ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣକୁ କେନ୍ଦ୍ରାପଡାରେ ଭବ୍ୟ ସ୍ୱାଗତ

କେନ୍ଦ୍ରାପଡା, ୨୭/୧୨/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିିଛି । ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଏହାର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶ ଭିତର, ଦେଶ ବାହାର ଓ ରାଜ୍ୟର ସମସ୍ତ ଜିଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଆଜି ଶ୍ରୀକ୍ଷେତ୍ର ପୁରୀରୁ ସେବାୟତ ଓ ସୁଆରଙ୍କ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ରାପଡ଼ା ଜିଲାର ପରମ ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉ ଏବଂ ଡେରାବିଶର ଆରାଧ୍ୟ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି । ପୁରୀରୁ ଆସିଥିବା ଏହି ପ୍ରତିନିଧି ଦଳରେ ରବି ନାରାୟଣ ଖୁଂଟିଆ, ଉଦୟନାଥ ମହାସୁଆର, ରାଧାଗୋବିନ୍ଦ ଖୁଂଟିଆ ଏବଂ ନୋଡାଲ ଅଫିସର ଭାବେ ସୁଶାନ୍ତ ଦାସ ପ୍ରମୁଖ ଅଛନ୍ତି । ପୁରୀରୁ ଆସିଥିବା ଏହି ପ୍ରତିନିଧିମଣ୍ଡଳୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର୍ ଶିବାଶିଷ ପରିଡ଼ା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲା ସଂସ୍କୃତି ଅଧିକାରୀ ଆଲୋକ କୁମାର ମହାନ୍ତି ପ୍ରମୁଖ ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ, ଫୁଲହାର ପ୍ରଦାନ କରିଥିବା ବେଳେ ଶୁଭକଳସ ବସାଇ ବନ୍ଦାପନା କରି ଜିଲା କୋର୍ଟ ନିକଟରୁ ଏକ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହ ପର୍ଯ୍ୟନ୍ତ ସେମାନଙ୍କୁ ପାଛୋଟି ଅଣାଯାଇଥିଲା । ସଂକୀର୍ତନ, ଶଂଖ ଧ୍ୱନି, ହରିବୋଲ, ହୁଳହୁଳି, ଘଂଟଘଂଟା ଓ ଜୟ ଜଗନ୍ନାଥ ଧ୍ୱନିରେ ସାରା ପରିବେଶ ଭାବମୟ ହୋଇଉଠିଥିଲା । ଜିଲା ପ୍ରଶାସନ ପକ୍ଷରୁ ସଦ୍ଭାବନା ସଭାଗୃହ ନିକଟରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ଏବଂ ଅତିରିକ୍ତ ଜିଲାପାଳ (ସାଧାରଣ)  ପୀତାମ୍ବର ସାମଲ ସେମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମା’ ଭଉଣୀମାନେ ରେଙ୍ଗାଲିରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ ଏହି ପ୍ରତିନିଧି ମଣ୍ଡଳୀଙ୍କୁ । ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରତିନିଧିମଣ୍ଡଳୀ । ପରେପରେ ଶ୍ରୀଶ୍ରୀ ବଳଦେବଜୀଉଙ୍କୁ ନିମନ୍ତ୍ରଣ କରିବା ପାଇଁ ଶ୍ରୀକ୍ଷେତ୍ରରୁ ଆସିଥିବା ପ୍ରତିନିଧିମଣ୍ଡଳୀ ଶ୍ରୀଜୀଉଙ୍କ ମନ୍ଦିରକୁ ଯାତ୍ରା କରିଥିଲେ । ସିଦ୍ଧବଳଦେବଜୀଉ ଦେବୋତର ବିଭାଗ ଓ ସେବାୟତଙ୍କ ପକ୍ଷରୁ ପ୍ରତିନିଧି ମଣ୍ଡଳୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲାର ଦୁଇଟି ପ୍ରମୁଖ ମନ୍ଦିରର ଦୁଇ ଜଣ ଲେଖାଏଁ ସେବାୟତଙ୍କୁ ୨୦୨୪ ଜାନୁଆରୀ ୧୭ରେ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଉଛି । ମାତ୍ର ପରିବର୍ତି ଦିନମାନଙ୍କରେ ସମସ୍ତ ମନ୍ଦିରର ସେବାୟତ ପୁରୀକୁ ଯାତ୍ରା କରିପାରିବେ ବୋଲି ପ୍ରତିନିଧି ମଣ୍ଡଳୀ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *