ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୦୫/୦୩/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଧେଶ ଅନୁଯାୟୀ ଜିଲା ସ୍ତରୀୟ ଗ୍ରୀଷ୍ମ ପ୍ରବାହ ପ୍ରତିକାର ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା କରିବା ନିମନ୍ତେ ଏହି ବୈଠକରେ ଆଲୋଚନା ହୋଇଥିଲା ।

ଜିଲାର ବିଭିନ୍ନ ସ୍ଥାନମାନଙ୍କରେ ପିଇବା ପାଣି ଟାଙ୍କିର ବ୍ୟବସ୍ଥା କରାଯିବା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ପୌର ପରିଷଦ ନିର୍ବାହୀ ଅଧିକାରୀ ଏବଂ ବିଡିଓ ମାନେ ଏଥିପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଜଳଛତ୍ର ଖୋଲିବା ସହ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରିବାର ବ୍ୟବସ୍ଥା କରିବା, ନାଳ ତଥା କେନାଲ ରେ ଆବଶ୍ୟକସ୍ଥଳେ ପାଣି ଛାଡିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲାପାଳ ନିର୍ଦେଶ ଦେଇଥିଲେ ।

ଏଥିସହିତ ବିଦ୍ୟାଳୟକୁ ପିଲାମାନେ ସାଙ୍ଗରେ ପାଣି ବୋତଲ ଧରି ଆସିବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେବା ସହ ଜିଲା ସମାଜ ମଙ୍ଗଳ ଅଧିକାରିଣୀଙ୍କୁ ଗର୍ଭବତୀ ମା’ ମାନଙ୍କୁ ସତର୍କତା ଅବଲମ୍ବନ କରିବା, ପରିବହନ ଅଧିକାରୀଙ୍କୁ ଯାତାୟତ ବସରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ବିଦ୍ୟୁତ ବିଭାଗକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ଆବଶ୍ୟକସ୍ଥଳେ ବିଦ୍ୟୁତ କାଟ କରିବା ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରାକ୍ ସୂଚନା ଦେବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓ.ଆର.ଏସ. ଏବଂ ଆବଶ୍ୟକୀୟ ଔଷଧ, ସ୍ୱତନ୍ତ୍ର ଅଂଶୁଘାତଜନିତ ୱାର୍ଡ ଏବଂ ଅଂଶୁଘାତଜନିତ ମୃତ୍ୟୁକୁ ତହସିଲଦାର ଏବଂ ମେଡ଼ିକାଲ ଅଫିସରଙ୍କ ମିଳିତ ଅନୁସନ୍ଧାନ ପରେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏକ ଆପାତକାଳୀନ କଂଟ୍ରୋଲ ରୁମ ପରିଚାଳିତ କରି ଜନସାଧାରଣଙ୍କୁ ଆବଶ୍ୟକ ଅନୁଯାୟୀ ସାହାଯ୍ୟ ଯୋଗାଇବା ପାଇଁ ଜିଲାପାଳ ନିର୍ଦ୍ଧେଶ ଦେଇଥିଲେ ।

ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ନିୟମ ଅନୁଯାୟୀ ସରକାରଙ୍କ ପ୍ରଦତ ଗାଇଡଲାଇନ ଅନୁସାରେ ଗଣମାଧ୍ୟମ ସହାୟତାରେ ସଚେତନତା ସୃଷ୍ଟି କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଜିଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୋଦ କୁମାର ପ୍ରହରାଜ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ସମସ୍ତ ବିଡିଓ ଏବଂ ତହସିଲଦାର, ଡେପୁଟି କଲେକ୍ଟର, କେନ୍ଦ୍ରାପଡା ପୌରପାଳିକା ନିର୍ବାହୀ ଅଧିକାରୀ, ଅଧୀକ୍ଷଣ ଯନ୍ତ୍ରୀ (ରାସ୍ତା ଏବଂ କୋଠାବାଡି, ଜନ ସ୍ୱାସ୍ଥ୍ୟ ବିଭାଜନ, ଗ୍ରାମ୍ୟ ଉନ୍ନୟନ), ଆଂଚଳିକ ପରିବହନ ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ, ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *