ କରିବାର ବିଧି ରହିଛି । ସରକାର ଉକ୍ତ ତଥ୍ୟକୁ ଇଂରାଜୀ ସହ ଓଡ଼ିଆରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ସୂଚନା ଦେଇଥିଲେ।
ଏଥିନିମନ୍ତେ ଜନ ସୂଚନା ଅଧିକାରୀମାନେ ନିର୍ଭୁଲ ଭାବେ ଅବିଳମ୍ବେ ଏହି କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ସେମାନଙ୍କୁ ବିଶେଷ ପ୍ରଶିକ୍ଷଣର ଆବଶ୍ୟକତାକୁ ଉପଲବ୍ଧି କରି ଆଜିର ଏହି କର୍ମଶାଳା ଆୟୋଜିତ ହୋଇଛି ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି କର୍ମଶାଳାରେ ଯୋଗଦେଇ ଜନ ସୂଚନା ଅଧିକାରୀମାନେ ସୂଚନା ଅଧିକାର ଆଇନ୍-୨୦୦୫ର ଧାରା ୪(୧)(ଖ) ଅନୁଯାୟୀ ନିଜ ବିଭାଗର ସମସ୍ତ ତଥ୍ୟ ସୂଚନା ଅଧିକାର ୱେବସାଇଟରେ ଉଭୟ ଓଡ଼ିଆ ଓ ଇଂରାଜୀରେ ଅପଲୋଡ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏଥିସହ ବିଭିନ୍ନ ବିଭାଗ ଅଧିକ କ୍ରିୟାଶୀଳ ଏବଂ ସଚେତନ ହୋଇ ସୂଚନା ଅଧିକାର ସମ୍ପର୍କିତ ଆସୁଥିବା ସମସ୍ତ ଆବେଦନଗୁଡିକର ଉତ୍ତର ନିର୍ଦ୍ଧାରିତ ସମୟ ମଧ୍ୟରେ ଦେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବିଷୟ ବିଶାରଦ ଭାବେ ଶ୍ରୀ ଗୋପାଳ କୃଷ୍ଣ ମିଶ୍ର,ସମ୍ପାଦକ, ଅନ୍ତର୍ଦୃଷ୍ଟି ୧୭ ସ୍ତରୀୟ ତଥ୍ୟ ର ସବିଶେଷ ନିୟମାବଳୀ ଗୁଡ଼ିକ ଆଲୋଚନା କରିଥିଲେ ଏବଂ ଲୁମିନସ୍ ଇନଫୋସିସର ମାଷ୍ଟର ଟ୍ରେନର ସଂଗ୍ରାମ କୁମାର ପୃଷ୍ଟି ଯୋଗଦେଇ ସୂଚନା ଅଧିକାର ଆଇନର ଧାରା ୪(୧) (ଖ) ମୁତାବକ ୧୭ସ୍ତରୀୟ ତଥ୍ୟ ଉଭୟ ଇଂରାଜୀ ଓ ଓଡ଼ିଆରେ ନିଜ ସୂଚନା ଅଧିକାର ପୋର୍ଟାଲରେ ଅଦ୍ୟତନ କରିବା ଉପରେ ତାଲିମ ପ୍ରଦାନ କରିଥିଲେ ।
ମଗାଯାଉଥିବା ତଥ୍ୟଗୁଡିକୁ ଠିକ୍ ସମୟରେ ପ୍ରଦାନ ସହ ନିଜ ବିଭାଗର ତଥ୍ୟଗୁଡିକୁ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସାର୍ବଜନୀନ କରିବା ନିମନ୍ତେ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବି ଶ୍ରୀ ଧୀରେନ୍ଦ୍ରନାଥ ଆଚାର୍ଯ୍ୟ ମଧ୍ୟ ସୂଚନା ଅଧିକାର ଆଇନ ର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ।ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମନରେ ଏ ସମ୍ପର୍କିତ ଦ୍ୱନ୍ଦକୁ ସେ ଦୂର କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତେ ନିଜ ନିଜ ବିଭାଗ ବା କାର୍ଯ୍ୟାଳୟର ସୂଚନା ଅଧିକାର ପୋର୍ଟାଲରେ ଉଭୟ ଓଡିଆ ଓ ଇଂରାଜୀରେ ତଥ୍ୟ ଅପଲୋଡ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ତଥା ଅନ୍ୟାନ୍ୟ ବିଭାଗର ପ୍ରଥମ ଆପିଲେଟ ଅଥରିଟି ଓ ଜନ ସୂଚନା ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।