• ଶିଳ୍ପ ପ୍ରଭାବିତ ଅଂଚଳରେ ସିଏସଆର ପାଣ୍ଠି ଉପଯୁକ୍ତ ଭାବେ ଖର୍ଚ୍ଚ କରିବା ଉପରେ ଗୁରୁତ୍ୱ
• ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ସିଏସ୍ଆର୍ ପାଣ୍ଠି ସହଯୋଗିତାର ଆବଶ୍ୟକତା ରହିଛି
ଭୁବନେଶ୍ୱର,୧୦/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ୩ୟ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପରିଷଦ (ସିଏସ୍ଆର୍) ବୈଠକ ଗତ ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଶିଳ୍ପସଂସ୍ଥା ମାନଙ୍କ ଦ୍ୱାରା ସିଏସ୍ଆର ପାଣ୍ଠି ଉପଯୋଗ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବିଗତ ୨୦୧୪ ରୁ୨୦୨୪ ପର୍ୟ୍ୟନ୍ତ୧୦ବର୍ଷ ମଧ୍ୟରେ ବିଭିନ୍ନ ଶିଳ୍ପସଂସ୍ଥା ପକ୍ଷରୁ କରାଯାଇଥିବା ସିଏସଆର ପାଣ୍ଠି ଖର୍ଚ୍ଚ ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।
ସିଏସଆର ସମ୍ବନ୍ଧୀୟ ସମସ୍ତ କାର୍ୟ୍ୟକ୍ରମର ସୂଚନା ପାଇଁ ବ୍ୟବହୃତ ‘ଗୋକେୟାର’ ପୋର୍ଟାଲରେ ସଦ୍ୟତମ ସ୍ଥିତି ଅନୁସାରେ ବିଗତ ଆର୍ଥିକ୧୦ବର୍ଷରେ ବିଭିନ୍ନ ଶିଳ୍ପ ସଂସ୍ଥା ତରଫରୁ ୧୩,୫୯୯ଟି ପ୍ରକଳ୍ପ କାର୍ୟ୍ୟକାରୀ କରାଯାଇ ୪୩୧୨.୨୨କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାଯାଇଛି। ଏହି ବର୍ଷ ମଧ୍ୟରେ ପ୍ରମୁଖ୧୦ଟି କମ୍ପାନୀ କେତେ ସିଆର ପାଣ୍ଠି ଖର୍ଚ୍ଚ କରିଛନ୍ତି, ତାହାର ଅନୁଧ୍ୟାନ କରାଯାଇଥିଲା।ରାଜ୍ୟରେ ବିଭିନ୍ନ ଶିଳ୍ପସଂସ୍ଥା ମଧ୍ୟରେ ମହାନଦୀ କୋଲଫିଲ୍ଡ ଲିମିଟେଡ, ଟାଟାଷ୍ଟିଲଲିଃ., ରୁଙ୍ଗଟା, ନାଲକୋ, ଓଏମସି, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜଲିଃ., ହିନ୍ଦୁସ୍ତାନ ଏରୋନଟିକ୍ ଲିଃ., ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ, ରାଉରକେଲା, ବେଦାନ୍ତ ଲିଃ, ଜେକେ ପେପର ଲିଃ.ସବୁଠାରୁ ଅଧିକ ସିଏସଆର ପାଣ୍ଠି ଉପଯୋଗ କରିଥିବା ବୈଠକରୁ ଜଣାଯାଇଛି ।
ଶିକ୍ଷା ଓ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସେବା, ଗ୍ରାମ୍ୟ ଉନ୍ନୟନ, ସ୍ୱଚ୍ଛ ଭାରତ, ପରିବେଶ, କ୍ରୀଡା, ବିପର୍ୟ୍ୟୟ ପରିଚାଳନା, ଜାତୀୟ ଏୖତିହ୍ୟ ସ୍ଥଳର ସୁରକ୍ଷା, ବସ୍ତି ଅଂଚଳ ଉନ୍ନୟନ, ଲିଙ୍ଗଗତ ସମାନତା ଓ ସଶକ୍ତିକରଣ, ରିଲିଫ ପାଣ୍ଠିକୁ ସହାୟତା, ସାମରିକ ବାହିନୀକୁ ସହାୟତା, ବୈଷୟିକ ଜ୍ଞାନ କୌଶଳ ଆଦି କ୍ଷେତ୍ରରେ ଖର୍ଚ୍ଚ କରାଯାଇଛି। ଜିଲ୍ଲା ସ୍ତରରେ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ସିଏସ୍ଆର୍ ବୈଠକ ଏବଂ ବିଭିନ୍ନ ବିଭାଗ ତରଫରୁ ଦିଆଯାଉଥିବା ପ୍ରସ୍ତାବ କାର୍ୟ୍ୟକାରୀ କରାଯାଉଛି । ଉପସ୍ଥିତ ଶିଳ୍ପ ସଂସ୍ଥାମାନଙ୍କ ତରଫରୁ ବିଭିନ୍ନ କ୍ଷେତ୍ରରେ ନିଜ ନିଜର ସିଏସଆର ପାଣ୍ଠି ଉପଯୋଗ ସଂପର୍କରେ ଉପସ୍ଥାପନ କରିଥିଲେ ।ବୈଠକରେ ଅନ୍ୟ କେତେକ ଅଧିକ ପୁଞ୍ଜି ନିବେଶ କରୁଥିବା ବୃହତ କମ୍ପାନୀ ମାନଙ୍କୁ ସିଏସଆର କାଉସିଲରେ ଅନ୍ତର୍ଭୁକ୍ତ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା।

କମ୍ପାନୀ ଆଇନ-୨୦୧୩ ଧାରା୭ ଅନୁସାରେ ସିଏସଆର ପାଣ୍ଠି ଉପଯୋଗ କରାଯାଉଛି। ୫୦୦କୋଟି ବା ତଦୁର୍ଦ୍ଧ୍ୱ ନେଟ ମୂଲ୍ୟ, ୧୦୦୦କୋଟି ବା ତାଠାରୁ ଅଧିକ କାରବାର କରୁଥିବା, ୫କୋଟିରୁ ଉର୍ଦ୍ଧ୍ୱ ନିଟ୍ ଲାଭକରୁଥିବା କମ୍ପାନୀମାନେ ସେମାନଙ୍କର ନିଟ୍ ଲାଭର୨ପ୍ରତିଶତ ଖର୍ଚ୍ଚ ସିଏସ୍ଆର୍ ବାବଦକୁ ଖର୍ଚ୍ଚ କରିବାର ପ୍ରବଧାନ ରହିଛି।୨୦୧୭ଜୁନରେ ରାଜ୍ୟ ସିଏସଆର କାଉନସିଲ ଗଠନ କରାଯାଇଥିଲା।ଏଥିରେ ମୁଖ୍ୟ ଶାସନସଚିବ ଥିବା ବେଳେ ଉନ୍ନୟନ କମିଶନର, ୧୦ଟି ବିଭିନ୍ନ ବିଭାଗ, ଓଏମସି, ନାଲକୋ ଏବଂ ୮ଟି ପ୍ରମୁଖ ଶିଳ୍ପସଂସ୍ଥା ସହ ୨ଟି ସ୍ୱେଚ୍ଛାସେବୀ ସଂଗଠନର ରାଜ୍ୟ ମୁଖ୍ୟ ସଦସ୍ୟ ରହିଛନ୍ତି।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସିଏସ୍ଆର ପାଣ୍ଠି ସଠିକ୍ ଉପଯୋଗ ସଂପର୍କରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ,ଏହି ସିଏସ୍ଆର୍ ପଦକ୍ଷେପ ରାଜ୍ୟ ତଥା ଦେଶର ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ସରକାରୀ-ଘରୋଇ ଭାଗିଦାରିତା ସହଯୋଗକୁ ପ୍ରୋତ୍ସାହିତ କରୁଛି । ଶିଳ୍ପ ସଂସ୍ଥାମାନେ ଶିଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ଅଂଚଳରେ ସଡ଼କ, ଭିତ୍ତିଭୂମିର ବିକାଶ, ପାନୀୟଜଳ,ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦିକୁ ଦୃଷ୍ଟି ଦେଇ ଅଂଚଳର ସର୍ବାଙ୍ଗୀନ ବିକାଶରେ ସହଯୋଗୀ ହୁଅନ୍ତୁ । ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମ ଚାଲୁ ରହିଛି । ଏଥିରେ ରହୁଥିବା ଅଗ୍ରାଧିକାର ବ୍ୟବଧାନ କ୍ଷେତ୍ରକୁ ଦୃଷ୍ଟିରେ ରଖି ଶିଳ୍ପ ସଂସ୍ଥାମାନେ ରାଜ୍ୟର ପ୍ରମୁଖ ଆକାଂକ୍ଷୀ ଜିଲ୍ଲା ଗୁଡିକରେ ଦକ୍ଷତା ବିକାଶ, ଜୀବିକା ନିର୍ବାହ , କ୍ରୀଡାର ବିକାଶ ଏବଂ ଅନ୍ୟାନ୍ୟ ଉନ୍ନୟନ ମୁଳକ କାର୍ୟ୍ୟକ୍ରମରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।ଉନ୍ନୟନ କମିଶନର ଶ୍ରୀମତୀ ଅନୁଗର୍ଗ ଯୋଗଦେଇ କହିଥିଲେ ଯେ, ରାଜ୍ୟର ପ୍ରଗତିକୁ ଶକ୍ତି ଯୋଗାଇବାରେ ସିଏସଆର ପାଣ୍ଠିର ଉତ୍ତମ ବ୍ୟବହାର ଗୁରୁତ୍ୱ ବହନ କରୁଛି ।ଏ କ୍ଷେତ୍ରରେ ଶିଳ୍ପ ସଂସ୍ଥାମାନେ ନିଜ ନିଜର ଉତ୍ତମ ଅଭ୍ୟାସ (ବେଷ୍ଟ ପ୍ରାକ୍ଟିସେସ୍) କାର୍ୟ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଶିଳ୍ପ ଏବଂ ଏମଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲଙ୍କ ସମେତ ପ୍ରମୁଖ ଶିଳ୍ପ ଅନୁଷ୍ଠାନର ଓଡ଼ିଶା ରାଜ୍ୟ ମୁଖ୍ୟ, ରାଜ୍ୟ ଶିଳ୍ପ ବିଭାଗ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
-୦-
ପଠାଣି ରାଉତ,ମୁଖ୍ୟଶାସନ ସଚିବଙ୍କ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
