ମଧୁସାଗର ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୦୭/୦୩/୨୦୨୫(ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଂଚାୟତ ବାଲିଆର ପ୍ରସିଦ୍ଧ ଦୋଳମେଲଣ ପର ମଧୁସାଗର ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ବାଲିଆସ୍ଥିତ ସାରସ୍ୱତ ମାର୍କେଟ କମ୍ଲେକ୍ସରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡା.ବିଶ୍ୱ ପ୍ରକାଶ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମ୍ପାଦକ ମଦନମୋହନ ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ।

ଏଥିସହିତ ଚଳିତବର୍ଷର ମହୋତ୍ସବ ପାଇଁ ଅତିଥିମାନଙ୍କୁ ଅନୁରୋଧପତ୍ର ପଠାଯିବା ବ୍ୟବସ୍ଥା ଏବଂ ୧୦ଟି ସାଂସ୍କୃତିକ ଦଳର ତାଲିକା ନାଟ୍ୟଗୁରୁ ଶରତ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ଏଥିରେ ବରିଷ୍ଠ ପରାମର୍ଶଦାତା ଦାମୋଦର ତ୍ରିପାଠୀ, କିଶୋର ଚନ୍ଦ୍ର ମଲ୍ଲିକ, ଗୁରୁଚରଣ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୋଷାଧ୍ୟକ୍ଷ ନାରାୟଣ ସ୍ୱାଇଁ ଜମଧର ପ୍ରାଥମିକ କୃଷି ସମବାୟ ସମିତି ମିନି ବ୍ୟାଙ୍କରେ ମଧୁସାଗର ମହୋତ୍ସବ, ବାଲିଆ ନାମରେ ଖୋଲାଯାଇଥିବା ଜମାବହି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ସଭାପତି ଶ୍ରୀ କାନୁନଗୋ ଅତିଥି ବିଭୁଦତମିଶ୍ର ଓ ନରେନ୍ଦ୍ର ବେହେରାଙ୍କୁ ଚଳିତମାସ ୨୦,୨୧ ଓ ୨୨ତାରଖ ମଧ୍ୟରୁ ଯେକୌଣସି ଦିନ ଆସିବାକୁ ବାର୍ତାଳାପ କରିଥିଲେ । ମହୋତ୍ସବର ବିଭିନ୍ନ ପ୍ରସଙ୍ଗ ଉପରେ ଶରତ କୁମାର ଆଚାର୍ଯ୍ୟ, ବସନ୍ତ କୁମାର ଜେନା, ସୋମନାଥ ସ୍ୱାଇଁ, ନଗେନ୍ଦ୍ର ରାଉତ, ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଆଲୋଚନା କରିଥିଲେ । ମେଲଣ ପଡିଆ ସଂଲଗ୍ନ ଡାକ୍ତର ସରୋଜକାନ୍ତ କାନୁନଗୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ସେବା ଓ ସ୍ଥାନୀୟ ବାଲିଆ ଅଂଚଳର ଶିକ୍ଷାନୁଷ୍ଠାନମାନଙ୍କ ଅବସ୍ଥାରେ ସୁଧାର ଅଣାଯିବା ଓ ବଳଦେବ ସାଂସ୍କୃତିକ ପରିଷଦକୁ ନବୀକରଣ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ହୃଷିବର୍ଦ୍ଧନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *